ଗୀତା ଦାସ

ଗୀତା ଦାସ ଜଣେ ପରିଚିତ ମନସ୍ତତ୍ତ୍ୱବିତ୍‌ ଓ ଲେଖିକା। ‘ତନ୍ତ୍ର ପଥ’ ପୁସ୍ତକ ମାଧ୍ୟମରେ ସେ ଅଲୌକିକ ମନେ ହେଉଥିବା ତନ୍ତ୍ର ଜ୍ଞାନକୁ ସରଳ ଭାବରେ ବର୍ଣ୍ଣନା କରିଛନ୍ତି। କୋଣାର୍କ ଭଳି ମନ୍ଦିର ଗାତ୍ରରେ ଖୋଦିତ କାମକଳା ଭାସ୍କର୍ଯ୍ୟ ପଛର ରହସ୍ୟ ସମ୍ପର୍କରେ ଏଠାରେ ଲେଖିକା ତାଙ୍କର ପ୍ରାଞ୍ଜଳ ମତ ରଖିଛନ୍ତି।

କୋଣାର୍କର ବିଖ୍ୟାତ ସୂର୍ଯ୍ୟ ମନ୍ଦିର ଦେଖିବାକୁ ବହୁ ପର୍ଯ୍ୟଟକ, ପରିବ୍ରାଜକ ଓଡ଼ିଶା ଆସନ୍ତି। ମନ୍ଦିରର ଗାଇଡମାନେ ବିଦେଶୀ ଯାତ୍ରୀଙ୍କ ସାଙ୍ଗରେ ମୂଲ କରନ୍ତି – ସବୁତକ erotic (କାମକଳା) artର ଭାସ୍କର୍ଯ୍ୟ ଦେଖେଇଲେ କେତେକ ପାଉଣା ନେବେ। ପର୍ଯ୍ୟଟକମାନେ କୌତୁହଳୀ ହୁଅନ୍ତି, ଆଶ୍ଚର୍ଯ୍ୟ ମଧ୍ୟ ହୁଅନ୍ତି। ମନ୍ଦିରକୁ ଲୋକେ ଆସନ୍ତି ଦେବ ଦର୍ଶନ ପାଇଁ, ପୂଜା ଉପାସନା କରିବା ପାଇଁ। ମନ୍ଦିର ମଣିଷର ମନକୁ ଊର୍ଦ୍ଧ୍ୱମୁଖୀ କରିବ ମନରେ ଉଚ୍ଚାଙ୍ଗ ଭାବ ଓ ଭାବନାର ଉଦ୍ରେକ କରିବ। ସେଠି କାହିଁକି ‘ମୈଥୁନ କଳା’ର ଭାସ୍କର୍ଯ୍ୟ ସ୍ଥାପନା ହେଇଛି? ଏ ପ୍ରଶ୍ନର ଉତ୍ତର ନେଇ ବିଭିନ୍ନ ମତ ରହିଛି।

ପୂଜକମାନେ କୁହନ୍ତି ମନ୍ଦିର ସୁରକ୍ଷା ପାଇଁ ବିଶେଷରେ ବଜ୍ରପାତ, ଭୂମିକମ୍ପ ପରି ପ୍ରକୃତିର ଧ୍ବଂସଲୀଳାରୁ ରକ୍ଷା ପାଇବା ପାଇଁ ଓ ପ୍ରକୃତିର ଅଲୌକିକ ଶକ୍ତିକୁ ବଶୀଭୂତ କରିବା ପାଇଁ ଏସବୁ ମୂର୍ତ୍ତି ରହିଛି।

ଭାସ୍କର୍ଯ୍ୟ କଳାର ଗୁଣଗ୍ରାହୀ ରସିକମାନେ ଏପରି ଭାସ୍କର୍ଯ୍ୟ ଦେଖି କଳାରେ ଜୀବନର ଲୀଳା- ବୈଚିତ୍ର, ପରସ୍ପର- ବିରୋଧୀ ଭାବ, ଜୀବନର ବହୁମୁଖୀ ଗତିର ଚଳମାନ ଛନ୍ଦର ରୂପ ମାଧୁର୍ଯ୍ୟ ଦେଖି ବିଭୋର ହୁଅନ୍ତି।

ଆମ ରକ୍ଷଣଶୀଳ ସମାଜର ସାଧାରଣ ଲୋକେ ଏସବୁ ଅଶାଳୀନ ମୂର୍ତ୍ତି ଦେଖି ଲାଜରା ହୁଅନ୍ତି। ଗୁରୁଜନମାନଙ୍କ ସାଙ୍ଗରେ ଗଲେ ମାଡ଼ି ମାଡ଼ି ପଡ଼େ ଓ ପିଲାଙ୍କୁ କଣ କେମିତି ବୁଝାଇବେ ଭାବି ବାଆଁରେଇ ଦିଅନ୍ତି।

ସମସ୍ତେ କିନ୍ତୁ ଜାଣନ୍ତି ଯେ କୋଣାର୍କର ସୂର୍ଯ୍ୟ ବୈଦିକ ସୂର୍ଯ୍ୟ ନୁହନ୍ତି। କୋଣାର୍କରେ ସେ ତାଙ୍କର ଦୁଇ ଶକ୍ତି ଛାୟା ଓ ମାୟା ସହିତ ପୂଜା ପାଆନ୍ତି। ଶକ୍ତି ସମ୍ମନ୍ୱିତ ହେଇ ସୂର୍ଯ୍ୟଙ୍କର ଯେଉଁ ପୂଜା ବିଧି, ତାହା ହେଲା ତନ୍ତ୍ର ଶାସ୍ତ୍ରର। କୋଣାର୍କ ମନ୍ଦିର ତାନ୍ତ୍ରିକ ମନ୍ଦିର ବୋଲି ସମସ୍ତେ ଜାଣନ୍ତି, ଯଦିଓ ବୈଦିକ ବିଧିରେ ସେଠି ପୂଜା ହେବାରେ କୌଣସି ବାଧାନାହିଁ। ଏଥିଲାଗି ତନ୍ତ୍ରଶାସ୍ତ୍ର ମୈଥୁନ-କଳାକୁ କେଉଁ ଭାବରେ ବିଚାର କରେ, ଜ୍ଞାନ ଦୃଷ୍ଟିରେ କଣ ଅର୍ଥ କରେ ସେ ବିଷୟ କହୁଛି।

