ଓଡ଼ିଶାଲାଇଭ୍‌ ପଲିଟିକାଲ୍  ବ୍ୟୁରୋ

ବିଜେପିକୁ ଯିବା ପାଇଁ ବୈଜୟନ୍ତ ଗଡ଼ାଉଥିଲେ ସମୟ ନା ବିଜେପି ଗଡ଼ାଉଥିଲା ସମୟ?

ବିଜେଡି ଛାଡ଼ିବାର ୯ ମାସ ପରେ ଶେଷରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି ବୈଜୟନ୍ତ ପଣ୍ଡା। ନୂଆଦିଲ୍ଲୀରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବୈଜୟନ୍ତ ପଦ୍ମ ଧରିଛନ୍ତି। ଓଡ଼ିଶାର ତୁଙ୍ଗ ବିଜେପି ନେତାମାନେ ଦିଲ୍ଲୀରେ ଉପସ୍ଥିତ ରହି ବୈଜୟନ୍ତଙ୍କୁ ସ୍ୱାଗତ କରିଛନ୍ତି।

ଏବେ ପ୍ରଶ୍ନ ଉଠୁଛି ବୈଜୟନ୍ତ ବିଜେପିକୁ ଆସିବା ପାଇଁ କାହିଁକି ଏତେ ସମୟ ନେଲେ? ବୈଜୟନ୍ତଙ୍କୁ ବିଜେପି ନେବା ପାଇଁ ସମୟ ଗଡ଼ାଉଥିଲା କି? ନା ବୈଜୟନ୍ତ ସମୟ ଗଡ଼ାଉଥିଲେ?

କାହିଁକି ଏତେ ସମୟ?

ବିଜେଡି ସହ ସବୁ ସମ୍ପର୍କ ତୁଟାଇବା ପରେ ବୈଜୟନ୍ତ ବିଜେପି ଆସିବେ ବୋଲି ଚର୍ଚ୍ଚା ହେଉଥିଲା। କାରଣ ବିଜେପିର କେନ୍ଦ୍ର ନେତାମାନଙ୍କ ସହ ବୈଜୟନ୍ତଙ୍କର ଭଲ ସମ୍ପର୍କ ରହିଥିଲା। ହେଲେ ବୈଜୟନ୍ତ ବିଜେପିକୁ ଆସି ନଥିଲେ।

ଶୁଭେଚ୍ଛୁ, ସହଯୋଗୀମାନଙ୍କଠାରୁ ପରାମର୍ଶ ନେଇ ବୈଜୟନ୍ତ ନିଷ୍ପତ୍ତି ନେବେ ବୋଲି କହି ଆସୁଥିଲେ।  ହୁଏତ ସେତେବେଳେ ବୈଜୟନ୍ତ ବିଜେପିକୁ ଆସିବାକୁ ଚାହୁଁ ନଥିଲେ କି ବୈଜୟନ୍ତଙ୍କୁ ବିଜେପି ନେବାକୁ ଚାହୁଁ ନଥିଲା। କାରଣ ବିଜେପି ମହଲରେ ବୈଜୟନ୍ତଙ୍କ ମିଶ୍ରଣକୁ ନେଇ ଗୋଟିଏ ଗୋଷ୍ଠୀ ସହମତ ହେଉ ନଥିବା ଚର୍ଚ୍ଚା ହୋଇଥିଲା।

ଦିଲ୍ଲୀ ନେତାଙ୍କ ସହ ବୈଜୟନ୍ତଙ୍କର ଭଲ ସମ୍ପର୍କ ରହିଥିଲେ ମଧ୍ୟ ଓଡ଼ିଶା ବିଜେପିର କିଛି ନେତାଙ୍କ ମଧ୍ୟରେ ତାଳମେଳ ଅଭାବରୁ ବୈଜୟନ୍ତ ବିଜେପିକୁ ଆସିପାରୁ ନଥିଲେ। ଏଣୁ ନିର୍ବାଚନ ପୂର୍ବରୁ ବୈଜୟନ୍ତ ନୂଆଦିଲ୍ଲୀରେ ପଦ୍ମ ଧରିଛନ୍ତି।

ଦିଲ୍ଲୀରେ କାହିଁକି ମିଶ୍ରଣ?

