ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଦିବାସୀଙ୍କ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ମୋଦି।

ବାରିପଦା ସମାବେଶରେ ଯେଉଁଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଥିଲେ ମୋଦି ଆଜି ତାହା ବଲାଙ୍ଗିର ସଭାରେ ଦେଖିବାକୁ ମିଳିଛି। ନବୀନ କିମ୍ବା ବିଜେଡିର ନାଁ ନନେଇ ମୋଦି ରାଜ୍ୟ ସରକାରଙ୍କୁ ବଲାଙ୍ଗିରର ପଥରଚେପା ପଡ଼ିଆରୁ ଟାର୍ଗେଟ କରିଥିଲେ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମୋଦି ଆଦିବାସୀ କାର୍ଡ ମଧ୍ୟ ଖେଳିଥିଲେ। ଆଦିବାସୀ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ଟଙ୍କା ଦେଉଥିଲେ ମଧ୍ୟ ଏହାକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନଥିବା ମୋଦି କହି ଆଦିବାସୀ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ।

“ଆଦିବାସୀ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ଗଠନ କରିଛନ୍ତି। ଏହି ପାଣ୍ଠିକୁ ଆସୁଥିବା ଟଙ୍କାକୁ ରାଜ୍ୟ ସରକାର ଆଦିବାସୀଙ୍କ ପାଇଁ ଖର୍ଚ୍ଚ କରିପାରୁ ନାହାନ୍ତି। ଡିଏମ୍‌ଏଫ୍‌ କମିଟିର ନିଷ୍ପତ୍ତି ଅନୁସାରେ ଓଡ଼ିଶା ଗତ ସାଢ଼େ ଚାରି ବର୍ଷ ଭିତରେ ୪ ହଜାର କୋଟି ଟଙ୍କା ପାଇଛି। ଯେଉଁ ଆଦିବାସୀ ଅଞ୍ଚଳରେ ଖଣି ଖନନ ହେଉଛି ସେ ଅଞ୍ଚଳରେ ଏହି ଟଙ୍କା ବିକାଶ ପାଇଁ ବିନିଯୋଗ ହେବା କଥା। କିନ୍ତୁ ତାହା ହୋଇପାରୁନି”, କହିଥିଲେ ମୋଦି।

ଆଦିବାସୀ ଭାଇ ଭଉଣୀମାନଙ୍କ ପାଇଁ ଆସୁଥିବା ଟଙ୍କା କାହିଁକି ଖର୍ଚ୍ଚ ହୋଇପାରୁନି ବୋଲି ମୋଦି ବଲାଙ୍ଗିର ସମାବେଶରୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ।

ଖାଲି ସେତିକି ନୁହେଁ, ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଅମଳରେ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର କେତେ ଟଙ୍କା ଦେଇଛି ତା’ର ମଧ୍ୟ ହିସାବ ଦେଇଥିଲେ ମୋଦି।

ମୋଦି କହିଥିଲେ, “ଗୋଟିଏ ମାସ ଭିତରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ୨୦ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛନ୍ତି। ସେଥିମଧ୍ୟରୁ କିଛି ପ୍ରକଳ୍ପ ଲୋକାର୍ପଣ ହୋଇଥିବା ବେଳେ ଆଉ କିଛି ପ୍ରକଳ୍ପର କାମ ଆରମ୍ଭ ହୋଇଛି।”

Comment