ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନବରଙ୍ଗପୁରର ତିନି ବିଧାନସଭା ଆସନ ପାଇଁ ବିଜେଡି ନୂଆ ମୁହଁ ଖୋଜୁଛି।

ନବରଙ୍ଗପୁର ଜିଲ୍ଲାର ଚାରିଟି ବିଧାନସଭା ଆସନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନଙ୍କ ପକ୍ଷରୁ ଜୋରଦାର ଲବି ଆରମ୍ଭ ହୋଇଯାଇଛି। ଯାହା ଜଣାପଡ଼ୁଛି ୨୦୧୯ ନିର୍ବାଚନରେ କଂଗ୍ରେସ ଏଠାରୁ କୌଣସି ନୂଆ ମୁହଁକୁ ପ୍ରାର୍ଥୀ କରିବ ନାହିଁ। ୨୦୧୪ରେ ଯେଉଁମାନେ ପ୍ରାର୍ଥୀ ହୋଇଥିଲେ ଆପାତତଃ ସେମାନଙ୍କୁ ହିଁ ପୁଣି ଥରେ ଟିକେଟ୍ ଦିଆଯିବ।

ଏହି ପରିସ୍ଥିତିରେ ଚାରି ଜଣ କଂଗ୍ରେସ ପ୍ରାର୍ଥୀଙ୍କ ନାମ ନିଶ୍ଚିତ ବୋଲି ଜଣାପଡ଼ିଛି। ଏମାନେ ହେଲେ ପୂର୍ବତନ ବିଧାୟକ ସଦନ ନାୟକ, ବର୍ତ୍ତମାନର ବିଧାୟକ ଥିବା ଭୂଜବଳ ମାଝି, ଜ୍ୟୋତିନ୍ଦ୍ର ଗଣ୍ଡ ଓ ଉଲାଧାର ମାଝି। ଏହି ଚାରି ଜଣଙ୍କୁ ଯଥାକ୍ରମେ ନବରଙ୍ଗପୁର, ଡାବୁଗାଁ, ଉମରକୋଟ୍‌ ଓ ଝରିଗାଁରୁ କଂଗ୍ରେସ ଦଳ ପ୍ରାର୍ଥୀ ଭାବେ ଠିଆ କରାଇବ।

ଝରିଗାଁକୁ  ଛାଡ଼ିଦେଲେ ଅନ୍ୟ ତିନିଟି ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡିର ବହୁ ଆଶାୟୀ ପ୍ରାର୍ଥୀ ସାମ୍ନାକୁ ଆସିଛନ୍ତି। ଗତ ଥର ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝି ଝରିଗାଁରୁ ନିର୍ବାଚିତ ହୋଇଥିଲେ। ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ଅନ୍ୟ ତିନୋଟି ବିଧାନସଭା କ୍ଷେତ୍ରରେ ବିଜେଡି ଏଥର ନୂଆ ପ୍ରାର୍ଥୀ ଦେଇପାରେ। ଶୁଣାଯାଉଛି ନବରଙ୍ଗପୁର କିମ୍ବା ଉମରକୋଟ୍‌ରୁ ଜଣେ କେହି ମହିଳା ପ୍ରାର୍ଥୀ ହେବେ। ରମେଶ ମାଝିଙ୍କୁ ନବରଙ୍ଗପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି।

ନବରଙ୍ଗପୁରର ବର୍ତ୍ତମାନ ବିଧାୟକ ମନୋହର ରନ୍ଧାରୀ ପ୍ରାୟ ୧୦ ବର୍ଷ ଧରି ଏହି ଆସନରୁ ଜିତି ଆସିଛନ୍ତି। ତେବେ ଶୁଣାଯାଉଛି ରନ୍ଧାରିଙ୍କୁ ଏଥର ଡାବୁଗାଁରୁ ପ୍ରାର୍ଥୀ କରାଯାଇପାରେ। ଯଦି ତାହା ହୁଏ ନବରଙ୍ଗପୁର ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ମଞ୍ଜୁଳା ମାଝିଙ୍କୁ ନବରଙ୍ଗପୁର ଆସନରୁ ଲଢ଼ିବା ପାଇଁ କୁହାଯାଇପାରେ। ମଞ୍ଜୁଳା ବର୍ତ୍ତମାନ ଜିଲ୍ଲାର ଆଦିବାସୀ ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଅଛନ୍ତି। ମଞ୍ଜୁଳାଙ୍କ ବ୍ୟତୀତ ଜିଲ୍ଲା ପରିଷଦ ସଦସ୍ୟ ଥିବା ବିଜେଡିର ଆଉ ଜଣେ ଆଗ ଧାଡ଼ିର ନେତା ବେଦବ୍ୟାସ ଭୋର୍ତ୍ତା ମଧ୍ୟ ନବରଙ୍ଗପୁରରୁ ଲଢ଼ିବା ପାଇଁ ଚାହୁଁଛନ୍ତି।

