ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଭର୍ତ୍ତୃହରି ମହତାବ
  • ଭର୍ତ୍ତୃହରିଙ୍କୁ ନେଇ ଗଣିତ କଷୁଛି ବିଜେଡି
  • ୬ ଥରର ସାଂସଦ ଭର୍ତ୍ତୃହରି ମହତାବ
  • କଂଗ୍ରେସକୁ ପ୍ରାର୍ଥୀ ମିଳୁ ନାହାନ୍ତି
  • ପଞ୍ଚାନନ କାନୁନଗୋଙ୍କୁ ନେଇ କଂଗ୍ରେସ କରୁଛି ମନ୍ଥନ
  • ବିଜେପି ଦେବ ନୂଆ ପ୍ରାର୍ଥୀ
  • ପୀତାମ୍ବର ଆଚାର୍ଯ୍ୟଙ୍କୁ ନେଇ ବିଜେପିର ଚର୍ଚ୍ଚା

ଓଡ଼ିଶାର ୨୧ଟି ଲୋକସଭା ଆସନ ଭିତରୁ କଟକ ସିଟ୍‌ଟି ହେଉଛି ରାଜନୀତିକ ଦୃଷ୍ଟିକୋଣରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ କଟକ ପୁରୁଣା ରାଜଧାନୀ ଏବଂ ସାଂସ୍କୃତିକ ଓ ଭାଇଚାରା ସହର ଭାବେ ପ୍ରତିଷ୍ଠା ଅର୍ଜନ କରିଥିବାରୁ ଏହି ଆସନକୁ କବ୍‌ଜା କରିବା ପାଇଁ ବିଜେଡି ଓ କଂଗ୍ରେସ ଭିତରେ ସବୁବେଳେ ଫାଇଟ୍ ଲାଗିଥାଏ।

୨୦୧୯ ନିର୍ବାଚନ ଯେହେତୁ ପାଖେଇ ଆସିଲାଣି ଏବଂ ତିନି ପ୍ରମୁଖ ରାଜନୀତିକ ଦଳ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇ ସାରିଥିବାରୁ କଟକରେ ଏଥର ପାଣିପାଗ କ’ଣ ରହିବ ତାକୁ ନେଇ ଅଙ୍କକଷା ଚାଲିଛି।

ତେବେ କଟକ ଲୋକସଭା ଆସନରେ ତିନି ଦଳରୁ କିଏ ପ୍ରାର୍ଥୀ ହେବେ ସେନେଇ ଅନିଶ୍ଚିତତା ଦେଖାଦେଇଛି।

ବିଜେଡି ଖୋଜୁଛି ନୂଆ ମୁହଁ!

କଟକ ଲୋକସଭା ଆସନ ୭ଟି ନିର୍ବାଚନମଣ୍ଡଳୀକୁ ନେଇ ଗଠିତ। ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର ଏବଂ ଖଣ୍ଡପଡ଼ାକୁ ନେଇ କଟକ ଲୋକସଭା ସିଟ୍ ଗଢ଼ା ହୋଇଛି। ଗତ ୧୯୯୮ରୁ ଏଯାବତ୍ ବିଜେଡିରୁ ଭର୍ତ୍ତୃହରି ମହତାବ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି।

ଭର୍ତ୍ତୃହରି ୨୦୧୪ରେ ୫ ଲକ୍ଷ ୨୬ ହଜାର ୮୫ ଖଣ୍ଡ ଭୋଟ ପାଇ କଂଗ୍ରେସର ଅପରାଜିତା ମହାନ୍ତିଙ୍କୁ ପରାଜିତ କରିଥିଲେ। ହେଲେ ୨୦୧୯ ନିର୍ବାଚନରେ ଭର୍ତ୍ତୃହରି ବିଜେଡି ଟିକେଟ ପାଇବେ କି ନାହିଁ ତାକୁ ନେଇ ସସ୍‌ପେନ୍ସ ବଢ଼ିଛି।

ଭର୍ତ୍ତୃହରି ୬ ଥର ସାଂସଦ ଭାବେ ନିର୍ବାଚିତ ହେବା ପଛର କାରଣ ହେଉଛି ବିଜେଡି ଟିକେଟ ଏବଂ ଏହାର ସଭାପତି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା। ଏହାଛଡ଼ା କଟକ ଲୋକସଭା ଆସନ ପାଇଁ ସେମିତି କେହି ଆଶାୟୀ ନଥିବାରୁ ଭର୍ତ୍ତୃହରି ବିଜେଡିରୁ ବାଜିମାତ୍ କରି ଆସୁଛନ୍ତି। ୭ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକମାନଙ୍କ ସହ ଉତ୍ତମ ସମ୍ପର୍କ ହେଉଛି ଭର୍ତ୍ତୃହରିଙ୍କ ପାଇଁ ପ୍ଲସ୍ ପଏଣ୍ଟ। ହେଲେ ୨୦୧୯ ନିର୍ବାଚନରେ ଏହି ରଣନୀତି କାମ ଦେଇ ନପାରେ ବୋଲି କୁହାଯାଉଛି।

