ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପି ପାର୍ଟି ଅଫିସରେ ‘ଭାରତ କେ ମନକି ବାତ, ମୋଦି କା ସାଥ’ ଭ୍ରାମ୍ୟମାଣ ଗାଡ଼ିର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ଏହି ଗାଡ଼ି ୧୪୭ ବିଧାନସଭା ଓ ୨୧ ଲୋକସଭା କ୍ଷେତ୍ରକୁ ଯିବ ଏବଂ ଲୋକଙ୍କ ମତାମତ ସଂଗ୍ରହ କରିବ। ଲୋକମାନେ ସେମାନଙ୍କ ମତାମତ ଗାଡ଼ି ପାଖରେ ଆସି ଭିଡିଓ ମାଧ୍ୟମରେ ଦେଇପାରିବେ। ୱେବସାଇଟ www.bharatkemannkibaat.com ଏବଂ ଟୋଲ ଫ୍ରି ମୋବାଇଲ ନମ୍ବର ୬୩୫୭୧-୭୧୭୧୭ରେ ମିସଡ୍ କଲ ଦେଇ ଲୋକମାନେ ସେମାନଙ୍କର ମତାମତ ଦେଇପାରିବେ।

ଏହି ଅବସରରେ ନୀତିନ ଗଡକରୀ କହିଥିଲେ, “୨୦୧୯ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏମିତି ଏକ ସଙ୍କଳ୍ପ ପତ୍ର ଆଣିବା ପାଇଁ ଚାହୁଁଛି ଯାହା ଦେଶବାସୀଙ୍କର ମନର କଥା କହୁଥିବ। ‘ଭାରତ କେ ମନ କି ବାତ, ମୋଦି କା ସାଥ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ଜନତାଙ୍କଠାରୁ ସେମାନଙ୍କ ମନ ଭିତରର ଆଶା ଆଉ ଉପଦେଶକୁ ସଂଗ୍ରହ କରାଯାଇ ଆଗାମୀ ନିର୍ବାଚନର ସଙ୍କଳ୍ପ ପତ୍ରରେ ସ୍ଥାନ ଦିଆଯିବ।”

ଗଡକରୀ ଆହୁରି କହିଛନ୍ତି ଯେ ସ୍ୱାଧିନତାର ୭୨ ବର୍ଷ ଭିତରେ ଶାସନଭାର କଂଗ୍ରେସ ହାତରେ ଥିଲା। କଂଗ୍ରେସ ଶାସନ କହିଲେ ଲୋକଙ୍କ ମନରେ ଦୁର୍ନିତି ଭ୍ରଷ୍ଟାଚାର କଥା ଆଜିବି ଆସୁଛି। ଦେଶରେ ସ୍କାମ ପରେ ସ୍କାମ କରି କଂଗ୍ରେସ ଦଳ ଦେଶର ବିକାଶକୁ ବାଧା ପହଞ୍ଚାଉଥିଲା। ଗରିବୀ ହଟାଓର ନାରା ଦେଇ କଂଗ୍ରେସ ଦଳ ଗରିବ ଲୋକମାନଙ୍କୁ ଶୋଷଣ କରୁଥିଲା। ହେଲେ ମୋଦି ସରକାର ଶାସନକୁ ଆସିଲାପରେ ଲୋକଙ୍କୁ ଦୁର୍ନୀତିମୁକ୍ତ ଶାସନର ସୁଫଳ ମିଳିଛି।

ଗଡକରୀ କହିଥିଲେ, “ବିଜେପି ସରକାର ଆସିବା ପୁର୍ବରୁ ଦେଶର ୧୮ ପ୍ରତିଶତ ଲୋକଙ୍କ ଘରେ ବିଜୁଳି ନଥିଲା। ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ଏବେ ପ୍ରତି ଘରେ ବିଜୁଳି ପହଞ୍ଚି ପାରିଛି। ଦେଶରେ ୨୦୧୪ ମସିହା ବେଳେ ମାତ୍ର ୩ କୋଟି ଲୋକଙ୍କ ପାଖରେ ବ୍ୟାଙ୍କ ଖାତା ଥିଲା। ହେଲେ ମାତ୍ର ୫ ବର୍ଷର ଶାସନରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଆଜି ୩୪କୋଟି ଲୋକଙ୍କ ପାଖେ ବ୍ୟାଙ୍କିଙ୍ଗ ସୁବିଧାର ଲାଭ ପହଞ୍ଚିଛି।”

ସେହିପରି ଭିତିଭୂମି ନିର୍ମାଣ କ୍ଷେତ୍ରରେ ମଧ୍ୟ ଭାରତ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଗରୁ ୟୁପିଏ ସରକାର ସମୟରେ ଦିନକୁ ହାରାହାରି ମାତ୍ର ୨ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇପାରୁଥିଲା। ହେଲେ ଏବେ ଏନଡିଏ ସରକାର ସମୟରେ ଦିନକୁ ୨୮ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇପାରୁଛି। ଆଗକୁ ଏହା ୪୦ କିଲୋମିଟରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଗଡକରୀ କହିଥିଲେ।

Comment