ଅପରାଜିତା ଷଡ଼ଙ୍ଗୀଙ୍କ ପରେ ବୈଜୟନ୍ତ ହେଉଛନ୍ତି ଦ୍ବିତୀୟ ନେତା ଯିଏ କି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ଭେଟି ନୂଆଦିଲ୍ଲୀରେ ପଦ୍ମ ଧରିଛନ୍ତି। କେବଳ ବୈଜୟନ୍ତଙ୍କ ପାଇଁ ହିଁ ଓଡ଼ିଶାର ବରିଷ୍ଠ ବିଜେପି ନେତାମାନେ ଦିଲ୍ଲୀ ଯାଇଥିଲେ। ନୂଆଦିଲ୍ଲୀରେ ପଦ୍ମ ଧରି ବୈଜୟନ୍ତ ନିଜ ଦବ୍‌ଦବାକୁ ଜାହିର କରିଛନ୍ତି।

ବୈଜୟନ୍ତ ଓଡ଼ିଶାର ଲୋକ ଏବଂ ସେ ଓଡ଼ିଶାରେ ହିଁ ରାଜନୀତି କରି ଆସୁଛନ୍ତି। ଚାହିଁଥିଲେ ସେ ଓଡ଼ିଶା ବିଜେପି କାର୍ଯ୍ୟାଳୟରେ ଅନ୍ୟ ନେତାଙ୍କ ପରି ପଦ୍ମ ଧରି ପାରିଥାନ୍ତେ। କିନ୍ତୁ ତାହା ନକରି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଏବଂ ଦଳରେ ନିଜର ଗୁରୁତ୍ୱ ବଢ଼ାଇବା ପାଇଁ ବୈଜୟନ୍ତ ଦିଲ୍ଲୀରେ ପଦ୍ମ ଧରିଥିବା କୁହାଯାଉଛି।

ବୈଜୟନ୍ତ ଓଡ଼ିଶାର ଗଣମାଧ୍ୟମ ଅପେକ୍ଷା ସବୁବେଳେ ଜାତୀୟ ସ୍ତରର ଗଣମାଧ୍ୟମକୁ ଗୁରୁତ୍ୱ ଦେଇଥାନ୍ତି।  ସେ ବିଭିନ୍ନ ସମୟରେ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଏବଂ ଡିବେଟ୍ ଆଦିରେ ଭାଗ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ ବିଜେପିରେ ଯୋଗ ଦେବା ଖବର ମଧ୍ୟ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି।

ନିର୍ବାଚନ ପୂର୍ବରୁ ବୈଜୟନ୍ତଙ୍କୁ ଖୋଜିଲା ବିଜେପି!

ବିଜେପିରୁ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଇସ୍ତଫା ଦେବା ପରେ ରାଜ୍ୟ ବିଜେପିକୁ ବଡ଼ ଝଟ୍‌କା ଲାଗିଥିଲା। ସେ କ୍ଷତିପୂରଣ ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରି ନଥିଲା। ବିଜୟ ଏବଂ ବୈଜୟନ୍ତଙ୍କ ଜାଗାକୁ ଭରଣା କରିବା ପାଇଁ ବୈଜୟନ୍ତଙ୍କୁ ବିଜେପି କୋଳେଇ ନେଇଥିବା କୁହାଯାଉଛି।

ବୈଜୟନ୍ତଙ୍କର ଓଡ଼ିଶା ରାଜନୀତିରେ ଭଲ ପ୍ରଭାବ ରହିଛି। ତୃଣମୂଳ ସ୍ତରର ଲୋକମାନଙ୍କ ସହ ମିଶି ବୈଜୟନ୍ତ ତାଙ୍କ ଲୋକପ୍ରିୟତାର ପ୍ରମାଣ ଦେଇ ଆସିଛନ୍ତି। ଏହାଛଡ଼ା ବୈଜୟନ୍ତଙ୍କ ପରିବାର ହାତରେ ଏକ ପ୍ରମୁଖ ଟିଭି ଚ୍ୟାନେଲ ରହିଛି। ଟିଭି ଚ୍ୟାନେଲରେ ବିଜେପିର ପ୍ରଚାର ପ୍ରସାରକୁ ଅଧିକ କରିବା ଏବଂ ବୈଜୟନ୍ତଙ୍କ ଲୋକ ସମ୍ପର୍କକୁ ଆଧାର ବିଜେପି ତାଙ୍କୁ ନିର୍ବାଚନ ପୂର୍ବରୁ ଦଳକୁ ନେଇଥିବା କୁହାଯାଉଛି।

କିଏ ହେବ ରାଜ୍ୟ ବିଜେପିର ପୋଷ୍ଟରବୟ?

