ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଭୋଟରଙ୍କୁ ମୋଦି ଓ ଶାହଙ୍କ ଅପିଲ – ‘ପ୍ରଥମେ ମତଦାନ ପରେ ଜଳପାନ’
ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଆଜି ୨୦ରାଜ୍ୟରେ ୯୧ ଆସନ ଲାଗି ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତି ଭୋଟରଙ୍କୁ ଅପିଲ କରିଛନ୍ତି କି ପ୍ରଥମେ ମତଦାନ ପରେ ଜଳପାନ। ଏହାସହିତ ମୋଦି ଯୁବ ଓ ପ୍ରଥମଥର ଭୋଟ ଦେଉଥିବା ଭୋଟରଙ୍କ ପାଇଁ ବିଶେଷ ଆଗ୍ରହ ଦେଖାଇଛନ୍ତି।
୧୬ରେ ପୁଣି ଆସିବେ ମୋଦି, ଭୁବନେଶ୍ୱର-ସମ୍ବଲପୁରରେ ଦେବେ ଉଦବୋଧନ
ଓଡ଼ିଶାରେ ନିର୍ବାଚନ ପ୍ରଚାର ଜୋର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୁଣି ଥରେ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ଏପ୍ରିଲ ୧୬ରେ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଭୁବନେଶ୍ୱର ଓ ସମ୍ବଲପୁରରେ ଆୟୋଜିତ ସଭାରେ ଯୋଗ ଦେବେ। ସେହିପରି ଆସନ୍ତା କାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସି କେନ୍ଦୁଝରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବେ।

ଚୌଦ୍ୱାର-କଟକରେ ତ୍ରିମୁଖୀ ଲଢ଼େଇ, ଜମୁଛି ପ୍ରଚାର
ଚୌଦ୍ୱାର-କଟକ ବିଧାନସଭା ଆସନରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଏହି ନିର୍ବାଚନମଣ୍ଡଳୀରେ ଆସନ୍ତା ୨୩ ତାରିଖରେ ଭୋଟ ଗ୍ରହଣ ଥିବାରୁ ପ୍ରଚାର ସରଗରମ ରହିଛି। ବିଜେଡି ଏଥର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବଦଳରେ ତାଙ୍କ ପୁଅ ସୌଭିକ୍ ବିଶ୍ୱାଳଙ୍କୁ ମଇଦାନକୁ ଓହ୍ଲାଇଛି। ବିଜେପି ପୁଣି ଥରେ ନୟନ କିଶୋର ମହାନ୍ତିଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ସେହିପରି କଂଗ୍ରେସ ଚିରାଚରିତ ଢଙ୍ଗରେ ପ୍ରାର୍ଥୀ ବଦଳାଇ ଜଗଦୀଶ ଚନ୍ଦ୍ର ମହାନ୍ତିଙ୍କୁ ନିର୍ବାଚନ ରଣାଙ୍ଗନକୁ ଆଣିଛି।

ମାଓବାଦୀଙ୍କ ଧମକକୁ ଖାତିର ନକରି ୧୦୨ ବର୍ଷିୟ ବୃଦ୍ଧା ଦେଲେ ଭୋଟ
ଛତିଶଗଡ ସୁକମାର ଦୌରାନପାଳର ରହୁଥିବା ଜଣେ ବୃଦ୍ଧା ଆଜି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ବୃଦ୍ଧାଙ୍କ ବୟସ ୧୦୨, ଚାଲିବାକୁ ଶକ୍ତି ନାହିଁ ତଥାପି ଗଣତନ୍ତ୍ରର ଏହି ମହାଯୁନ୍ଧରେ ସେ ନିଜକୁ ସାମିଲ କରିଛନ୍ତି।

ବୌଦ୍ଧରେ ନବୀନ କଲେ ପ୍ରଚାର, ପୁଣି କେନ୍ଦ୍ରକୁ ନିଶାନା
ଓଡ଼ିଶାର ଆଜି ୪ ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବୌଦ୍ଧର ପୁରୁଣା କଟକ ଅଞ୍ଚଳରେ ନବୀନ ନିର୍ବାଚନୀ ପ୍ରଚାର କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ନବୀନ।

ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୪୧ ପ୍ରତିଶତ ମତଦାନ
‘‘ଓଡ଼ିଶାର ୪ଟି ଲୋକସଭା ଆସନର ବିଭିନ୍ନ ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି। ଦିନ ୧ଟା ସୁଦ୍ଧା ୪୧ ପ୍ରତିଶତ ମତଦାନ ହୋଇଛି। କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଘଟି ନଥିବା ଖବର ଆସିଛି। ଯେଉଁଠି ଭୋଟରମାନେ ଭୋଟ ବର୍ଜନ କରିଛନ୍ତି ସେମାନଙ୍କ ସହ ଆମ ଅଧିକାରୀମାନେ ଆଲୋଚନା ଚଳାଇଛନ୍ତି’’, କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