ତନ୍ତ୍ର- ଜଗତର ଗୋଟିଏ ବିଖ୍ୟାତ ଗ୍ରନ୍ଥ ହେଲା “କାମକଳା ବିଳାସ”। ସେଥିରେ ସାଂଖ୍ୟ ଦର୍ଶନର କେତେକ ମୂଳ ଧାରଣାର ସରଳ ସୁନ୍ଦର କବିତ୍ୱମୟ ବର୍ଣ୍ଣନା ରହିଛି। ସାଂଖ୍ୟ ଦର୍ଶନ ଅନୁସାରେ ସୃଷ୍ଟିର ଦୁଇ ମୂଳ ତନ୍ତ୍ର ହେଲେ (୧) ପୁରୁଷ ଓ (୨) ପ୍ରକୃତି। ଶକ୍ତିର ସଂଯୋଗରେ ପୁରୁଷ ସୃଷ୍ଟି ଓ ଜଗତର ପାଳନ, ପୋଷଣ ଓ ରକ୍ଷଣ ଇତ୍ୟାଦି ସବୁ କର୍ମ କରିଥାଏ। ଶ୍ରୀ ଚଣ୍ଡୀରେ ମଧୁ ଓ କୈଟଭ ଯେତେବେଳେ ବ୍ରହ୍ମାଙ୍କୁ ଆକ୍ରମଣ କଲେ, ବ୍ରହ୍ମା ଅନନ୍ତଶୟନରେ ନିଦ୍ରିତ ବିଷ୍ଣୁଙ୍କୁ ଜାଗ୍ରତ କରିବାକୁ ଚେଷ୍ଟା କଲେ। ବିଷ୍ଣୁଙ୍କର ନିଦ ଭାଙ୍ଗିଲା ନାହିଁ। ସେ ତେଣୁ ବିଶେଶ୍ୱରୀ ସୂକ୍ତରେ ଆଦ୍ୟାଶକ୍ତିଙ୍କୁ ସ୍ତୁତି କଲେ। ବ୍ରହ୍ମାଙ୍କର ସ୍ତୁତିରେ ସନ୍ତୁଷ୍ଟ ହେଇ ନିଦ୍ରାରୂପୀ ଯୋଗମାୟା ଅପସରିଗଲେ ଓ ବଳରୂପୀ ମହାଶକ୍ତି ବିଷ୍ଣୁଙ୍କର ଶକ୍ତି ଓ ତେଜକୁ ବଳୀୟାନ କଲାରୁ ବିଷ୍ଣୁ ମଧୁ ଓ କୈଟଭଙ୍କୁ ନାଶ କଲେ।

ଏଇ ଧାରଣାର ପୁନରାବୃତ୍ତି ଅନ୍ୟ ପୁରାଣ କାହାଣୀରେ ମଧ୍ୟ ରହିଛି। ରାବଣର ପରାଜୟ ପୂର୍ବରୁ ରାମଚନ୍ଦ୍ର ମହାଶକ୍ତିଙ୍କର ଆରାଧନା କରି ଦେବୀଙ୍କର ଶକ୍ତିରେ ଶକ୍ତିଯୁକ୍ତ ହେଇ ରାବଣକୁ ହରାଇଲେ। ଆମ ଦେଶରେ ହିନ୍ଦୁ ରାଜାମାନଙ୍କୁ ‘ଚଳନ୍ତି ବିଷ୍ଣୁ’ ବୋଲି କୁହାଯାଉଥିଲା। କାରଣ ସେମାନେ ବିଷ୍ଣୁଙ୍କର ରକ୍ଷାଶକ୍ତି ବା ରାଜଶକ୍ତିର ପ୍ରତୀକ। ପୂର୍ବେ ରାଜାଙ୍କର ବାହାଘର ସମୟରେ ସେମାନେ ରାଜକନ୍ୟାଙ୍କ ସହିତ ଯେପରି ଲୌକିକ ପ୍ରଥାରେ ବିବାହ କର୍ମ କରୁଥିଲେ, ସେହିଭଳି ରାଜଶକ୍ତି ବା ରାଜଲକ୍ଷ୍ମୀଙ୍କୁ ପ୍ରତୀକ ବିବାହ-କର୍ମରେ ବାହା ହେଉଥିଲେ। ଏସବୁ ପ୍ରଥା ଓ କାହାଣୀର ମୂଳ କଥା ହେଲା ପୁରୁଷ ତତ୍ତ୍ବ ଓ ପ୍ରକୃତି ତତ୍ତ୍ୱ ବା ଶକ୍ତି ତତ୍ତ୍ୱର ସଂଯୋଗ ନ ହେଲେ ସୃଷ୍ଟି ନିଷ୍କ୍ରିୟ ହେଇ ରହିବ ଓ ଏପରି ସଂଯୋଗ ହେଲେ ନିଷ୍କ୍ରିୟ ସୃଷ୍ଟି ସକ୍ରିୟ ହୋଇ ଅବିରତ କ୍ରିୟାଶୀଳ ହେଇ ପ୍ରସାରିତ ହେବ, ବିକଶିତ ହେବ ଓ ବହୁମୁଖୀ ବୈଚିତ୍ରରେ ସଂସାରକୁ ବିଚିତ୍ର କରିବ।

