ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଯୋଗେଶଙ୍କୁ ନେଇ ସୁନ୍ଦରଗଡ଼ ବିଜେଡିରେ ଛକାପଞ୍ଝା।

ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ କଂଗ୍ରେସ ଛାଡ଼ି ବିଧିବଦ୍ଧ ଭାବରେ ବୁଧବାର ଦିନ ବିଜେଡିରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି। ବିଜେଡିରେ ତାଙ୍କର ଯୋଗଦାନ ନିଶ୍ଚିତ ହୋଇଥିବା ବେଳେ ଏ ନେଇ ସୁନ୍ଦରଗଡ଼ ବିଜେଡିରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି।

କଂଗ୍ରେସରୁ ଆସି ବିଜେଡିରେ ମିଶିବା ଓ ବିଧାନସଭା ନିର୍ବାଚନ ପାଇଁ ଟିକେଟ ହାତେଇବା ଘଟଣା ସ୍ଥାନୀୟ ବିଜେଡି ନେତାମାନଙ୍କର ହଜମ ହେଉନାହିଁ। ଗତ ସପ୍ତାହରେ ସୁନ୍ଦରଗଡ଼ ପାଇଁ ନିଯୁକ୍ତ ଦୁଇ ଜଣ ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନନ୍ଦ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ଦଳର ସ୍ଥାନୀୟ ନେତା ଓ କର୍ମୀମାନଙ୍କୁ ବୁଝିବା ପାଇଁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ।

ବିଶେଷକରି ବିଜେଡି ନେତା ଓ ୨୦୧୪ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କୁସୁମ ଟେଟେଙ୍କ ସମର୍ଥକମାନେ ଯୋଗେଶ ସିଂହଙ୍କ ଯୋଗଦାନକୁ ବିରୋଧ କରିଛନ୍ତି।

ଟେଟେଙ୍କ ସମର୍ଥକମାନଙ୍କ ଯୁକ୍ତି ହେଉଛି ଯେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀରେ ସେ ବହୁ କାମ କରିଛନ୍ତି ଓ ଦଳକୁ ଜିତାଇବା ପାଇଁ ବିଗତ ପାଞ୍ଚ ବର୍ଷ ଭିତରେ ଅକ୍ଳାନ୍ତ ଉଦ୍ୟମ କରିଛନ୍ତି। ଏଣୁ ଏହି ନିର୍ବାଚନମଣ୍ଡଳୀରୁ ତାଙ୍କୁ ହିଁ ପ୍ରାର୍ଥୀ କରାଯିବା ଦରକାର। ଯଦି ଯୋଗେଶଙ୍କୁ ଟିକେଟ୍ ଦିଆଯାଏ ତଲସରା ଆସନରୁ ସେ ଲଢ଼ିବା ଉଚିତ ବୋଲି ଟେଟେଙ୍କ ସମର୍ଥକଙ୍କ ମତ।

ବିଜେଡିର ଭିତିରି ଖବର ଅନୁସାରେ ଗତଥର ଯୋଗେଶଙ୍କଠାରୁ ହାରିଯାଇଥିବା କୁସୁମ ଦଳକୁ ଜିତିବା ଅବସ୍ଥାରେ ଆଣି ପହଞ୍ଚାଇଥିବା କଥା ସତ। ଏଣୁ ତାଙ୍କୁ ଟିକେଟ ଦିଆନଯିବା ଠିକ୍ ନୁହେଁ। ତା’ ଛଡ଼ା କଂଗ୍ରେସ ଦଳ ଯୋଗେଶଙ୍କୁ ନିଲମ୍ବିତ କରିବା ଘଟଣାରେ ତାଙ୍କର ଭାବମୂର୍ତ୍ତି ଅନେକଟା ନଷ୍ଟ ହୋଇଛି। ଆହୁରି ମଧ୍ୟ ୨୦୦୯ ପରଠାରୁ ଲଗାତର ଦୁଇ ଥର ବିଧାୟକ ହୋଇଥିବାରୁ ତାଙ୍କ ବିରୋଧରେ ଆଣ୍ଟି ଇନ୍‌କମ୍ବେନ୍ସି କାମ କରିବା ସୁନିଶ୍ଚିତ।