କଂଗ୍ରେସରେ କେଁ : ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଲେ ସୋନାଲି ସାହୁ
କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଆଜି ଦଳରୁ ଇସ୍ତଫା ଦେବା ସହିତ ପିସିସି ସଭାପତିଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଟିକେଟ ଘୋଷଣାକୁ ନେଇ ସୋନାଲି ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା।ସୋନାଲି ଖୋର୍ଦ୍ଧା ବିଧାନସଭା ଆସନ ଲାଗି ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା ମାତ୍ର ଦଳ ସେଠାରୁ ଅନ୍ୟଜଣଙ୍କୁ ଟିକେଟ ଦେବାରୁ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଛନ୍ତି। ସୋନାଲିଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି।

ଆସନ୍ତା କାଲି ଓଡ଼ିଶା ଆସିବେ ଅମିତ ଶାହ
ଆଜି ରାଜ୍ୟର ୪ଟି ଲୋକସଭା ୨୮ଟି ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ମତାଦାନ ହେଉଥିଲାବେଳେ ଆସନ୍ତା କାଲି ଅର୍ଥାତ ଏପ୍ରିଲ ୧୨ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।ଅମିତ ଶାହ କେନ୍ଦୁଝର ଆସିବେ। କେନ୍ଦୁଝର ମେଡିକାଲ କଲେଜ ପଡ଼ିଆରେ ଆୟୋଜିତ ସଭାରେ ଶାହ ଯୋଗ ଦେବେ।

୩ଥର ବିଡ଼ିଓ ବୁଝାଇବା ପରେ ବି ଭୋଟ ଦେବାକୁ ରାଜି ହେଉନାହାନ୍ତି ଭୋଟର
ନବରଙ୍ଗପୁର ଜିଲ୍ଲା ନନ୍ଦ।ହାଣ୍ଡି ବ୍ଲକର ପକନାଗୁଡ଼ା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ଏହି ବୁଥରେ ମୋଟ ୩୭୨ ଜଣ ଭୋଟର ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୋଟିଏ ମଧ୍ୟ ଭୋଟ ପଡ଼ିନାହିଁ। ଗାଁରେ ଅନେକ ଦିନହେବ ଜଳ ସମସ୍ୟା , ବିଜୁଳି , ରାସ୍ତା ସମସ୍ୟା ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ଗାଁରେ ଏ ଯାଏଁ କୌଣସି ମୌଳିକ ସୁବିଧା ଯୋଗାଇ ଦିଆଯାଇନଥିବାରୁ ସେମାନେ ଭୋଟ ବର୍ଜନ କରିଥିବା କହିଛନ୍ତି। ଏହାସହ ବର୍ତ୍ତମାନ ସୁଦ୍ଧା କୌଣସି ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ମିଳିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି
ଜୟପୁରରେ ମଧ୍ୟ କିଛି ବୁଥରେ ଇଭିଏମ୍ ସମସ୍ୟା ଦେଖାଦେଇଥିଲା। ଯେଉଁଥି ପାଇଁ ଜୟପୁରରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତିଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଥିଲା ନିଜର ମତାଧିକାର ସାବ୍ୟସ୍ତ କରିବା ଲାଗି। କିଛିସମୟ ଅପେକ୍ଷା କରିବା ପରେ ଇଭିଏମ୍ ମେସିନ୍ ସଜଡ଼ା ଯାଇଥିଲା। ଯାହାପରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି ଭୋଟ ଦେଇଥିଲେ।

ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭ ପ୍ରତିଶତ ମତଦାନ
ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭ ପ୍ରତିଶତ ମତଦାନ ହୋଇଛି। ଏନେଇ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ସୂଚନା ମିଳିଛି। ରାଜ୍ୟ ନିର୍ବାଚନରେ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଓ ୪ଟି ଲୋକସଭା ଆସନ ପାଇଁ ମତଦାନ ଜାରି ରହିଛି। ପାଖାପାଖି ୭ ହଜାର ବୁଥ୍ରେ ମତଦାନ ହୋଇଛି।

ଆର୍ଏସ୍ଏସ୍ ପ୍ରମୁଖ ମୋହନ ଭାଗବତ ଭୋଟ ଦେଇଛନ୍ତି। ତାଙ୍କ ସହିତ ଭୟାଜୀ ଜୋଶୀ ମଧ୍ୟ ମତଦାନ କରିଛନ୍ତି। ମହାରାଷ୍ଟ୍ରର ନାଗପୁର ଲୋକସଭା କ୍ଷେତ୍ରରେ ଭୋଟ ଦେଇଛନ୍ତି ମୋହନ ଭାଗବତ।

ଆଜି ବହୁ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା
୨୦୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏହି ପର୍ଯ୍ୟାୟରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଭିତରେ ରୋମାଞ୍ଚକର ଟକ୍କର ହେବ ବୋଲି ଜଣାପଡ଼ିଛି। କେବଳ କେନ୍ଦ୍ର ମନ୍ତ୍ରୀ ନୁହନ୍ତି ବିଭିନ୍ନ ଦଳର ତୁଙ୍ଗ ନେତାମାନେ ବି ସେମାନଙ୍କ ଭାଗ୍ୟ ପରୀକ୍ଷା ହେବ।






















