ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆଜିଠାରୁ ରାଜ୍ୟରେ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦିଓ କୌଣସି ଦଳ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ ଗ୍ରହଣ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି, ତେବେ ଏଥର ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବା ସ୍ପଷ୍ଟ ଜଣାପଡ଼ୁଛି। ହାଲ୍‌ର ସ୍ଥିତି ଅନୁଧ୍ୟାନ କଲେ ଗୋଟିଏ କଥା ପ୍ରାଞ୍ଜଳ ହେବ ଯେ ରାଜ୍ୟରେ ରାଜନୈତିକ ବାତାବରଣ ଅତ୍ୟନ୍ତ ତରଳ ଅବସ୍ଥା ଦେଇ ଗତି କରୁଛି। ତିନୋଟି ଯାକ ଦଳରେ ଅସ୍ଥିରତା ଲାଗି ରହିଛି ଓ ନେତାମାନେ ବରାବର ଦଳ ବଦଳ କରିବାରେ ଲାଗିଛନ୍ତି।

ବୈଜୟନ୍ତଙ୍କଠୁ ବଳଭଦ୍ର

ଚଳିତ ନିର୍ବାଚନ ପୂର୍ବରୁ ପ୍ରଥମେ ଦଳ ଛାଡ଼ିବା ଆରମ୍ଭ ହେଲା ବିଜୟ ମହାପାତ୍ର ଓ ଦିଲୀପ ରାୟଙ୍କଠାରୁ। ଡିସେମ୍ବେର ମାସରେ ଏହି ଦୁଇ ତୁଙ୍ଗ ନେତା ‘ଅଣଦେଖା’ର ବାହାନା କରି ବିଜେପି ଛାଡ଼ିଥିଲେ। ତା’ପରେ କଂଗ୍ରେସକୁ ଏହି ରୋଗ ଡେଇଁବା ଆରମ୍ଭ ହେଲା ଯେତେବେଳେ ଦଳର ପ୍ରଭାବଶାଳୀ ବିଧାୟକ ନବ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଲେ। ଏହି ଦଳ ବଦଳରୁ ଶାସକ ବିଜେଡି ବି ବାଦ ପଡ଼ିନାହିଁ। ଦଳର ଦୁଇ ଜଣ ନେତା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ ଇସ୍ତଫା। ଦଳ ଛାଡ଼ିବା ପରେ ଢେର ଦିନ ଅପେକ୍ଷା କରି ଏ ଦିହେଁ ଏବେ ଏବେ ବିଜେପିରେ ମିଶିଛନ୍ତି।

ଟିଭି ଓ କାଗଜ

ଓଡ଼ିଶାର କ୍ଷମତା ରାଜନୀତିରେ ବୈଜୟନ୍ତଙ୍କର ଅବଶ୍ୟ ଏତେ ଦବଦବା ନାହିଁ। କିନ୍ତୁ ତାଙ୍କ ହାତରେ ଗୋଟିଏ ଟିଭି ନ୍ୟୁଜ ଚାନେଲ ରହିଛି। ସେହିଭଳି ଡାକ୍ତର ଦାମୋଦାର ରାଉତଙ୍କ ଜଗତସିଂହପୁର ଜିଲ୍ଲା ରାଜନୀତିରେ ବେଶ୍ ପ୍ରଭାବ ରହିଛି। ସବୁଠୁ ଓ ସମସ୍ତଙ୍କୁ  ଆଶ୍ଚର୍ଯ୍ୟ କରିବା ଭଳି ଆଉ ଏକ ଘଟଣା ହେଲା ଢେଙ୍କାନାଳ ସାଂସଦ ତଥାଗତ ଶତପଥୀଙ୍କ ରାଜନୀତିରେ ରହିବେ ନାହିଁ କି ନିର୍ବାଚନ ଲଢ଼ିବେ ନାହିଁ ବୋଲି କରିଥିବା ଘୋଷଣା। କିନ୍ତୁ ତଥାଗତଙ୍କ ହାତରେ ଗୋଟିଏ ନୁହେଁ ଦୁଇଟି ଖବରକାଗଜ ରହିଛି ଯାହା ଭୋଟକୁ ପ୍ରଭାବିତ କରିବ।