“କାମକଳା ବିଳାସ”ରେ କେମିତି ନିଷ୍କ୍ରିୟ ପୁରୁଷ ସହିତ ସକ୍ରିୟ ପ୍ରକୃତିର ସଂଯୋଗ ହୁଏ ସେ ବିଷୟ ପ୍ରସଙ୍ଗରେ କୁହାଯାଇଛି ଯେ କାମନାର ଆକର୍ଷଣ ହିଁ ଉଭୟ ସତ୍ତାକୁ ପରସ୍ପର ପ୍ରତି ଆକର୍ଷିତ କରିଥାଏ। ପୁରୁଷ ଓ ପ୍ରକୃତିର ଆକର୍ଷଣ ଶକ୍ତି ସେମାନଙ୍କୁ ସୃଷ୍ଟି ଦିଗରେ ଉନ୍ମୁଖ (orientation) କରେ। ପ୍ରକୃତି ପୁରୁଷର ଏଇ ଦୃଢ଼ ଆଲିଙ୍ଗନବଦ୍ଧ ରୂପକୁ ତନ୍ତ୍ରରେ ‘କାମକଳା’ ବୋଲି ଅଭିହିତ କରାଯାଇଛି।

ଯନ୍ତ୍ରର ରେଖାଚିତ୍ରରେ ଏଭଳି ଉର୍ଦ୍ଧ୍ୱମୁଖୀ ଶକ୍ତି (ଜ୍ଞାନ ବା ଚୈତନ୍ୟ ଶକ୍ତି ବା ପୁରୁଷ ସତ୍ତା)ର ପ୍ରତୀକ ହେଲା ଅଗ୍ନିଶିଖା। ଏଇ ଉର୍ଦ୍ଧ୍ୱମୁଖୀ ଅଗ୍ନି ଶିଖାର ପ୍ରତୀକ ହେଲା ଉର୍ଦ୍ଧ୍ୱମୁଖୀ ତ୍ରିକୋଣ ବା ଶିବ ଶକ୍ତି।

ପ୍ରକୃତିର ପ୍ରତୀକ ହେଲା ଅଧୋମୁଖୀ ତ୍ରିକୋଣ ବା ପ୍ରବାହଶକ୍ତି, ଯାହାକି ସୃଷ୍ଟି ପ୍ରବାହରେ ମହାକାଶକୁ ପ୍ଳାବିତ କରି ବିଶ୍ୱସୃଷ୍ଟି, ଜଗତ ସୃଷ୍ଟି ଓ ଜୀବ ସୃଷ୍ଟି କରିଥାଏ। ଅପ୍ ବା ଜଳ ହେଲା ଏଇ ପ୍ରସାର ଓ ପ୍ରବାହ ଶକ୍ତିର ପ୍ରତୀକ। ସତେ ଯେମିତି ଝରଣାର ଝରଝରରେ ଜଳ ପ୍ରପାତର ତ୍ରିକୋଣ ଆକୃତିରେ ସତ୍ୟ ଦ୍ରଷ୍ଟା ଋଷି ମହାଶକ୍ତିର ସୃଷ୍ଟି ପ୍ରବାହକୁ ପ୍ରତ୍ୟକ୍ଷ କରିଥିବାରୁ ନିମ୍ନମୁଖୀ ତ୍ରିକୋଣକୁ ଶକ୍ତିର ପ୍ରତୀକ ରୂପେ ଚିହ୍ନିତ କଲେ। ଏଇ ଦୁଇ ତ୍ରିକୋଣର ବଦ୍ଧ ଆଲିଙ୍ଗନ ହେଲା ଶିବଶକ୍ତି ବା ପୁରୁଷ ପ୍ରକୃତି ଅଥବା କାମକଳାର ପ୍ରତୀକ। ଗନ୍ଧର୍ଭ ତନ୍ତ୍ରରେ ଉପଦେଶ ରହିଛି  – ଯେ “ପ୍ରଥମେ କାମକଳାରେ ପୂଜା ନ କଲେ ତାନ୍ତ୍ରିକ ସାଧନା ବା ତନ୍ତ୍ର-ମତର ପୂଜା ଉପାସନା ସଫଳ ହେବ ନାହିଁ।“ ଏଇ ଉପଦେଶର ମର୍ମ ହେଲା –କାମନାର ବିକାଶରୁ ଯେ ସୃଷ୍ଟିର ଆରମ୍ଭ ହେଇଛି, ଏଇ ଧାରଣା ବିଷୟରେ ସଚେତନ ହେବା। ଓଡ଼ିଶାର ଅଧିକାଂଶ ପଟଚିତ୍ରରେ ଏଇ ଷଷ୍ଠକୋଣାକୃତି ତାରା ଚିହ୍ନ ଭିତରେ ଜଗନ୍ନାଥଙ୍କର ଚିତ୍ର ବା ଓଁର ଲେଖା ଚିତ୍ର ଅଙ୍କିତ ଥାଏ।

