ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ରେଢାଖୋଲ ବିଧାନସଭା ଆସନରୁ ଏଥର କିଏ ମାରିବ ବାଜି? ଏହାକୁ ନେଇ ବିଜେଡି, ବିଜେପି ଏବଂ କଂଗ୍ରେସ ଶିବିରରେ ଚାଲିଛି ଅଙ୍କ କଷା। ରେଢ଼ାଖୋଲ ହାତେଇବା ପାଇଁ ତିନି ଦଳ ଭିତରେ ଚାଲିଛି ଜୋରଦାର ଟକ୍କର।

ରେଢ଼ାଖୋଲ ପାଇଁ ବିଜେଡି ଟିକେଟ ନେଇଛନ୍ତି ରୋହିତ ପୁଜାରୀ। ତାଙ୍କ ବିପକ୍ଷରେ କଂଗ୍ରେସର ଆସଫ୍‌ ଅଲ୍ଲୀ ଖାଁ, ବିଜେପିର ଦେବେନ୍ଦ୍ର ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ଏହି ତିନି ପ୍ରାର୍ଥୀଙ୍କ ତୁଳନାରେ ରୋହିତଙ୍କ ପଲ୍ଲା ଭାରି ରହିଥିବା କୁହାଯାଉଛି।

ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀର ରେଢାଖୋଲ ବିଧାନସଭା ଆସନ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ପୂର୍ବରୁ ଏହି ଆସନରୁ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ନିର୍ବାଚିତ ହୋଇ ଆସୁଥିଲେ।

ହେଲେ ୨୦୧୪ରେ ରେଢ଼ାଖୋଲ ଆସନରେ ପ୍ରାର୍ଥୀ ବଦଳାଇଥିଲା ବିଜେଡି। ପ୍ରସନ୍ନଙ୍କୁ ବିଜେପୁର ପଠାଇ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଥିଲା ଦଳ। ରୋହିତ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଶାସକ ଦଳର ଉପ-ମୁଖ୍ୟସଚେତକ ରହିଥିଲେ

ଏଥର ମଧ୍ୟ ବିଜେଡି ସୁପ୍ରିମୋ ରୋହିତଙ୍କ ଉପରେ ଭରସା କରି ତାଙ୍କୁ ଟିକେଟ ଦେଇଛନ୍ତି। ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ଜନହିତକର କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ନେଇ ଏଥର ମଧ୍ୟ ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଲକ୍ଷ୍ୟ ରଖିଛନ୍ତି ରୋହିତ।

ପ୍ରାର୍ଥିପତ୍ର ଦାଖଲ କରିବା ପରେ ରୋହିତ ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି। ଗତ ଥର ଅପେକ୍ଷା ସେ ଏଥର ଅଧିକ ଭୋଟରେ ଜିତିବେ ବୋଲି ଦୃଢ଼ତାର ସହ କହିଛନ୍ତି।

ସେହିପରି ବିଜେପି ଏହି ଆସନରେ ଏଥର ପ୍ରାର୍ଥୀ ବଦଳାଇଛି। ଗତଥରର ପ୍ରାର୍ଥୀ ପ୍ରତାପ ପ୍ରଧାନଙ୍କୁ ବଦଳାଇ ବିଜେପି ନୂଆ ମୁହଁ ଦେଇଛି। ଦେବେନ୍ଦ୍ର ମହାପାତ୍ରଙ୍କୁ ଦଳ ଏଥର ପ୍ରାର୍ଥୀ କରିଥିବାରୁ ତିନିଜଣ ଆଶାୟୀ ଅସନ୍ତୁଷ୍ଟ ଅଛନ୍ତି।

ଗୋବିନ୍ଦ ଅଗ୍ରୱାଲ୍‌ ଗତ ୧୦ବର୍ଷ ହେଲା ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ ବୁଲି ସଂଗଠନକୁ ସୁଦୃଢ କରିଥିଲେ। ତାଙ୍କୁ ଦଳ ଟିକେଟ ନଦେଇ ନିରାଶ କରିଛି। ଫଳରେ ସେ ଏଥର ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

ସେହିପରି ଗତଥରର ବିଜେପି ପ୍ରାର୍ଥୀ ଚଳିତ ନିର୍ବାଚନରେ ଦଳ ପାଇଁ ଅଡୁଆ ପାଲଟିଥିବା ଚର୍ଚ୍ଚା ହେଉଛି। ବିଜେପିରେ କନ୍ଦଳ ଥିବାରୁ ବିଜେଡି ଏଥିରୁ ଭରପୁର ଫାଇଦା ନେବା ପାଇଁ ଅଣ୍ଟା ଭିଡିଛି।

ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର କହିଛନ୍ତି, ‘‘ଗତ ୫ ବର୍ଷ ହେଲା ଏହି ନିର୍ବାଚନ ମଣ୍ଡଳୀକୁ ବିଜେଡି ସଂପୂଣ୍ଣ ଅବହେଳା କରି ଆସିଛି। ସ୍ଥାନୀୟ ସମସ୍ୟାକୁ ନେଇ ବିଜେପି ଲୋକଙ୍କ ପାଖକୁ ଯାଉଛି। ଭୋଟରଙ୍କ ସମର୍ଥନ ରହିଥିବାରୁ ଆମେ ନିଶ୍ଚିତ ଜିତିବୁ।’’

ଗତ ନିର୍ବାଚନରେ ଏହି ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ସିଧା ଫାଇଟ୍‌ ହୋଇଥିଲା। ଖୁବ୍‌ କମ୍‌ ଭୋଟରେ କଂଗ୍ରେସର ଆସଫ୍‌ ଅଲ୍ଲୀ ଖାଁ ଏଠାରେ ପରାଜିତ ହୋଇଥିଲେ। ହେଲେ ଦଳ ଏଥର ପୁଣି ଆସଫ୍‌ଙ୍କ ଉପରେ ଭରସା କରି ତାଙ୍କୁ ଦଳୀୟ ଟିକେଟ୍‌ ଦେଇଛି।

ଗତ ୧୫ବର୍ଷ ହେଲା ଆସଫ୍‌ ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ଲୋକ ସଂପର୍କ ବୃଦ୍ଧି କରିଥିବା ବେଳେ ଗାଁ ଗାଁରେ ସଂଗଠନ କରିଛନ୍ତି। ଏଣୁ ଦଳକୁ ନୁହେଁ, ବରଂ ତାଙ୍କ କାମ ଓ ଲୋକସେବାକୁ ଦେଖି ଲୋକମାନେ ତାଙ୍କୁ ନିଶ୍ଚିତ ଭୋଟ ଦେବେ ବୋଲି ସେ କହିଛନ୍ତି। ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ଏଥର ବିଜେଡିର ପରାଜୟ ସୁନିଶ୍ଚିତ ବୋଲି ଆସଫ୍‌ ଅଲ୍ଲୀ ଖାଁ କହିଛନ୍ତି।

ଏହି ଆସନ ପାଇଁ ଏପ୍ରିଲ୍‌ ୨୩ ତାରିଖରେ ଭୋଟ ଗ୍ରହଣ କରାଯିବ। ହେଲେ ଏବେଠାରୁ ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର କରୁଛନ୍ତି। ବିଜେଡି ଓ କଂଗ୍ରେସ ମଧ୍ୟରେ ସିଧା ମୁକାବିଲା ହେବା ଆଶା କରାଯାଉଥିଲେ ମଧ୍ୟ ବିଜେପି ବିଦ୍ରୋହୀଙ୍କୁ ମନାଇ ପାରିଲେ ଫଳାଫଳ ଅଲଗା ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Comment