ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଗୋଟିଏ ମଞ୍ଚରେ ମୋଦି-ନୀତିଶ-ପାଶୱାନ।

ନିର୍ବାଚନ ବିଗୁଲ୍ ବାଜିବା ପୂର୍ବରୁ ଆଜି ବିହାରର ପାଟଣାରେ ଶକ୍ତି ପ୍ରଦର୍ଶନ କରିଛି ଏନଡିଏ। ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଏଲଜେପି ନେତା ରାମବିଳାସ ପାଶୱାନ।

ବିହାରରେ ଏହି ତିନି ନେତା ଏକାଠି ହୋଇ ବିରୋଧୀଙ୍କୁ କଡ଼ା ଜବାବ ଦେଇଥିଲେ। ଏହି ନେତା ଗୋଟିଏ ମଞ୍ଚରେ ଏକାଠି ହୋଇ ରଣହୁଙ୍କାର ଦେଇଥିବାରୁ ବିହାର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

୨୦୧୫ରେ ହୋଇଥିଲା ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ମୋଦିଙ୍କ ବିପକ୍ଷରେ ଗଠନ ହୋଇଥିଲା ମହାମେଣ୍ଟ। ଏଥିରେ ସାମିଲ ହୋଇଥିଲେ କଂଗ୍ରେସ-ଆର୍‌ଜେଡି-ଜେଡି(ୟୁ)। ଏହି ମହାମେଣ୍ଟ ମୋଦିଙ୍କ ବିଜୟ ପଥକୁ ବିହାରରେ ରୋକିଥିଲା।

ଶାସନକୁ ଆସିଥିଲା ମହାମେଣ୍ଟ। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ହୋଇଥିଲେ ଉପ-ମୁଖ୍ୟମନ୍ତ୍ରୀ।

କିନ୍ତୁ ମହାମେଣ୍ଟ ବିହାର ରାଜନୀତିରେ ବେଶୀ ଦିନ ତିଷ୍ଠି ନଥିଲା। ଆରଜେଡି ଏବଂ ଜେଡି (ୟୁ) ଭିତରେ କ୍ଷମତା ଯୁଦ୍ଧ ଲାଗିବାରୁ ମହାମେଣ୍ଟରୁ ଓହରି ଯାଇଥିଲା ଜେଡି(ୟୁ)। ଯେଉଁ ନୀତିଶ କୁମାର ଦିନେ ମୋଦିଙ୍କୁ ସମାଲୋଚନା କରୁଥିଲେ ସେ ପରବର୍ତ୍ତୀ ସମୟରେ ଗାଦି ବଞ୍ଚାଇବା ପାଇଁ ବିଜେପି ସହ ମେଣ୍ଟ କରିଥିଲେ। ୨୦୧୬ରୁ ଏବେ ବିହାରରେ ବିଜେପି-ଜେଡି(ୟୁ) ମେଣ୍ଟ ସରକାର ଚାଲିଛି।

ହେଲେ ଏହି ମେଣ୍ଟ ସରକାରକୁ କାଉଣ୍ଟର କରୁଛନ୍ତି କଂଗ୍ରେସ ଏବଂ ଆର୍‌ଜେଡି। ମେଣ୍ଟ ସରକାରକୁ ଶାସନରୁ ହଟାଇବା ପାଇଁ ଏହି ଦୁଇ ବିରୋଧୀ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

ମୋଦି-ନୀତିଶଙ୍କ ବିଜୟରେ ରୋକ ଲଗାଇବା ପାଇଁ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଅନ୍ୟ ଦଳ ସହ ମେଣ୍ଟ କରିବାକୁ ଅଣ୍ଟା ଭିଡ଼ିଛନ୍ତି। କଥା କଥାକେ ତେଜସ୍ୱୀ ମୋଦିଙ୍କୁ ବାଣ ମାରୁଛନ୍ତି।

ବିରୋଧୀଙ୍କୁ କଡ଼ା ଜବାବ ଦେବା ଲାଗି ବିହାରରେ ଆଜି ଶକ୍ତି ପ୍ରଦର୍ଶନ କରିଛି ଏନଡିଏ।

Comment