ଅଣାକାର ରୂପ, ଶକ୍ତି ବା ଯନ୍ତ୍ର ରୂପ ଓ ସାକାର ବା ମୂର୍ତ୍ତି ରୂପ ଏଇ ତିନି ରୂପରେ ହିଁ ପୁରୁଷ – ପ୍ରକୃତି ତତ୍ତ୍ବ ରୂପାୟିତ ହେଇଛି। ଏ ବିଷୟରେ ଆମେ ସଚେତନ ନଥିବାରୁ ଆମ ପୂଜା ଉପାସନା ଏକ ଯାନ୍ତ୍ରିକ ଅଭ୍ୟାସରେ ପରିଣତ ହେଇଛି। ଲିଙ୍ଗ ଓ ଯୋନିପୀଠରେ ଶିବ ଶକ୍ତିଙ୍କର ପ୍ରତୀକ ରୂପ ଦେଖିଲାବେଳକୁ ଆମେ ଲାଜରା ହୋଇ ଯାଉଛୁ; ଭାବୁଛୁ, ଯୌନ ସଙ୍ଗମର ଏପରି ନଗ୍ନ ରୂପକୁ ପୂଜା କରିବାର ବିଧି କାହିଁକି ରହିଛି। ପୁଣି ନିଜ ମନର ଏଭଳି ଚିନ୍ତାକୁ ପାପ ଭାବି ଆଉ ଦୁଇ ଥର ଜୁହାର ହେଉଛୁ। ଆମ ପୂର୍ବପୁରୁଷଙ୍କ ମନରେ କିନ୍ତୁ ଅନ୍ୟ ଭାବର ଉଦ୍ରେକ ହେଉଥିଲା। ସେମାନେ ସୃଷ୍ଟିର ରହସ୍ୟମୟ ଶକ୍ତିର ଉନ୍ମୋଚିତ ରୂପ ଦେଖି ନତମସ୍ତକ ହେଉଥିଲେ। ସେମାନେ ସୃଷ୍ଟିର ରହସ୍ୟମୟ ଶକ୍ତିର ଉନ୍ମୋଚିତ ରୂପ ଦେଖି ନତମସ୍ତକ ହେଉଥିଲେ। ଦୈବୀ ଶକ୍ତିର ଅଧିଷ୍ଠାନ ହେତୁ ଏ ରୂପକୁ ପବିତ୍ର ବୋଲି ଭାବୁଥିଲେ। ନିଜର ଅନୁଭୂତି ଓ ଉପଲବ୍ଧକୁ ଶିଳ୍ପରେ ରୂପାୟିତ କରିଲେ ଉତ୍ତର ପୁରୁଷଙ୍କ ପାଇଁ। ‘ମୁଁ ଯାହା ଦେଖିଛି, ମୋ ଦେଖା ମୁଁ ତୁମ ପାଇଁ ସାଇତି ଗଲି। ତୁମେ ମୋତେ ଜାଣିବନି, କି ମୋ ନାଆଁ ତୁମକୁ କେହି କହିବେନି। ମରଣଶୀଳ ମଣିଷ ମୁଁ ହଜିଯିବି। କିନ୍ତୁ ତୁମେ ଯେତେବେଳେ ଏଇ ମନ୍ଦିରରେ ପୂଜା କରିବ, ସେତେବେଳେ ମୃତ୍ୟୁର ପରପାରରୁ ମୋ ସହିତ ତୁମର ସଂଯୋଗ ହେବ। ମୁଁ ଯାହା ଦେଖିଛି ତୁମେ ତାହା ଦେଖିବ। ତୁମ ସହିତ ମୋର ଆତ୍ମାର ସମ୍ପର୍କ ପୁନଃସ୍ଥାପିତ ହେବ, ଆମର ଆତ୍ମୀୟତା ଅମର ହେବ। ମନ୍ଦିରରେ କାମ କଳାର ଯେଉଁ ମିଥୁନ ମୂର୍ତ୍ତି ରହିଛି, ସେ ମୂର୍ତ୍ତି ହେଲା କାମ କଳାର ପାର୍ଥିବ ରୂପ, ବାସ୍ତବ ରୂପ। ଏଇ ମୁଖା ରୂପର ଆଢ଼ୁଆଳରେ ଯେଉଁ ମୁଖଶ୍ରୀ ରହିଛି, ଯେଉଁ ସୂକ୍ଷ୍ମ ତାତ୍ତ୍ବିକ ରୂପ ରହିଛି ସେ ରୂପର ସନ୍ଧାନ କଲେ ତୁମର ଜୀବନ ବିଷୟରେ ପୂର୍ଣ୍ଣ ଦୃଷ୍ଟି ହେବ।‘

ଜୀବନର ପୂର୍ଣ୍ଣ ଦୃଷ୍ଟି ଲାଭ କରିବା ହେଲା ତନ୍ତ୍ରର ଏକ ପ୍ରଧାନ ଲକ୍ଷ୍ୟ। ଦେହରେ, ମନରେ ଓ ଚେତନାରେ ଏଇ ତିନି ସ୍ତରରେ ଅନୁଭୂତିର ସତ୍ୟତା ଊପଲବ୍ଧି ହେଲେ ଯାଇ ପୂର୍ଣ୍ଣଦୃଷ୍ଟିର ବିକାଶ ହୋଇଥାଏ। ଯିଏ କେବଳ ଶରୀର ଲାଳସା ରୂପରେ ଏଇ ଆକର୍ଷଣ ଶକ୍ତିକୁ ଅନୁଭବ କରେ, ସେ ଏହାକୁ ପାଶବିକ ତାଡ଼ନା ବୋଲି ଜାଣେ। ଯିଏ ଦେହ ଓ ମନର ଉଭୟ ସ୍ତରରେ ଏଇ କାମନାକୁ ଉପଭୋଗ କରେ ସେ ଶୃଙ୍ଗାର ରସର ରସଗ୍ରାହୀ ହୋଇ ରସିକ, ଭାବୁକ ଓ କବି ହୋଇଥାଏ ଓ ଯିଏ ରତି ଓ ପ୍ରୀତିର ଚିନ୍ମୟ ରୂପ ବିଷୟରେ ସଚେତନ ହୁଏ, ସେ ଭକ୍ତି ରସରେ ଆପ୍ଳୁତ ହୁଏ। ସେତେବେଳେ ସେ ସାଧକ ହୋଇ ରତି-ପ୍ରୀତି-ଭକ୍ତି ଏଇ ତିନି ଅନୁଭୂତି ଭିତର ଦେଇ ଗତି କରି ‘କାମକଳା’ର ପୂର୍ଣ୍ଣ ରୂପ ଦେଖେ। ସଂସାରର ଘାତ ପ୍ରତିଘାତରେ ଯେଉଁ ପ୍ରାଣ କଠୋର ଓ ନୀରସ ହେଇ ଯାଉଥିଲା, ସେ ପ୍ରାଣ ପୁଣି ପ୍ରୀତିଧାରାରେ ଆର୍ଦ୍ର ଓ ଉଜ୍ଜିବୀତ ହୁଏ। ଓଡ଼ିଶାର ସାହିତ୍ୟ ସଂସ୍କୃତିରେ ଜୟଦେବଙ୍କଠାରୁ ଆରମ୍ଭ କରି କବିସୂର୍ଯ୍ୟ ବଳଦେବ, ଅଭିମନ୍ୟୁ ଓ ଦୀନକୃଷ୍ଣଙ୍କ ଯାଏ ସବୁ କବି ରାଧାକୃଷ୍ଣଙ୍କର ପ୍ରେମଲୀଳା ଲେଖିଛନ୍ତି ମନକୁ ସରସ କୋମଳ କରିବା ପାଇଁ, କଠୋର ହୃଦୟକୁ ତରଳେଇ ସେଠି ନୂତନ ଚେତନାର ବୋଧନ କରିବା ପାଇଁ। ‘କାମ କଳା’ର ଧାରଣା କେବଳ ଓଡ଼ିଶାର ମନ୍ଦିର ଶିଳ୍ପକୁ ସମୃଦ୍ଧ କରିନି, ସାହିତ୍ୟକୁ ମଧ୍ୟ ଏକାଭଳି ପ୍ରାଣବନ୍ତ କରିଛି।