ଅବଶ୍ୟ, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ଜିତେନ୍ଦ୍ରେ ଦାସ କହିଛନ୍ତି ଯେ ସୁନ୍ଦରଗଡ଼ ଆସନରୁ କିଏ ପ୍ରାର୍ଥୀ ହେବେ ସେ କଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି କରିବେ। ତେବେ କୁସୁମଙ୍କର ଜିତିବା ସମ୍ଭାବନା ଥିବାରୁ ତାଙ୍କୁ ଟିକେଟ ଦିଆଗଲେ ଦଳ ଅସୁବିଧାରେ ପଡ଼ିବ ନାହିଁ।

ଏହି ପରିସ୍ଥିତିରେ କିନ୍ତୁ ବିଜେଡିରୁ ଟିକେଟ ପାଇ ଯୋଗେଶ ସିଂହ ନିର୍ବାଚିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରଥମତଃ ସେ ଜଣେ ଭୂୟାଁ ନେତା ଓ ଏହି ନିର୍ବାଚନ ମଣ୍ଡଳୀରେ ଅନେକ ଭୋଟର ହେଉଛନ୍ତି ଭୂୟାଁ ସମ୍ପ୍ରଦାୟର। ଦ୍ୱିତୀୟରେ ଯୋଗେଶଙ୍କର ନିଜର ଭୋଟବ୍ୟାଙ୍କ ରହିଛି। ତୃତୀୟ ଏହି ନିର୍ବାଚନମଣ୍ଡଳୀରେ ଜାତି ଆନୁଗତ୍ୟ ବେଶ୍ କାମ କରିଆସିଛି।

୨୦୧୪ ନିର୍ବାଚନରେ ସିଂହ ୬୬,୧୩୮ ଭୋଟ୍ ପାଇଥିବା ବେଳେ କୁସୁମଙ୍କୁ ମାତ୍ର ୧୨,୫୮୪ ଭୋଟ୍ ମିଳିଥିଲା। ସେହିଭଳି ୨୦୦୯ ନିର୍ବାଚନରେ ବିଜେଡିର ସୁନିଲ୍ ସିଂହଦେଓଙ୍କୁ ଯୋଗେଶ ପ୍ରାୟ ୨୧,୦୦୦ ଭୋଟ୍‌ରେ ହରାଇଥିଲେ।

ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ଯଦି ବି କୁସୁମଙ୍କ ସମର୍ଥକମାନେ ଶେଷ ମୁହୂର୍ତ୍ତରେ ଯୋଗେଶଙ୍କୁ ଅଟକାଇବାରେ ସଫଳ ହୁଅନ୍ତି ତେବେ ପୂର୍ବତନ ବିଧାୟକଙ୍କୁ ବିଜେପି ଆନନ୍ଦରେ ଗ୍ରହଣ କରିବ। ଏହାର କାରଣ ହେଉଛି ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ବିଜେପିର ସ୍ଥିତି ଆଗରୁ ଭଲ ଥିଲା। କିନ୍ତୁ ଏବେ ଦଳର ଜଣେ ନିର୍ଭରଯୋଗ୍ୟ ପ୍ରାର୍ଥୀ ନାହାନ୍ତି। ତେବେ ଯୋଗେଶ ସିଂହ ବିଜେପିକୁ ଆସିବାରେ ଅନେକ ଅସୁବିଧା ବି ଅଛି।

ଜଣେ ସ୍ଥାନୀୟ ବିଜେପି ନେତା ଗତ ଜାନୁଆରିରେ ଯୋଗେଶଙ୍କ ଜାତିକୁ ନେଇ ହାଇକୋର୍ଟରେ ଏକ ମୋକଦ୍ଦମା ରୁଜୁ କରିଥିଲେ। ଏହି ମାମଲାଟି ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି ଓ ଆସନ୍ତା ଏପ୍ରିଲ୍ ମାସରେ ଏହାର ରାୟ ପ୍ରକାଶ ପାଇବ।

Comment