ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବୈଜୟନ୍ତଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଲେ ବିଜେପି କର୍ମୀ ଓ ନେତା।

“ମୁଁ ଯୁଆଡ଼େ ଯାଉଛି ସବୁଠି ପରିବର୍ତ୍ତନର କଥା ଶୁଭୁଛି। ଲୋକେ ଓଡ଼ିଶାରେ ପରିବର୍ତ୍ତନ ଚାହୁଁଛନ୍ତି। ମୁଁ ପରିବର୍ତ୍ତନ କହିଲେ ଲୋକେ କହୁଛନ୍ତି ‘ହେଇଯାଉ’। ଲୋକଙ୍କ ସ୍ୱର କହୁଛି ଯେ ଆଗାମୀ ଦିନରେ ବିଜେଡି ହଟିବ”, କହିଛନ୍ତି ବୈଜୟନ୍ତ ପଣ୍ଡା।

ଗତ ୪ ତାରିଖରେ ବୈଜୟନ୍ତ ନୂଆଦିଲ୍ଲୀରେ ବିଜେପିରେ ଯୋଗ ଦେଇଥିଲେ। ଆଜି ସେ ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୈଜୟନ୍ତଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ବିଜେପି ନେତା ଏବଂ କର୍ମୀ। ପରେ ବିଜେପି ପାର୍ଟି ଅଫିସ ପର୍ଯ୍ୟନ୍ତ ତାଙ୍କୁ ଶେଭାଯାତ୍ରାରେ ପାଛୋଟି ଅଣା ଯାଇଥିଲା।

ବିଜେପି ପାର୍ଟି ଅଫିସରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ବୈଜୟନ୍ତଙ୍କୁ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ପ୍ରଭାରୀ ଅରୁଣ ସିଂ ସମ୍ବର୍ଦ୍ଧିତ କରିଥିଲେ।

ବୈଜୟନ୍ତ କହିଥିଲେ, “୨୨ ବର୍ଷ ତଳେ ଓଡ଼ିଶାରେ ବିଜେପି ସହଯୋଗରେ ବିଜେଡି ଗଠନ ହୋଇଥିଲା। ୨୨ ବର୍ଷ ତରେ ବିଜେପିର ନୀତି, ଆଦର୍ଶ ମତେ ଭଲ ଲାଗିଥିଲା। ଏହି ଦଳକୁ ମତେ ଆସିବା ପାଇଁ ୨୨ ବର୍ଷ ଲାଗିଗଲା। ୨୨ ବର୍ଷ ଭିତରେ ମୁଁ ବଦଳିନି। ମୋ ଦଳ ବଦଳିଗଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ନେତୃତ୍ୱ ମତେ ବିଜେପିକୁ ଟାଣି ଆଣିଛି। ବିଜେପିକୁ ଆସି ମୁଁ ବହୁତ ଖୁସି।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, “ଓଡ଼ିଶାରେ ଦୁର୍ନୀତି ସୀମା ଟପିଛି। ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର। ୧୮ ବର୍ଷର ଶାସନ ଭିତରେ ଓଡ଼ିଶାର ପାରମ୍ପରିକ ପିଠା କଥା ମନେ ପଡ଼ି ନଥିଲା। କିନ୍ତୁ ଏବେ ମନେ ପଡୁଛି। ଏହାସହ ରତ୍ନଭଣ୍ଡାର ଚାବି ହଜିବା ଘଟଣା ଏବଂ ବ୍ରହ୍ମ ପରିବର୍ତ୍ତନ ଘଟଣା ରାଜ୍ୟ ସରକାରଙ୍କ ସ୍ୱଚ୍ଛତାରେ କଳଙ୍କ ଲଗାଇଛି।”

Comment