ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶାରେ  କଂଗ୍ରେସ ଦଳ ଏଭଳି ସ୍ଥିତିରେ କେବେ ପହଞ୍ଚି ନଥିଲା। ଗୋଟିଏ ପଟେ ସମଗ୍ର ଦେଶରେ ରାହୁଲଙ୍କ ନେତୃତ୍ୱ ଚର୍ଚ୍ଚାକୁ ଆସିଥିବା ବେଳେ କଂଗ୍ରେସ ସଭାପତିଙ୍କ ଗସ୍ତର ଠିକ୍ ଦିନେ ପୂର୍ବରୁ ଦଳର ଜଣେ କୁହାଳିଆ ବିଧାୟକ ଇସ୍ତଫା ଦେଇ ଶାସକ ବିଜୁ ଜନତା ଦଳରେ ଯୋଗ ଦେଉଥିବା ନିହାତି ଏକ ଖରାପ ଖବର।

ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ବିଜେଡିରେ ଯୋଗଦାନ ଅବଶ୍ୟ ଆଉ ଖବର ହୋଇ ରହିନାହିଁ। କଂଗ୍ରେସ ଦଳରୁ ଇସ୍ତଫା ଦେବା ସହ ଏକ  ନିର୍ଦ୍ଦିଷ୍ଟ ଦିନରେ ବିଜେଡିରେ ସାମିଲ ହେବା ଖବର ତୁହାକୁ ତୁହା ପ୍ରସାର ହେବା ରାଜନୀତିରେ ଏକ ନୂଆ ପରମ୍ପରା ସୃଷ୍ଟି କରିଛି।

୨୦୧୯ ଯୁଦ୍ଧ ପାଖେଇ ଆସୁଥିବାରୁ ଏହିଭଳି ଦଳ ବଦଳ ଅଧିକ ପରିମାଣରେ ହେବ ଏଥିରେ ସନ୍ଦେହ ନାହିଁ। ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ନିର୍ବାଚନ ଯାଏଁ ଏଭଳି ଘର ଖାଲି ଘଟଣା ଚାଲିବ ଓ ଏଥିରେ ବେଶୀ ଲାଭ ହେବ ଶାସକ ଦଳର। ଏହି ଦଳ ବଦଳ ଖେଳରେ ବିଜେପି ଓ କଂଗ୍ରେସର ବେଶି କ୍ଷତି ସାଧନ ହେବା ଜଳ ଜଳ ଦେଖାଯାଉଛି, ଯାହାର ଅର୍ଥ ୨୦୧୯ରେ ବିଜେଡି ପୁଣି କ୍ଷମତାକୁ ଫେରିବ।

କଂଗ୍ରେସକୁ ଏଥର କେବଳ ନବ ଦାସ ଝଟକା ଦେବାକୁ ଯାଉଛନ୍ତି ତାହା ନୁହେଁ, ୨୦୧୪ ନିର୍ବାଚନ ପୂର୍ବରୁ ବି ଏହିଭଳି ଘଟଣା ଘଟିଥିଲା। ଯେତେବେଳେ ବିଧାନସଭାରେ ବିରୋଧୀ ଦଳର ନେତା ଥିବା ଭୁପିନ୍ଦର ସିଂହ ଓ ଅନ୍ୟ ଜଣେ ହେଭିୱେଟ ନେତା ଅନୁପ ସାଏ ବିଜେଡିରେ ମିଶିଥିଲେ। ଚଳିତ ନିର୍ବାଚନରେ ସେହି ପୁରୁଣା ଭୂତ ଦଳ ଉପରେ ସବାର ହୋଇଛି। ଦେଖାଯାଉଛି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ଏଥର  ଲାଇନଚ୍ୟୁତ ହେବା ସୁନିଶ୍ଚିତ।

ଖବର ଆସୁଛି ନବ ଦାସଙ୍କ ବ୍ୟତୀତ ଦଳର ଆଉ ଜଣେ ପ୍ରଭାବଶାଳୀ ନେତା ତଥା ସାଲେପୁର ବିଧାୟକ ପ୍ରକାଶ ବେହେରା ମଧ୍ୟ ବିଜେଡିରେ ଯୋଗ ଦେବେ। ପ୍ରକାଶଙ୍କ କଥା ଅବଶ୍ୟ ଏବେ ସ୍ପଷ୍ଟ ହୋଇନାହିଁ।