କୋଣାର୍କର ମୈଥୁନ- କଳାରେ ମଣିଷର ଯୌନ କାମନା ସହିତ ମନର ଯେଉଁ ସୁକୁମାର, କୋମଳ, ଲଳିତ ଭାବଗୁଡ଼ିକ ଜଡ଼ିତ ହେଇରହିଥାଏ, ସେଥିରେ ଭାବର ସୌନ୍ଦର୍ଯ୍ୟମୟ ଅଭିବ୍ୟକ୍ତି ରହିଛି। ପ୍ରେମର ରଙ୍ଗଭରା ଉଜ୍ଜ୍ବଳ ଉଚ୍ଛଳତାକୁ ଲାସ୍ୟରେ, ହାସ୍ୟରେ, କଟାକ୍ଷରେ ଶିଳ୍ପୀ ରୂପ ଦେଇଛି। (ଏଠି ଯୌନ-କାମନା ସହିତ ବୀଭତ୍ସତା ବା ହିଂସ୍ର ପୈଶାଚିକତାର ମିଶ୍ରଣ ହେଇନାହିଁ କିମ୍ବା, ଏଥିପ୍ରତି ମନରେ ବିରାଗ ବା ଘୃଣା ଭାବର ଉଦ୍ରେକ ହେଲାପରି କୌଣସି ଚିତ୍ରଣ ନାହିଁ)। ଜୀବନର ଏଇ ସମ୍ଭୋଗମୟ ଉଚ୍ଛ୍ବାସଭରା ରୂପ ହେଲା ତନ୍ତ୍ରର ନିଜସ୍ବ ଦୃଷ୍ଟି।

ଅନ୍ୟାନ୍ୟ ମାର୍ଗର ସାଧନାପରି ତନ୍ତ୍ରରେ ସଂଯମ ଓ ଶୃଙ୍ଖଳାର ପ୍ରାଧାନ୍ୟ ଯଦିଓ ରହିଛି, ତଥାପି ଗୋଟିଏ କ୍ଷେତ୍ରରେ ଅନ୍ୟମାନଙ୍କ ସହିତ ସେମାନଙ୍କର ମତ ପାର୍ଥକ୍ୟ ରହିଛି। ତନ୍ତ୍ର- ସାଧନାରେ ଇନ୍ଦ୍ରିୟାନୁଭୂତିର ପରିପୂର୍ଣ୍ଣତା ହେଲା ମୁଖ୍ୟ। ଇନ୍ଦ୍ରିୟକୁ ବଶୀଭୂତ କରିବା, ଇନ୍ଦ୍ରିୟ ସୁଖକୁ ତ୍ୟାଗ କରିବା ବା ଦମନ କରିବାଟା ହେଲା ଗୌଣ। ସାଧନାର ଶୃଙ୍ଖଳା ପାଇଁ ସଂଯମର ପ୍ରୟୋଜନ। କେବଳ ଇନ୍ଦ୍ରିୟ ଦମନ ପାଇଁ ସଂଯମର ପ୍ରୟୋଜନ ଅଛି ବୋଲି ସେମାନେ ଭାବନ୍ତି ନାହିଁ। କାରଣ ସେମାନେ କୁହନ୍ତି ଜୀବନର ସହଜାତ ପ୍ରବୃତ୍ତିକୁ ତ୍ୟାଗ କରିବା ସହଜ କଥା ନୁହେଁ। ସେ ବାଟରେ ଯେଉଁମାନେ ଯାଉଛନ୍ତି ସେଥିରେ ଅଳ୍ପ ଲୋକ ସଫଳ ହେଉଛନ୍ତି ଓ ବେଶୀ ଲୋକ ବିଫଳ ହେଉଛନ୍ତି। ଏଥିପାଇଁ ନିଜର ସହଜାତ ପ୍ରବୃତ୍ତିକୁ  ଅଗ୍ରାହ୍ୟ ନ କରି ବରଂ ମନର କାମନା ପୂରଣ କରି ସାଧନା ଦ୍ବାରା ଏହାକୁ ରୂପାନ୍ତରିତ କରି ପରିଶୁଦ୍ଧ କଲେ ମଣିଷ ସାର୍ଥକ ହେବ। ଯୌନ କାମନା ରୂପାନ୍ତରିତ ହେଇ ପ୍ରେମ ଓ ଭକ୍ତିରେ ଯେମିତି ପରିଣତ ହୁଏ, ସେଇ ସାଧନା ହେଲା ଆମର ଲକ୍ଷ୍ୟ। କାରଣ ଭକ୍ତିରୁ ହିଁ ଭଗବାନଙ୍କୁ ମିଳେ।