୨୦୧୪ ନିର୍ବାଚନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପିର ପୋଷ୍ଟରବୟ ବୋଲି କୁହାଯାଉଛି। କାରଣ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ଫଟୋ ଆଗରେ ରହିଥାଏ।

ହେଲେ ଅପରାଜିତା ଆସିବା ପରେ ଧର୍ମେନ୍ଦ୍ରଙ୍କ ଶିବିରରେ ଭାଳେଣି ପଡ଼ିଥିଲା। ଆଇଏଏସ୍‌ ଚାକିରି ଛାଡ଼ି ଆସିଥିବାରୁ ଏବଂ ଜଣେ ମହିଳା ହୋଇଥିବାରୁ ଅପରାଜିତାଙ୍କ ପ୍ରଭାବ ବିଜେପିରେ ଜୋରଦାର ପଡ଼ିଥିଲା। ଅଧିକାଂଶ ସ୍ଥାନରେ ଅପରାଜିତାଙ୍କ ପୋଷ୍ଟର ମଧ୍ୟ ଦେଖିବାକୁ ମିଳୁଛି। ଫଳରେ ଅପରାଜିତା ଏବଂ ଧର୍ମେନ୍ଦ୍ର ଗୋଷ୍ଠୀଙ୍କ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା।

ଏବେ ପୁଣି ବୈଜୟନ୍ତ ପଦ୍ମ ଧରିଛନ୍ତି। ବୈଜୟନ୍ତ ଛୋଟିଆ ରାଜନେତା ନୁହନ୍ତି। ଓଡ଼ିଶା ଅପେକ୍ଷା ତାଙ୍କର ଦିଲ୍ଲୀ ଦରବାରରେ ଭଲ ପ୍ରଭାବ ରହିଛି। ଓଡ଼ିଶା ବିଜେପିରେ ସେ ପ୍ରଭାବଶୂନ୍ୟ ନେତା ହୋଇ ରହିବାକୁ ପସନ୍ଦ କରିବେନି। କାରଣ ତାଙ୍କର ଉଚ୍ଚାଭିଳାସ ରହିଛି।

ଏଣୁ ୨୦୧୯ ନିର୍ବାଚନରେ ଓଡ଼ିଶା ବିଜେପିରେ ଏହି ତିନି ଜଣଙ୍କ ଭିତରୁ କାହାକୁ ମୋଦି ଏବଂ ଅମିତ ଶାହ ପୋଷ୍ଟରବୟ କରିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

୨୦୧୪ରୁ ବୈଜୟନ୍ତଙ୍କୁ ନେଇ ଚର୍ଚ୍ଚା

ବୈଜୟନ୍ତ ପଣ୍ଡା ବିଜେପି ଆଡ଼କୁ ଢଳୁଥିବା ନେଇ ଚର୍ଚ୍ଚା ହେଲା ୨୦୧୪ରେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯେତେବେଳେ ବିଜେଡିର ୨୦ ଜଣ ସାଂସଦଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀର ପାର୍ଲାମେଣ୍ଟ ହାଉସରେ ଭେଟିଥିଲେ ସେବେଠାରୁ ହିଁ ଏହି ଚର୍ଚ୍ଚା ଆରମ୍ଭ ହୋଇଛି।

୨୦ ଜଣ ସାଂସଦଙ୍କୁ ନେଇ ନବୀନ ମୋଦିଙ୍କ ପାଖରେ ଶକ୍ତି ପ୍ରଦର୍ଶନ କରିଥିଲେ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଦାବି କରିଥିଲେ। ନବୀନଙ୍କ ଦାବିକୁ ମୋଦି ଶୁଣିଥିଲେ।

ଯେତେବେଳେ ମୋଦିଙ୍କ ପାଖରୁ ନବୀନ ଏବଂ ୨୦ ଜଣ ବିଜେଡି ସାଂସଦ ମେଲାଣି ନେଲେ ସେତେବେଳେ ମୋଦି ବୈଜୟନ୍ତଙ୍କ ପିଠି ଥାପୁଡେଇ ଦେଇଥିଲେ। ଏହି ଫଟୋ ବିଭିନ୍ନ ଗଣମାଧ୍ୟମରେ ଘୂରି ବୁଲିଥିଲା। ଏହାପରେ ବୈଜୟନ୍ତ  ମୋଦିଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରି ଜାତୀୟ ଖବରକାଗଜରେ ପ୍ରବନ୍ଧ ଲେଖିଥିଲେ। ଏହାକୁ ନେଇ ଚର୍ଚ୍ଚା ହୋଇଥିଲା ଯେ ବୈଜୟନ୍ତ ବିଜେପି ଆଡ଼କୁ ଢଳୁଛନ୍ତି। କିନ୍ତୁ ବୈଜୟନ୍ତ ସେବେଠାରୁ ମାପିଚୁପି ଗେମ୍‌ପ୍ଲାନ ଚଳାଇଥିଲେ। ହେଲେ ବିଜେପିରେ ସାମିଲ ହୋଇ ନଥିଲେ। ହେଲେ ବୈଜୟନ୍ତଙ୍କ ବିଜେପି ପ୍ରୀତି ବଢୁଥିବା ଖବର ନବୀନଙ୍କ ଶିବିରରେ ପହଞ୍ଚିବା ପରେ ବିଜେଡି-ବୈଜୟନ୍ତ ମଧ୍ୟରେ ଦୂରତା ବଢ଼ିଥିଲା।