ନବ ଦାସ ଏକ ଟିଭି ଚ୍ୟାନେଲକୁ କହିଛନ୍ତି,”ମୋର ସମର୍ଥକମାନେ ଚାହୁଁଛନ୍ତି ୨୦୧୯ରେ ମୁଁ ବିଜେଡି ଟିକେଟରେ ଲଢ଼େ। ଏଣୁ ମୋ’ ଲୋକେ ଯାହା ଇଛା କରିବେ ମୁଁ ତାହା କରିବି।”

ଖବର ଅନୁସାରେ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କ୍ୟାନସର ହସ୍ପିଟାଲର ଉଦଘାଟନ ପାଇଁ ଝାରସୁଗୁଡ଼ା ଯାଉଛନ୍ତି। ବିଧାୟକ ହିସାବରେ ନବ ଦାସ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବେ ଓ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେବେ।

ଯେତେଦୂର ସାଲେପୁର ବିଧାୟକଙ୍କ କଥା ଉଠୁଛି, ସେ ଖୋଲାଖୋଲି କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବା ବିଷୟ କହୁ ନାହାନ୍ତି। କିନ୍ତୁ ସେ ବି ଏକ  ଟିଭି ନ୍ୟୁଜ ଚାନେଲକୁ କହିଛନ୍ତି, “ବିଜେଡି ଏବେ ଭଲ କରୁଛି ଓ ବର୍ତ୍ତମାନ ଦଳ ଭଲ ସ୍ଥିତିରେ ଅଛି। ହାଇକମାଣ୍ଡ ସ୍ଥିର କରିବେ ମୁଁ ବିଧାୟକ ପ୍ରାର୍ଥୀ ହେବି କି ନାହିଁ।”

ପ୍ରକାଶ ଏବେ କେଉଁ ହାଇକମାଣ୍ଡ କଥା କହୁଛନ୍ତି ତାହା କାହାକୁ ଅବୁଝା ରହିନାହିଁ।

ନବ ଦାସ ଓ ପ୍ରକାଶ ବେହେରା ଦଳ ଛାଡ଼ୁଥିବା କଥା ପିସିସି ସଭାପତି ନିରଞ୍ଜନଙ୍କୁ ପଚାରିବାରୁ ସେ କହିଲେ ଏହା ଦଳ ପାଇଁ ଭଲ ଖବର ନୁହେଁ। କିନ୍ତୁ ସେମାନଙ୍କ ଯିବା ଦ୍ୱାରା ଦଳକୁ କିଛି ଫରକ ପଡ଼ିବ ନାହିଁ। ଏକଥା କହିବା ବେଳେ ନିରଞ୍ଜନ ତେରଛା ବାଣ ମାରି କହିଛନ୍ତି ନିର୍ବାଚନ ପୂର୍ବରୁ ଯେଉଁମାନେ ଦଳ ଛାଡ଼ୁଛନ୍ତି ସେମାନଙ୍କର କୌଣସି ନୀତି କି ଆଦର୍ଶ ନାହିଁ। ନିଜର ବ୍ୟକ୍ତିଗତ ଫାଇଦା ପାଇଁ ହିଁ ଦଳ ଛାଡ଼ୁଛନ୍ତି।

ନବ ଦାସଙ୍କ ବିଜେଡିରେ ପ୍ରସ୍ତାବିତ ଯୋଗଦାନ ନେଇ କଂଗ୍ରେସ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ମତ ହେଲା ଯେ ଜଣେ ଦଳ ଛାଡ଼ିଲେ ଯେ ସେଇ ଶୂନ୍ୟସ୍ଥାନଟି ପୂରଣ ହୋଇପାରିବ ନାହିଁ ଏହା ଭାବିବା ଠିକ୍ ନୁହେଁ।

ଦୁଇ ବିଧାୟକଙ୍କ ଦଳ ଛାଡ଼ିବା ଘଟଣା ଉପରେ ମତ ଦେଇ  କଂଗ୍ରେସ ନେତା ପ୍ରଦୀପ ମାଝି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଅନ୍ୟ ଦଳର ବିଧାୟକଙ୍କୁ ଶିକାର କରି ନବୀନ ଆଉଥରେ କ୍ଷମତାକୁ ଫେରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ମାଝି କଟାକ୍ଷ କରିଛନ୍ତି।

Comment