ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ବିମାନବନ୍ଦରକୁ ଏଣିକି ଉଡ଼ିବ କମର୍ସିଆଲ ବିମାନ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏନେଇ ଘୋଷଣା ହେବା ପରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଝାରସୁଗୁଡ଼ା ଏୟାରପୋର୍ଟକୁ ୬ଟି ସହରରୁ ବିମାନ ଚଳାଚଳ କରିବ। ଭୁବନେଶ୍ୱର, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ, ରାୟପୁରରୁ ବିମାନ ଚଳାଚଳ କରିବ।”

ଏହାସହ ଭୁବନେଶ୍ୱରର ନୂଆ ଓ ପୁରୁଣା ଏୟାରପୋର୍ଟକୁ ମିଶାଇ ଏକ ବୃହତ ବିମାନ ବନ୍ଦ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର।

ଭୁବନେଶ୍ୱରରୁ ବାରାଣାସୀକୁ ମଧ୍ୟ ବିମାନ ଉଡ଼ିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଖୁବଶୀଘ୍ର ଭୁବନେଶ୍ୱରକୁ ଏୟାର ଇଣ୍ଡିଆର ଶାଖା କମ୍ପାନି ଆଲାଏନ୍ସ ଏୟାର, ଟର୍ବୋ ଆଭିଏସନ ବିମାନସେବା ଆରମ୍ଭ କରିବ।

ଗତ ସେପ୍ଟେମ୍ବର ମାସରେ ଝାରସୁଗୁଡ଼ା ଏୟାରପୋର୍ଟ ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହେଲେ ଏୟାରପୋର୍ଟକୁ ଆଜି ପର୍ଯ୍ୟନ୍ତ ବିମାନ ଚଳାଚଳ କରିନାହିଁ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ।

ମୁଖ୍ୟମନ୍ତ୍ରୀ ଗତ ୨୪ ତାରିଖରେ ଝାରସୁଗୁଡ଼ା ଗସ୍ତ କରି ଏହି ଦାବି ଦେହାରାଇବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ।

Comment