ମହିଳା ଥୋପ

ଏହି ନିର୍ବାଚନର ଅନ୍ୟ ଏକ ବିଶେଷତ୍ୱ ହେଉଛି ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା। ଏହି ଘୋଷଣା ପରେ ଶାସକ ଦଳର ବହୁ ବିଧାୟକଙ୍କ ଟିକେଟ କଟିବାର ଆଶଙ୍କା ଦେଖା ଦେଇଛି। ଏହି କାରଣରୁ ବିଜେଡିର ପ୍ରାର୍ଥୀ ରାଜନୀତି ଗୋଳମାଳିଆ ହୋଇପଡ଼ିଛି ଓ ନବୀନ ନିଜେ ଏହା ସମ୍ଭାଳି ନପାରିବାରୁ ଗୀତା ମେହେଟ୍ଟାଙ୍କ ସାହାଯ୍ୟ ନିଆଯାଉଛି। ଏହି ଅନିଶ୍ଚିତତା ଭିତରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ଦଳରୁ ଇସ୍ତଫା ଦେବା ବିଜେଡି ପାଇଁ ଏକ ବଡ଼ ଧକ୍କା ହୋଇଛି। ଗୋଟିଏ ପଟେ ଆଗରୁ ଥିବା ନେତା ବିଜେଡି ଛାଡ଼ୁଥିବା ବେଳେ ଅପରପଟେ ବିଜେଡିରେ ବହୁ ନେତା ଓ ବିଭିନ୍ନ ଗୋଷ୍ଠୀର ଲୋକେ ମିଶିବାରେ ଲାଗିଛନ୍ତି।

ତେବେ ନୂଆ ହୁଅନ୍ତୁ କି ପୁରୁଣା ହୁଅନ୍ତୁ ଜିତିବା ପାଇଁ ସମସ୍ତେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଉପରେ ନିର୍ଭର କରିବାକୁ ବାଧ୍ୟ ବୋଲି କହିଛନ୍ତି ଶାସକ ଦଳର ଜଣେ ବରିଷ୍ଠ ନେତା। ବିଜେଡି ଛାଡ଼ି ନେତାମାନେ ଅନ୍ୟ ଦଳକୁ ଗଲେ ଏହା ଦଳର କିଛି କ୍ଷତି କରିବ ନାହିଁ ବୋଲି ବିଜେଡି ନେତା ଦମ୍ଭୋକ୍ତି କରୁଛନ୍ତି ସତ ତେବେ ବିଜେଡି ମହଲରେ ଗୋଟିଏ କଥା ସମସ୍ତେ ମାନୁଛନ୍ତି ଯେ ୧୯ ବର୍ଷ ଧରି କ୍ଷମତାରେ ରହିବା ପରେ ଦଶଳକୁ କିଛି କ୍ଷତି ତ ସହିବାକୁ ହିଁ ପଡ଼ିବ।

ସେ ରଙ୍ଗ ରହିବନି

ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ କାହାର କିଛି ଅଭିଯୋଗ ନଥିବା ବେଳେ ଅଧିକାଂଶ ସାଂସଦ ଓ ବିଧାୟକ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଓ ଭରସା ହରାଇସାରିଛନ୍ତି। ଏଣୁ ବିଜେଡି ପାଇଁ ଏଥର ନିର୍ବାଚନରେ ୨୦୧୪ ନିର୍ବାଚନର ଫଳ ପୁନରାବୃତ୍ତି ହେବା ଆଦୌ ଦେଖାଯାଉନାହିଁ। ଗୋଟିଏ ପଟେ ବିଜେପିର ଆକ୍ରମଣାତ୍ମକ ନିର୍ବାଚନ ପ୍ରସ୍ତୁତି ଓ ଅପର ପଟେ କଂଗ୍ରେସର ନୀରବତା ବିଜେଡିର କିଛି ଆସନକୁ ଖାଇବ ବୋଲି ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଖୋଲା ଖୋଲି କହୁଛନ୍ତି।

Comment