ବିଗତ ଦିନରେ ଭର୍ତ୍ତୃହରି ବିଭିନ୍ନ କାରଣକୁ ନେଇ ବିବାଦରେ ରହିଛନ୍ତି। ବିଜେଡି-କଂଗ୍ରେସର ମେଣ୍ଟ କିଛି ଅସମ୍ଭବ ନୁହେଁ, ନିଜ ସମ୍ପାଦିକ ଖବରକାଗଜ ‘ପ୍ରଜାତନ୍ତ୍ର’ରେ ରାଜ୍ୟ ସରକାରଙ୍କୁ ଖୋଲାଖୋଲି ସମାଲୋଚନା ଆଦି ଘଟଣାକୁ ଦେଖିଲେ ଜଣାପଡ଼ୁଛି ବିଜେଡି ଗୁଡ୍‌ବୁକ୍‌ରେ ଭର୍ତ୍ତୃହରି ଆଉ ନାହାନ୍ତି। କିନ୍ତୁ ଭର୍ତ୍ତୃହରି ଯେ ଜଣେ ଜ୍ଞାନୀ ଗୁଣୀ ବ୍ୟକ୍ତି ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ।

ଅନୁଭବ ମହାନ୍ତି

ଲୋକସଭାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାରେ ଭାଗ ନେବା ଏବଂ ଓଡ଼ିଶାର ସ୍ୱରକୁ ଦିଲ୍ଲୀ ଦରବାରରେ ଉଠାଇ ଭର୍ତ୍ତୃହରି ଚର୍ଚ୍ଚାରେ ରହିଛନ୍ତି।

ଦିଲ୍ଲୀ ଦରବାରରେ ଭର୍ତ୍ତୃହରିଙ୍କ ସ୍ୱର ଶାଣିତ ଥିବା ବେଳେ ତୃରମୂଳ ସ୍ତରରେ କିନ୍ତୁ ତାଙ୍କର ସ୍ୱର ନରମ ରହିଛି। କଟକ ଲୋକସଭା ନିର୍ବାଚନମଣ୍ଡଳୀରେ ତାଙ୍କର ଲୋକସମ୍ପର୍କ ନାହିଁ କହିଲେ ଚଳେ।

୨୦୧୯ ନିର୍ବାଚନରେ ଭର୍ତ୍ତୃହରିଙ୍କ ଜାଗାରେ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଭର୍ତ୍ତୃହରିଙ୍କ ସମର୍ଥକ ଆଶାବାଦୀ ଯେ ପୁଣିଥରେ କଟକରୁ ବାବୁ ଟିକେଟ ପାଇବେ। ତେବେ ଭର୍ତ୍ତୃହରିଙ୍କ ଉପରେ ବିଜେଡି ସୁପ୍ରିମୋ ସୁଦୃଷ୍ଟି ପକାଉଛନ୍ତି ନା ନାହିଁ ତାହା ଅପେକ୍ଷା କରି ଦେଖିବାର କଥା।

ଅପରାଜିତା ମହାନ୍ତି (ଫାଇଲ୍ ଫଟୋ)

କଂଗ୍ରେସର ପ୍ରାର୍ଥୀ ନାହାନ୍ତି

କଟକ ଲୋକସଭା ଆସନ ଥିଲା କଂଗ୍ରେସର ଗଡ଼। ହରେକୃଷ୍ଣ ମହତାବ, ଜାନକୀବଲ୍ଲଭ ପଟ୍ଟନାୟକ, ଜୟନ୍ତୀ ପଟ୍ଟନାୟକ ଏବଂ ଅନାଦି ସାହୁଙ୍କ ଭଳି ହେବିୱେଟ ନେତା ଅତୀତରେ ଏହି ଆସରୁ କଂଗ୍ରେସ ଦଳରୁ ପ୍ରତିନିଧିତ୍ୱ କରିଥିଲେ। କିନ୍ତୁ ବିଜେଡି ଗଠନ ହେବା ପରେ କଂଗ୍ରେସର ଗଡ଼ ଏଠି ଭାଙ୍ଗି ଯାଇଛି।

