ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ନିର୍ବାଚନ ଯେତିକି ପାଖେଇ ଆସୁଛି ସମ୍ବଲପୁର ରାଜନୀତି ସେତିକି ଗୋଳିଆ ହେବାରେ ଲାଗିଛି। ବିଜେଡିରେ ଗତ ଏକବର୍ଷରୁ ଅଧିକ ସମୟ ଧରି ଲାଗିରହିଥିବା ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି।

ପୂର୍ବରୁ ଦଳବିରୋଧୀ କାର୍ଯ୍ୟର ଆରୋପ ଲଗାଇ ବିଜେଡି ଜିଲ୍ଲା ସଭାପତିଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବା ପରେ ଏବେ ଦଳର ମୁଖ୍ୟ ସଂଗଠକ କୁହାଯାଉଥିବା ପୂର୍ବତନ ଏସ୍‌ଡିଏ ଅଧ୍ୟକ୍ଷ ଜୟବ୍ରତ ଦେ ଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ତେଣୁ ଆସନ୍ତା ନିର୍ବାଚନରେ ବିଜେଡି ବିରୋଧୀଙ୍କ ଅପେକ୍ଷା ବିଦ୍ରୋହୀଙ୍କୁ ଅଧିକ ମୁକାବିଲା କରିବ।

ସମ୍ବଲପୁର ଜିଲ୍ଲା ବିଜେଡିରେ ସବୁକିଛି ଠିକ୍‌ଠାକ୍‌ ଚାଲିନି। ଦଳରୁ ଜଣକ ପରେ  ଜଣେ ବରିଷ୍ଠ ସଦସ୍ୟଙ୍କୁ ବହିଷ୍କାର କରାଯିବା ପରେ ଏବେ ବିଦ୍ରୋହୀ ଗୋଷ୍ଠୀ ଅଧିକ ସକ୍ରିୟ ହେଲେଣି। ଗତମାସ ୨୪ତାରିଖରେ ସମ୍ବଲପୁରରେ ୨୧୦ବସ୍ତିରେ ରହୁଥିବା ୩୫ ହଜାର ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ଦାବି କରି ବିଶାଳ ସମାବେଶ କରିଥିଲେ ଦଳର ମୁଖ୍ୟ ସଂଗଠକ ଜୟବ୍ରତ ଦେ। ହେଲେ ଏହା ତାଙ୍କ ସପକ୍ଷରେ ଯିବା ପରିବର୍ତ୍ତେ ଆଜି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି।

ସହରରେ ଚର୍ଚ୍ଚା ଜୋର୍‌ ଧରିଛି ଯେ ଜୟବ୍ରତ ଦେ ଆସନ୍ତା ନିର୍ବାଚନରେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ନୂଆକରି ବିଜେଡିକୁ ଆସିଥିବା ଝାରସୁଗୁଡାର ପୂର୍ବତନ ବିଧାୟକ ନବ ଦାସ ଓ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହ ଷଡଯନ୍ତ୍ର କରି ଜୟବ୍ରତଙ୍କୁ ଦଳରୁ ବରିଷ୍କାର କରିବାରେ ସଫଳ ହୋଇଛନ୍ତି।

ହେଲେ ଜୟବ୍ରତ ଦଳର ସୁପ୍ରିମୋଙ୍କ ଏହି ନିଷ୍ପତ୍ତି ବିରୋଧରେ ରଣହୁଙ୍କାର ଦେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଯେଉଁଥିରେ ସେ ଘୋଷଣା କରିଛନ୍ତି ଯେ ଆସନ୍ତା ନିର୍ବାଚନରେ ସେ ବିଧାୟକ ଭାବେ ନିର୍ବାଚନ ଲଢିବେ। ଜିତିବା ପାଇଁ ନୁହେଁ, ଷଡଯନ୍ତ୍ରକାରୀଙ୍କୁ ପରାସ୍ତ କରିବା ପାଇଁ ସେ ନିର୍ବାଚନ ମଇଦାନକୁ ଓହ୍ଲାଇବେ।

ଏ ସମ୍ପର୍କରେ ମାପି ଚୁପି ପ୍ରତିକ୍ରିୟା ଦେଇଛନ୍ତି ଜିଲ୍ଲା ବିଜେଡି ସଭାପତି ପଦରୁ ବହିଷ୍କୃତ ହୋଇଥିବା ପ୍ରମୋଦ ରଥ। ତାଙ୍କର କହିବା ହେଲା, ଦଲର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ସେ ମାନିନେବେ। ହେଲେ ଦଳରେ ଏବେ ଯାହା ଚାଲିଛି ତାହା ଦଳର ଦୃଢ଼ତା ପାଇଁ ଠିକ୍‌ ନୁହେଁ।

୨୦୧୪ ନିର୍ବାଚନରେ ପ୍ରଥମ ଥର ପାଇଁ ରାଜନିତୀକୁ ଆସିଥିବା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ପାଇଁ ଆସନ୍ତା ନିର୍ବାଚନ ସେତେଟା ସହଜ ହେବ ନାହିଁ। କାରଣ ସମ୍ବଲପୁରରେ ବିଜେଡିକୁ ବିରୋଧୀଙ୍କ ଅପେକ୍ଷା ବିଦ୍ରୋହୀଙ୍କ ଭୟ ଲାଗି ରହିଛି। ବର୍ତ୍ତମାନ ସମ୍ବଲପୁର ବିଜେଡିର ପ୍ରମୁଖ ନେତାମାନେ ବିଧାୟିକାଙ୍କ ବିରୋଧରେ ଲବି କରିବା ସହ ଭୋଟ କାଟିବାକୁ ଅଣ୍ଟା ଭିଡ଼ିଛନ୍ତି। ନିର୍ବାଚନ ଯେତିକି ପାଖେଇ ଆସୁଛି,ଏହି ବିଦ୍ରୋହୀଙ୍କ ସଂଖ୍ୟା ସେତିକି ବଢିବାରେ ଲାଗିଛି।

ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି, “ଆସନ୍ତା ନିର୍ବାଚନରେ ସମ୍ବଲପୁରବାସୀ ଯାହା ନିଷ୍ପତ୍ତି ନେବେ ସେଥିରେ ସେ ସହମତ। ହେଲେ ଜିଲ୍ଲା ବିଜେଡି ସଭାପତି ଓ ଜୟବ୍ରତ ଦେଙ୍କ ବହିଷ୍କାର ପଛରେ ମୋର କି ନବ ଦାସଙ୍କ କୌଣସି ଷଡ଼ଯନ୍ତ୍ର ନାହିଁ।”

ବହିଷ୍କୃତ ଜିଲ୍ଲା ବିଜେଡି ସଭାପତି ପ୍ରମୋଦ ରଥ ରେଢ଼ାଖୋଲ ପାଇଁ ଆଶାୟୀ ଥିବା ବେଳେ ଜୟବ୍ରତ ସମ୍ବଲପୁରରେ ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ଏମାନଙ୍କୁ ଦଳ କେମିତି ଚେକ୍‌ ଦେଉଛି ତାହା ଦେଖିବାକୁ ବାକି ରହିଲା।

Comment