୨୦୧୮ ଶେଷରେ ବଦଳିଲା ଗଣିତ

ସାଂସଦଙ୍କ ପାଣ୍ଠିରୁ ନିଶ୍ଚିନ୍ତକୋଇଲି ବୁହାଳ ପଞ୍ଚାୟତରେ ନିର୍ମାଣ ହୋଇଥିଲା ଉଚ୍ଚ କ୍ଷମତା ସମ୍ପନ୍ନ ପାଟିଟାଙ୍କି। ଏହାକୁ ଲୋକାର୍ପଣ କରିବା ପାଇଁ ବୈଜୟନ୍ତଙ୍କ ଅଫିସରୁ ଚିଠି ବଣ୍ଟାଗଲା। ହେଲେ ଏହାକୁ ବିରୋଧ କରିଥତିଲେ ସ୍ଥାନୀୟ ବିଜେଡି କର୍ମୀ। ଶେଷରେ ବହୁ ବାଦବିାଦ ପରେ ବୈଜୟନ୍ତ ପାଣିଟାଙ୍କି ଲୋକାର୍ପଣ କରି ସିଧା ତୃତୀୟ ମହଲାକୁ ଟାର୍ଗେଟ କରିଥିଲେ।

ଏହାପରେ ବୈଜୟନ୍ତଙ୍କୁ ଜାନୁଆରି ୨୭ରେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଥିଲା। ଫଳରେ ବୈଜୟନ୍ତ-ବିଜେଡି ଭିତରେ ବିବାଦ ବଢ଼ିଥିଲା। ବୈଜୟନ୍ତ ସିଧା ନବୀନଙ୍କୁ ଟୁଇଟରରେ ସମାଲୋଚନା କରିଥିଲେ। ବିବାଦ ବଢ଼ିବାରୁ ବୈଜୟନ୍ତଙ୍କ ପରିବାର ମାଲିକାନାରେ ଥିବା ଟିଭି ଚ୍ୟାନେଲକୁ ବିଜେଡି ବୟକଟ୍‌ କରିଥିଲା।

ଏହି ବାଦ ବିବାଦ ଭିତରେ ବୈଜୟନ୍ତଙ୍କ ବାପା ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଦେହାନ୍ତ ହୋଇଥିଲା। କିନ୍ତୁ ନବୀନ କିମ୍ବା ତାଙ୍କ ଦଳର କୌଣସି ନେତା ଶେଷ ଦର୍ଶନ କରିବାକୁ ଆସି ନଥିଲେ। ଶେଷରେ ୨୦୧୮ ମେ’ ୨୮ରେ ବୈଜୟନ୍ତ ବିଜେଡିରୁ ଇସ୍ତଫା ଦେବା ସହ ଲୋକସଭା ସାଂସଦ ପଦବୀରୁ ଇସ୍ତଫା ଦେଇଥିଲେ।

ବୈଜୟନ୍ତଙ୍କ ପରବର୍ତ୍ତୀ ଇନିଂସ୍ ଉପରେ ସମସ୍ତଙ୍କର ନଜର ରହିଥିଲା। କିନ୍ତୁ ବୈଜୟନ୍ତ କୌଣସି ଦଳରେ ଯୋଗ ଦେଇ ନଥିଲେ। ବିଜେପି ଏବଂ କଂଗ୍ରେସ ନେତାଙ୍କୁ କେବଳ ଭେଟି ଚାଲିଲେ। ଶେଷରେ ବୈଜୟନ୍ତ ନିର୍ବାଚନ ପୂର୍ବରୁ ବିଜେପିକୁ ଆସିଛନ୍ତି।

ବିଜେଡି ଛାଡ଼ିବାର ୯ ମାସ ପରେ ବିଜେପି ଆସିଥିବା ବୈଜୟନ୍ତଙ୍କ ପଲ୍ଲା ବିଜେପିରେ କେତେ ଓଜନଦାର ରହୁଛି ତାହା ଅପେକ୍ଷା କରି ଦେଖିବାର କଥା।

Comment