ଅନ୍ୟ ମାର୍ଗରେ ସାଧାରଣ ଉପଦେଶ ହେଲା ‘ତ୍ୟାଗରୁ ବୈରାଗ୍ୟ’। ଏଥିପାଇଁ ବହୁକାଳ ଧରି ଆମ ଦେଶରେ ତ୍ୟାଗ ନା ଭୋଗ, କେଉଁ ବାଟେ ଗଲେ ମଣିଷ ସାର୍ଥକ ହେବ, ଏ କଥା ନେଇ ବିତର୍କ ଚାଲିଛି। ତନ୍ତ୍ର ମତରେ ତ୍ୟାଗ ଓ ଭୋଗ ଭିତରେ ଦ୍ବନ୍ଦ୍ବ ବା ବିରୋଧ ନାହିଁ। ଭୋଗର ଶେଷ ସୀମାରେ ପହଞ୍ଚିଲା ପରେ ମଣିଷ ବାରମ୍ବାର ପଚାରେ – ‘ୟା’ ପରେ ଆଉ କଣ ସୁଖ ଅଛି କି? ତତଃ କିଂ, ତତଃ କିଂ?’ ପାର୍ଥିବ ସୁଖର କ୍ଷଣସ୍ଥାୟିତ୍ବ ଅନୁଭବ କରେ। ଯାହା ସେ ଏକକାଳେ ପ୍ରାଣମନ ଦେଇ ଚାହୁଁଥିଲା, ସେ କଥା ପାଇଗଲା ପରେ ତାର ସେଥିରୁ ଆଗ୍ରହ ଚାଲିଯାଏ। ଅପ୍ରାପ୍ୟ ବସ୍ତୁ ପ୍ରତି ଯେଉଁ ଆକର୍ଷଣ ଥିଲା ତାହା ପ୍ରାପ୍ତ ହେଲା ପରେ ସେଥିରୁ ତାର ମନ ଛାଡ଼ିଯାଏ। ସେ ଆଉ ଗୋଟିଏ ଅପ୍ରାପ୍ତ ବସ୍ତୁ ପାଇଁ ମନ ବଳାଏ। ସେଥିପାଇଁ ଭୋଗର ସ୍ବରୂପ ଉପଲବ୍ଧି କରି ମଣିଷ ମନରେ ତ୍ୟାଗ ଓ ବୈରାଗ୍ୟ ଜନ୍ମେ। ସୁଖ ଲାଳସୀ, ଆନନ୍ଦ ପିପାସୀ, ଭୋଗାକାଙ୍‌କ୍ଷୀ ମଣିଷର ସଂସାର- ବୈରାଗ୍ୟର ବହୁ କାହାଣୀ ରହିଛି। ଏଇ ରୂପାନ୍ତର କାହା କ୍ଷେତ୍ରରେ ଜୀବନର ଘାତ- ପ୍ରତିଘାତରେ ଆରମ୍ଭ ହୋଇଥାଏ ଓ ଅନ୍ୟ କାହା କ୍ଷେତ୍ରରେ ସାଧନା ବଳରେ ଦେଇଥାଏ।

ରାଜକୁମାର ସିଦ୍ଧାର୍ଥ ଶାସ୍ତ୍ରଜ୍ଞାନ ଯୋଗୁଁ ବା ଗୁରୁ ଉପଦେଶ ଶୁଣି ସଂସାର ଛାଡ଼ି ନ ଥିଲେ, କିମ୍ବା ପରିଣତ ବୟସରେ ଯତିବ୍ରତ ଗ୍ରହଣ କରିବାର ପରମ୍ପରା ଅଛି ବୋଲି ସନ୍ନ୍ୟାସୀ ହେଇ ନଥିଲେ। ସେ ନିଜ ଜୀବନର ଅନୁଭୂତିରୁ ସୁଖର ନଶ୍ବରତା ଓ ଆସକ୍ତିର ନାଗପାଶର ବନ୍ଧନ ହୃଦୟଙ୍ଗମ କରି ମୁକ୍ତି କାମନାରେ ସାଂସାର ଛାଡ଼ି ସନ୍ନ୍ୟାସୀ ହେଲେ। ଯାହାର ସମ୍ଭୋଗର ଅନୁଭୂତି ନାହିଁ ସେ ଆଜୀବନ ବ୍ରହ୍ମଚର୍ଯ୍ୟ ଦ୍ବାରା ପୂର୍ଣ୍ଣଦୃଷ୍ଟି ଲାଭ କରି ପାରିବ ନାହିଁ। କାରଣ ଦୁଇ ବିରୋଧୀ ଶକ୍ତିର ସମାହାର ହେଇଥାଏ ପୂର୍ଣ୍ଣତାରେ। ତ୍ୟାଗ ଓ ଭୋଗ, ସନ୍ନ୍ୟାସୀ ଓ ବିଳାସୀ, ପ୍ରଶାନ୍ତି ଓ ଚଞ୍ଚଳତା, ପ୍ରକୃତି ଓ ପୁରୁଷ ଏଇ ପ୍ରତିଟି ବିରୋଧୀ ଭାବ ଅନ୍ୟ ଭାବଟିକୁ ପରିସ୍ଫୁଟ କରେ, ଅର୍ଥବାନ କରେ। ସୀମା ନ ଥିଲେ ଅସୀମର ଧାରଣା କରି ହୁଏ ନାହିଁ, ଯେମିତି ଶେଷ ନଥିଲେ ଅଶେଷକୁ ଜାଣି ହୁଏନାହିଁ, କିମ୍ବା ରୂପ ନଥିଲେ ଅରୂପକୁ ଚିନ୍ତା କରି ହୁଏନାହିଁ। ସୃଷ୍ଟିରେ ବିରୋଧୀ ଭାବର ଦ୍ବୈତ ରୂପର ଲୀଳା। ଆଲୁଅ ଅନ୍ଧାର, ଦିନ ରାତି, ଜନ୍ମ ମୃତ୍ୟୁ, ଆକର୍ଷଣ ବିକର୍ଷଣ, ସମ୍ଭୋଗ ଓ ବୈରାଗ୍ୟ ଗୋଟିଏ ଆରଟିର ପରିପୂରକ। ଜୀବନର ପୂର୍ଣ୍ଣଦୃଷ୍ଟି ଲାଗି ଏଇ ଦୁଇ ବିପରୀତ ଅବସ୍ଥାର ସ୍ବରୂପ ଓ ପରସ୍ପର ସହିତ ସମ୍ପର୍କ କଣ ସେକଥା ଜାଣିବା ଦରକାର। ଗୋଟିଏ ମହାଶକ୍ତିର ବିଭେଦ ହେଇ ପରସ୍ପର ବିରୋଧୀ ଶକ୍ତି ଓ ଅବସ୍ଥାର ସୃଷ୍ଟି ହୋଇଥାନ୍ତି। ଏଥିପାଇଁ ଅଧିକାଂଶ ତାନ୍ତ୍ରିକ ମନ୍ଦିରରେ କାମକଳାର ଚିତ୍ରଣ ସହିତ ଜୀବନର ଘୋର ବା  ଭୟଙ୍କର ରୂପର ଚିତ୍ରଣ ମଧ୍ୟ ଥାଏ। ଏ ରୂପ ସୃଷ୍ଟିର ପ୍ରଳୟ ଓ ଜୀବର ମୃତ୍ୟୁ ବିଷୟରେ ନାଶକତା ମୂଳକ ଧାରଣାର ଉଦ୍ରେକ କରେ। ମଣିଷର ଦୁଇ ମୂଳ ପ୍ରବୃତ୍ତି ହେଲା କାମନାର ତାଡ଼ନା ଓ ମୃତ୍ୟୁ ବା ବିନାଶର ଭୟ। ଭୟ ଓ ମୈଥୁନର ତାଡ଼ନାରେ ତାଡ଼ିତ ହେଇ ମଣିଷ ଜୀବନ ଚକ୍ରରେ ବୁଲୁଥାଏ। ଏଇ ଦୁଇ ତାଡ଼ନାକୁ ଆୟତ୍ତ କରି ପାରିଲେ, ସେମାନଙ୍କର ପ୍ରକୃତ ରୂପ ଓ କ୍ରିୟା କଣ, ସେ କଥା ଜାଣିଲେ ସେ ମୁକ୍ତ ହୁଏ। ଜୀବନର ତାଡ଼ନା ଓ ମୃତ୍ୟୁର ଭୟ ଦ୍ବାରା ପରିଚାଳିତ ନ ହୋଇ ସେ ନିଜର ଜ୍ଞାନଶକ୍ତି ଦ୍ବାରା ପରିଚାଳିତ  ହୋଇ ନିର୍ଦ୍ବନ୍ଦ୍ବମୟ ଜୀବନ ଅତିବାହିତ କରେ।

