ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡେଜ୍‌ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କିଛି ଦିନ ହେବ ସେ ସ୍ୱାଇନ୍‌ ଫ୍ଲୁରେ ପୀଡ଼ିତ ଥିଲେ।

ସମତା ପାର୍ଟି ଗଠନ କରିବା ପୂର୍ବରୁ ସେ ଜନତା ଦଳରେ ଥିଲେ। ସେ ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଭିପି ସିଂ ପ୍ରଧାନମନ୍ତ୍ରୀ ଥିବା ବେଳେ ଜର୍ଜ ଫର୍ଣ୍ଣାଡେଜ୍ ରେଳମନ୍ତ୍ରୀ ଥିଲେ। ୧୯୯୮ରୁ ୨୦୦୪ ମଧ୍ୟରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଜର୍ଜ ଫର୍ଣ୍ଣାଡେଜ୍ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ସେ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ହିଁ ଭାରତ ପୋଖରାନରେ ପରମାଣୁ ବୋମା ପରୀକ୍ଷା କରାଯାଇଥିଲା।

୧୯୩୦ ମସିହା ଜୁନ୍‌ ୩ରେ କର୍ଣ୍ଣାଟକର ମେଙ୍ଗାଲୁରୁରେ ଜର୍ଜ ଜନ୍ମ ଗ୍ରହଣ କରିଥିଲେ। ୧୯୪୯ରେ ମୁମ୍ବାଇ ଆସିଥିଲେ ଓ ବିଭିନ୍ନ ସୋଶାଲିଷ୍ଟ୍ ଟ୍ରେଡ୍‌ ୟୁନିୟନ ଆନ୍ଦୋଳନରେ ସାମିଲ ହୋଇଥିଲେ। ତା’ପରେ ସେ ଟ୍ରେଡ୍ ୟୁନିୟନ ନେତା ହୋଇଯାଇଥିଲେ। ସେ ପ୍ରଥମେ ୧୯୬୭ରେ ଲୋକସଭାକୁ ନିର୍ବାଚିତ ହୋଇଆସିଥିଲେ। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ପର୍ଣ୍ଣାଣ୍ଡିଜ୍ ୧୯୭୪ରେ ଅଲ ଇଣ୍ଢିଆ ରେଲୱେମେନ ଫେଡ଼େରେସନର ମୁଖ୍ୟ ଥିଲେ ସେତେବେଳେ ସେ ରେଳୱେ ଷ୍ଟ୍ରାଇକ୍ କରିଥିଲେ।

Comment