ଡାବୁଗାଁ ଆସନରେ ବିଜେଡିର ତିନି ଜଣ ପ୍ରାର୍ଥୀ ଟିକେଟ୍ ପାଇଁ ଆଶାୟୀ। ଶାସକ ଦଳର ଗୋଟିଏ ଗୋଷ୍ଠୀ ମୋତିରାମ ନାୟକଙ୍କ ପାଇଁ ଲବି କରୁଥିବା ଜଣାପଡ଼ିଛି। ନାୟକ ହେଉଛନ୍ତି ନବରଙ୍ଗପୁର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ। ତେଣେ ମନ୍ତ୍ରୀ ରମେଶ ମାଝିଙ୍କ ସାନ ଭାଇ ପ୍ରକାଶ ମାଝି ଡାବୁଗାଁ ଆସନରୁ ଲଢ଼ିବା ପାଇଁ ଆଗ୍ରହୀ। ଉମରକୋଟ୍‌ ଆସନରେ ବର୍ତ୍ତମାନ ବିଧାୟକ ଥିବା ସୁବାଷ ଗଣ୍ଡଙ୍କୁ ସାନରାଜ ଗଣ୍ଡ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଏମାନେ ଗଣ୍ଡ ସମ୍ପ୍ରଦାୟର ନେତା। ଆହୁରି ମଧ୍ୟ ସୁବାସ ଗଣ୍ଡଙ୍କ ପତ୍ନୀ ନବୀନା ନାୟକ ମଧ୍ୟ ପ୍ରାର୍ଥୀ ହେବା ପାଇଁ ଚାହୁଁଛନ୍ତି। ଝରିଗାଁ ଆସନରୁ ପ୍ରକାଶ ମାଝି ଟିକେଟ୍ ପାଇବା ପ୍ରାୟ ନିଶ୍ଚିତ ବୋଲି ଆଲୋଚନା ହେଉଛି।

କଂଗ୍ରେସ ଓ ବିଜେଡିକୁ ମାତ୍ ଦେବା ପାଇଁ ଚାହୁଁଥିବା ବିଜେପି କିନ୍ତୁ ପ୍ରାର୍ଥୀ ଚୟନରେ ବହୁତ ପଛରେ ରହିଛି। ନବରଙ୍ଗପୁର ଆସନ ପାଇଁ ବିଜେପିର ତିନି ଜଣଙ୍କ ନାଁ ଶୁଣାଯାଉଛି। ସେମାନେ ହେଲେ ଗୌରୀଶଙ୍କର ମାଝି, ବିରେନ୍ଦ୍ର ପୂଜାରୀ ଓ ଦିବାକର ଭୋର୍ତ୍ତା। ଗୌରୀଶଙ୍କର ନିକଟରେ ପୋଲିସ ଚାକିରି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

ଗତ ନିର୍ବାଚନରେ  ବୀରେନ୍ଦ୍ର ପ୍ରାର୍ଥୀ ହୋଇଥିଲେ ହେଁ ନିର୍ବାଚନରେ ହାରିଯାଇଥିଲେ। ଅନ୍ୟ ଏକ ଖବର ଅନୁସାରେ ଉମରକୋଟ୍ ଆସନ ପାଇଁ ବିଜେପି ନିତ୍ୟାନନ୍ଦ ଗଣ୍ଡଙ୍କୁ ପ୍ରାର୍ଥୀ କରିବ ବୋଲି ନିଷ୍ପତ୍ତି ନେଇଛି। ୨୦୧୪ ବିଧାନସଭା ନିର୍ବାଚନରେ ସେ ଏଠାରୁ ପ୍ରାର୍ଥୀ ହୋଇଥିଲେ। ନବରଙ୍ଗପୁର ଜିଲ୍ଲାର ଚାରିଟି ବିଧାନସଭା କ୍ଷେତ୍ରରୁ କିଏ ପ୍ରାର୍ଥୀ ହେବେ ତାହା ଆଉ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ।

Comment