ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶେଷ ହେଲା ପଞ୍ଚଦଶ ବିଧାନସଭା
  • ୪ ତାରିଖରୁ ଆରମ୍ଭ ହୋଇଥିଲା ଅଧିବେଶନ
  • ୭ରେ ଆଗତ ହୋଇଥିଲା କାମଚଳା ବଜେଟ୍
  • ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
  • ଶେଷ ଦିନରେ ନିଯୁକ୍ତି ତାତି
  • ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡି

ଦୁଇ ଦିନ କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି ପଞ୍ଚଦଶ ବିଧାନସଭା। ଗତ ୪ ତାରିଖରୁ ଆରମ୍ଭ ହୋଇଥିଲା ଏହି ଅଧିବେଶନ। ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିର ସରକାରର ଏହା ଥିଲା ଶେଷ ଅଧିବେଶନ।

୪ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ୭ ତାରିଖରେ ବଜେଟ୍ ଆଗତ କରିଥିଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଆସନ୍ତା ଚାରି ମାସ ପାଇଁ କାମଚଳା ବଜେଟ୍ ଆଗତ କରିଥିଲେ ଅର୍ଥମନ୍ତ୍ରୀ।

ତେବେ ଗତ ଚାରି ଦିନ ଧରି ବିରୋଧୀ ଦଳ ସଭ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ଅଚଳ କରିଥିଲେ। ଆଜି ଶେଷ ଦିନରେ କିନ୍ତୁ ଶାସକ ବିଜେଡି ସଭ୍ୟମାନେ ଗୃହରେ ହଙ୍ଗାମା କରିଥିଲେ। ନିଯୁକ୍ତିକୁ ପ୍ରସଙ୍ଗ କରି ବିଜେଡି ସଭ୍ୟମାନେ ଗୃହରେ ହୋ-ହଲ୍ଲା କରିଥିଲେ।

ପରେ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ। ପଞ୍ଚଦଶ ବିଧାନସଭାରେ ସମସ୍ତ ସଭ୍ୟ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ଶାସକ ଦଳର ସଭ୍ୟମାନେ ଗୃହ ଆରମ୍ଭ ହେବା ମାତ୍ରେ ନିଜ ନିଜ ଆସନରେ ଛିଡ଼ା ହୋଇ ନିଯୁକ୍ତି ପ୍ରସଙ୍ଗକୁ କେନ୍ଦ୍ର କରି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ।

ବିଧାନସଭା ଚାଲି ନପାରିବାରୁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ଶେଷରେ ବିଜେଡି ବିଧାୟକମାନେ ବିଧାନସଭାରୁ ଶୋଭାଯାତ୍ରାରେ ରାଜଭବନ ପର୍ଯ୍ୟନ୍ତ ଯାଇଥିଲେ। କେନ୍ଦ୍ର ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରୁ ନଥିବା ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲେ।

“ମୋଦି ସରକାର ଶାସନକୁ ଆସିବା ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଯେ ବର୍ଷକୁ ୨ କୋଟି ନିଯୁକ୍ତି ଦେବେ। କିନ୍ତୁ ସେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିପାରି ନାହାନ୍ତି। ଓଡ଼ିଶା ସମେତ ଦେଶର ଯୁବକମାନଙ୍କୁ ମୋଦି ସରକାର ପ୍ରତାରିତ କରିଛନ୍ତି”, କହିଛନ୍ତି ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ନିଯୁକ୍ତିକୁ ନେଇ ବିଜେଡି ରାଜନୀତି କରୁଛି। ୧୯ ବର୍ଷ ହେଲା ସେମାନେ ସରକାରରେ ରହିଲେଣି। ଏହି ସମୟ ଭିତରେ ସେମାନେ କେତେ ନିଯୁକ୍ତି ଦେଇଛନ୍ତି?”

କଂଗ୍ରେସ ଉଭୟ ବିଜେଡି ଏବଂ ବିଜେପିକୁ ଟାର୍ଗେଟ କରିଛି। ନିଯୁକ୍ତି ଦେବାରେ ଉଭୟ ଦଳ ପଛରେ ପଡ଼ିଛନ୍ତି। ଉଭୟ ନବୀନ ସରକାର ଏବଂ ମୋଦି ସରକାର ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି। ନିଯୁକ୍ତି ଦେବା ନାଁରେ ଯୁବକମାନଙ୍କୁ ଠକିଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଡକ୍ଟର ପ୍ରଫୁଲ୍ଲ ମାଝି।

Comment