ଯେଉଁ ତାନ୍ତ୍ରିକ ମନ୍ଦିରରେ ଶିବ ଓ ଶକ୍ତିଙ୍କର ସ୍ବତନ୍ତ୍ର ରୂପ ରହିଛି, ସେଠି ସେମିତି ଅର୍ଦ୍ଧନାରୀଶ୍ବରଙ୍କର ପୂର୍ଣ୍ଣ ରୂପ ମଧ୍ୟ ରହିଛି (ବୋଇତାଳ ମନ୍ଦିରର ଅର୍ଦ୍ଧନାରୀଶ୍ବର ଓ ବୋଇତାଳ ମନ୍ଦିର)। ଅର୍ଦ୍ଧନାରୀଶ୍ବରଙ୍କର ବାମଅଙ୍ଗରେ ରହିଛି ଜୀବନର, ବିଳାସର, ସମ୍ଭୋଗର, ସୃଷ୍ଟିର ନାରୀ ରୂପ ଓ ଦକ୍ଷିଣ ଅଙ୍ଗରେ ରହିଛି ମୃତ୍ୟୁର, ବୈରାଗ୍ୟର, ପ୍ରଳୟର ସଙ୍କେତ। ଗୋଟିଏ ଅଙ୍ଗରେ କସ୍ତୁରୀ ଚନ୍ଦନ ଓ ଅନ୍ୟ ଅଙ୍ଗରେ ଚିତାଭସ୍ମ। ଗୋଟିଏ ବାହୁରେ ସୁନାର ବାଜୁବନ୍ଧ ଓ ଅନ୍ୟ ଗୋଟିଏ ବାହୁରେ ନାଗଭୂଷଣ। ବାମକଣ୍ଠରେ ଅମ୍ଳାନ ପାରିଜାତ ମାଳା ଓ ଦକ୍ଷିଣ କଣ୍ଠରେ ମୁଣ୍ଡମାଳା, ଗୋଟିଏ ଅଙ୍ଗରେ ଶୁଭ ସୌଭାଗ୍ୟର ଚିହ୍ନ ଓ ଅନ୍ୟ ଅଙ୍ଗରେ ଅମଙ୍ଗଳ ସୂଚକ ବିଭୂଷଣ। ଏକ ଅଙ୍ଗରେ ମଙ୍ଗଳ ଓ ଅମଙ୍ଗଳକୁ ଦେଖି ଓ ସେ ବିଷୟ ଚିନ୍ତା କରି ପ୍ରଚଳିତ ଚିନ୍ତାଧାରାର ଅଭ୍ୟସ୍ତ ଦୃଷ୍ଟିରୁ ମଣିଷ ମୁକ୍ତି ପାଏ। ଜୀବନକୁ ନୂଆ ଆଖିରେ ଦେଖେ, ନୂଆ ପ୍ରକାରେ ଭାବେ।

ତନ୍ତ୍ରରେ ମଣିଷର ମୂଳ ପ୍ରବୃତ୍ତି ସମ୍ବନ୍ଧରେ ଯେଉଁ ଧାରଣା ରହିଛି ଇୟୁରୋପର ମାନବିଶ୍ଳେଷକମାନେ ନିଜ ଦର୍ଶନରେ ତାକୁ ସ୍ବୀକୃତି ଦେଇଛନ୍ତି। ବିଖ୍ୟାତ ମନ-ବିଶ୍ଳେଷକ ଫ୍ରଏଡ୍ କହିଛନ୍ତି sex ଓ aggression ଅର୍ଥାତ୍‌ ଯୌନ କାମନା ଓ ହତ୍ୟା କରିବାର ଦୁଇ ମୂଳ ପ୍ରବୃତ୍ତି ହେଲା ମଣିଷର ସହଜାତ ପ୍ରବୃତ୍ତି। ଏଇ ଦୁଇ ପ୍ରବୃତ୍ତି ଅବଦମିତ ହୋଇ ମଣିଷର ମନ ଓ ସ୍ବଭାବ ଚରିତ୍ରକୁ କିପରି ପ୍ରଭାବିତ କରେ ସେ ବିଷୟ ନେଇ ସେ ତାଙ୍କର ଥିଓରି ଗଢ଼ିଛନ୍ତି। ବିଶେଷରେ ପ୍ରବୃତ୍ତିର ଊର୍ଦ୍ଧ୍ବମୁଖୀ ଓ ନିମ୍ନମୁଖୀ ରୂପାନ୍ତର କାହିଁକି ହୁଏ ଓ କେମିତି ହୁଏ ସେ ବିଷୟର ବିଶଦ ବିବରଣ ଫ୍ରଏଡ୍‌ଙ୍କର ଥିଓରିରେ ଅଛି।