ବିଜେଡିକୁ ଟକ୍କର ଦେବା ପାଇଁ କଂଗ୍ରେସ ଏଠି ବାରମ୍ବାର ପ୍ରାର୍ଥୀ ବଦଳାଉଥିଲେ ମଧ୍ୟ କିଛି ଲାଭ ମିଳୁନି। ୨୦୧୪ ନିର୍ବାଚନରେ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ କଂଗ୍ରେସ ଟିକେଟ ଦେଇଥିଲା। ଆଶା ଥିଲା କି ଅପରାଜିତା ଆଗାଧାଡ଼ିର ଅଭିନେତ୍ରୀ ହୋଇଥିବାରୁ ସେ ବିଜେଡିକୁ ଟକ୍କର ଦେବେ। କିନ୍ତୁ ଅପରାଜିତାଙ୍କୁ ମାତ୍ର ୨ ଲକ୍ଷ ୧୯ ହଜାର ୩୨୩ ଭୋଟରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା।

ପଞ୍ଚାନନ କାନୁନଗୋ

ଏହି ନିର୍ବାଚନ ପରେ ଆଉ ଅପରାଜିତାଙ୍କୁ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିନି। ଅପରାଜିତା ଏବେ ହାତ ଛାଡ଼ି ପଦ୍ମ ପୋଖରୀକୁ ଡେଇଁଛନ୍ତି। ଏଣୁ କଂଗ୍ରେସ ୨୦୧୯ରେ କାହାକୁ ପ୍ରାର୍ଥୀ କରିବ ସେନେଇ ଚିନ୍ତାରେ ପଡ଼ିଛି।

କୁହାଯାଉଛି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଏବେ କଂଗ୍ରେସରେ ସାମିଲ ହୋଇଛନ୍ତି। ପଞ୍ଚାନନଙ୍କର କଟକ ଜିଲ୍ଲାରେ ଭଲ ପ୍ରଭାବ ମଧ୍ୟ ରହିଛି। ଏଣୁ ପଞ୍ଚାନନଙ୍କୁ କଂଗ୍ରେସ କଟକ ଲୋକସଭା ଆସନରୁ ଟିକେଟ ଦେଇପାରେ।

ସମୀର ଦେ

ବିଜେପି ଅଡ଼ୁଆରେ

ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ବିଜେପି ୨୦୧୯ ନିର୍ବାଚନ ଲଢ଼ିବାକୁ ରଣନୀତି ପ୍ରସ୍ତୁତ କରୁଛି। ହେଲେ କଟକ ଲୋକସଭା ଆସନରୁ ବିଜେପି କାହାକୁ ପ୍ରାର୍ଥୀ କରିବ ସେନେଇ କୌଣସି ନିଷ୍ପତ୍ତି ନେଇପାରୁ ନାହିଁ।

୨୦୧୪ ନିର୍ବାଚନରେ ସମୀର ଦେଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରିଥିଲା। ସମୀର ମାତ୍ର ୧ ଲକ୍ଷ ୪୬ ହଜାର ୯୩ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। କଟକରୁ ବିଜେପି ଟିକେଟରେ ସମୀର ଦୁଇ ଦୁଇ ଥର ନିର୍ବାଚନ ଜିତିଥିଲେ ବି ଲୋକସଭା ଆସନରେ ପରାଜିତ ହୋଇଥିଲେ। ଏହାର ବଡ଼ କାରଣ ହେଉଛି କଟକରେ ବିଜେପିର ସ୍ଥିତି ସୁଦୃଢ଼ ନଥିଲା। କିନ୍ତୁ ୨୦୧୯ ପୂର୍ବରୁ କଟକରେ ସଙ୍ଗଠନ ସଜାଡ଼ିଛି ବିଜେପି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଗସ୍ତ ପରେ କଟକରେ ବିଜେପିର ସ୍ଥିତି ସୁଦୃଢ଼ ହୋଇଛି। ହେଲେ ସମୀର ଦେ ଏଥର ପ୍ରାର୍ଥୀ ହେବେ କି ନାହିଁ ତାକୁ ନେଇ ଭାଳେଣି ପଡ଼ିଛି।

ପୀତାମ୍ବର ଆଚାର୍ଯ୍ୟ

କାରଣ ବିଜେପି ଏଠାରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବ ବୋଲି ଅଙ୍କ କଷୁଛି। ଏହି ରେସ୍‌ରେ ଆଗରେ ଅଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ। ଜଣେ ବରିଷ୍ଠ ଆଇନଜୀବୀ ଭାବେ ନାଁ କମାଇଥିବା ପୀତାମ୍ବର ବିଜେପିରେ ସାମିଲ ହେବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଆଗରେ ରହୁଛନ୍ତି। ଏଣୁ ସେ କଟକରୁ ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି।

Comment