ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବୁଧବାର ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ ବିଧାନସଭାର ସ୍ୱାଧିକାର କମିଟିରୁ ଇସ୍ତଫା ଦେଇଛନ୍ତି।

ବୁଧବାର ବିଧାନସଭାର ସ୍ୱାଧିକାର କମିଟିରୁ ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ ଇସ୍ତଫା ଦେଇଛନ୍ତି। ମିଡିଆ ମହିଳା ଉଦ୍ୟୋଗୀ ଜଗି ମଙ୍ଗତ ପଣ୍ଡାଙ୍କୁ ସମନ ପ୍ରତିବାଦରେ କେଭି ନଜ ଇସ୍ତଫା ଦେଇଛନ୍ତି।

“ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି ଜଗିଙ୍କ ମାଲିକାନାରେ ଚାଲିଥିବା ଟିଭି ଚ୍ୟାନେଲ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ। ସେ ନୋଟିସରେ କେଉଁଠି ଜଗି ପଣ୍ଡାଙ୍କୁ ସମନ କରିବାକୁ କହିନଥିଲେ। ଏଭଳି କ୍ଷେତ୍ରରେ ଟିଭି ଚ୍ୟାନେଲର ସମ୍ପାଦକ ଓ ରିପୋର୍ଟରଙ୍କୁ ସମନ ହୋଇଥାଏ। କିନ୍ତୁ ରାଜନୈତିକ କାରଣରୁ ଜଗିଙ୍କୁ ସମନ କରାଯାଇଛି”, କେଭି କହିଛନ୍ତି।

କେଭି ଆହୁରି ମଧ୍ୟ କହିଛନ୍ତି ଯେ, ଜଗି ମଙ୍ଗତ ପଣ୍ଡା ରାଜ୍ୟର ଜଣେ ଜଣାଶୁଣା ମହିଳା ଶିଳ୍ପୋଦ୍ୟୋଗୀ। ତାଙ୍କୁ ସର୍ବସାଧାରଣରେ ହଇରାଣ କରାଯାଉଛି। ଅଧ୍ୟକ୍ଷଙ୍କ ଏଭଳି କାରବାର ପଛରେ ରାଜନୈତିକ ଗନ୍ଧ ବାରି ହେଉଛି। ଏଭଳି କ୍ଷେତ୍ରରେ କମିଟିରେ ରହିବା ମୁଁ ଉଚିତ ଭାବୁନି।

ଗତ ନଭେମ୍ବର ୧୯ ତାରିଖରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଜଗିଙ୍କ ମାଲିକାନାରେ ଚାଲିଥିବା ଟିଭି ଚ୍ୟାନେଲ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ। ଏନେଇ ଜଗିଙ୍କୁ ବିଧାନସଭା ସ୍ୱାଧିକାର କମିଟି ପକ୍ଷରୁ ହାଜର ହେବା ପାଇଁ ନୋଟିସ ଦିଆଯାଇଥିଲା। ଜାନୁଆରି ୨୮ରେ ସ୍ୱାଧିକାର କମିଟି ଆଗରେ ହାଜର ହେଇଥିଲେ ଜଗି।

ଅନ୍ୟପଟେ କେଭିଙ୍କ ସ୍ୱାଧିକାର କମିଟିରୁ ଇସ୍ତଫାକୁ ସମର୍ଥନ କରିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି। ସମୀର କହିଛନ୍ତି ଯେ, “ରାଜ୍ୟ ସରକାର ଗଣମାଧ୍ୟମକୁ ନାଲିଆଖି ଦେଖାଉଛନ୍ତି। ସରକାର ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି।”

Comment