ଫ୍ରଏଡ଼୍‌ଙ୍କ ସହିତ ସଂଶ୍ଳିଷ୍ଟ ଥିଲେ ଆଉ ଜଣେ ବିଖ୍ୟାତ ମନ ବିଶ୍ଳେଷକ। ସେ ହେଲେ ସୁଇଜରଲ୍ୟାଣ୍ଡର କାର୍ଲ ଗୁସ୍ତାଭୟୁଙ୍ଗ୍। ୧୯୩୮ ମସିହାରେ ୟୁଙ୍ଗ୍ ଭାରତ ଭ୍ରମଣରେ ଆସି କୋଣାର୍କ ଦେଖିବାକୁ ଆସିଥିଲେ। ତାଙ୍କର ଚିକିତ୍ସା ପଦ୍ଧତି ଓ ଜୀବନଦର୍ଶନ ତନ୍ତ୍ରର ଚିନ୍ତାଧାରା ଦ୍ବାରା ପ୍ରଭାବିତ ହେଇଥିଲା। ସେ କହିଥିଲେ ପ୍ରତିଟି ବ୍ୟକ୍ତିତ୍ବରେ ପୁରୁଷ ସୁଲଭ ଓ ସ୍ତ୍ରୀ ସୁଲଭ ଭାବ ରହିଛି। ସୁସ୍ଥ ଓ ସବଳ ବ୍ୟକ୍ତିତ୍ବରେ ମଣିଷର ବିପରୀତ ଭାବ ଓ ବିରୋଧୀ ଗୁଣଗୁଡ଼ିକ ସମାହିତ ହେଇ ରହିଥାଏ, ଗୋଟିଏ ଆଉ ଗୋଟେଇଏକୁ ବଳେଇଯାଏ ନାହିଁ କି ଘୋଡେଇ ପକାଏ ନାହିଁ। ଅସୁସ୍ଥ ବ୍ୟକ୍ତିତ୍ବରେ ତତ୍‌କେନ୍ଦ୍ରିକତା (unbalanced state) ବେଶି ଦେଖାଯାଏ। ସେ ଆହୁରି ମଧ୍ୟ ଅସୁସ୍ଥ ବ୍ୟକ୍ତିର ରଚିତ ଚିତ୍ରରୁ ସେମାନସଙ୍କର ରୁଗ୍‌ଣ ଅବସ୍ଥା ଓ ଆରୋଗ୍ୟର  ସମ୍ଭାବନା ବିଚାର କରୁଥିଲେ। ସେ ଦେଖିଲେ, ଲୋକଟି ଯେତେ ସୁସ୍ଥ ହେଉ ଉଠୁଛି ତାର ଚିତ୍ରରେ ସେତେ ବେଶି ଭୟର ଛବି କମି ଯାଉଛି। ରଙ୍ଗ ଊଜ୍ଜ୍ବଳ ହେଉଛି, ଚିତ୍ରରେ ଆଲୁଅ ଓ ଅନ୍ଧାରର ଖେଳରେ ସମତା ଆସୁଛି ଓ ଚିତ୍ରଟି କେନ୍ଦ୍ରସ୍ଥ (centered) ହେଉଛି ଓ ଉଚ୍ଛକେନ୍ଦ୍ରିକତା କମୁଛି। ତନ୍ତ୍ରରେ ମଣ୍ଡଳ ଚିତ୍ର ବା ଯନ୍ତ୍ରରେ ବୃତ୍ତାକାର ରେଖା ଚିତ୍ର ଯେପରି ‘ପୂର୍ଣ୍ଣଦୃଷ୍ଟି’ର ସନ୍ତକ ବହନ କରେ, ସେପରି ସୁସ୍ଥ ହୋଇ ଆସୁଥିବା ରୋଗୀର ଚିନ୍ତାଧାରାର ପରିବର୍ତ୍ତନ ଯୋଗୁଁ ସେ ନିଜର ଏକବାଗିଆ ଢଙ୍ଗରୁ ବାହାରି ଆସେ। ସବୁଦିଗରୁ ବିଷୟଗୁଡ଼ିକୁ ବିଚାର କରି ଦେଖିଲାରୁ ତାର ଛବି ମଧ୍ୟ କ୍ରମଶଃ ଜୀବନର ଅନ୍ୟଦିଗର ସଚେତନତାକୁ ପ୍ରକାଶ କରୁଛି।

ତନ୍ତ୍ରର ଜ୍ଞାନମାର୍ଗ ବିଷୟରେ ଆମେ ଯେତେ ଜାଣିବା, ମଣିଷର ମନ ଓ ଚେତନା ବିଷୟରେ ଆମର ଜ୍ଞାନ ସେତେ ବଢ଼ିବ। ପ୍ରାଚୀନ ତତ୍ତ୍ବ ସହିତ ଆଧୁନିକ ବିଜ୍ଞାନର କେଉଁଠି ମେଳ ଓ କେଉଁଠି ଅମେଳ ଅଛି ସେ କଥା ବୁଝି ପାରିବା। ମଣିଷ ମନରେ ଯେ ମହାସ୍ମୃତି (meta memory) ଓ ମହାମେଧାର (meta-cognition) ସୂକ୍ଷ୍ମ କ୍ରିୟା କାର୍ଯ୍ୟ କରୁଛି, ସେ ବିଷୟରେ ଏବେ ଅନେକେ ଗବେଷଣା କରୁଛନ୍ତି। ଯେଉଁ ଶକ୍ତି ମଣିଷ ମନରେ ଚେତନା ରୂପରେ ଅବସ୍ଥାନ କରୁଛନ୍ତି, ତାଙ୍କୁ ନମସ୍କାର କରି ଏ ଲେଖା ଶେଷ କରୁଛି।

(ସୌଜନ୍ୟ: ତନ୍ତ୍ର ପଥ)

Comment