ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସନ୍ତା ସୋମବାର ଦିନ ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଯାହା ଜଣାପଡ଼ୁଛି ଏହି ପର୍ଯ୍ୟାୟରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢେଇ ହେବ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ଓ ଏହାର ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକରେ ଭୋଟ ପଡ଼ିବ। ଏହି ପର୍ଯ୍ୟାୟରେ ଲୋକସଭା ପାଇଁ ୫୨ ଓ ବିଧାନସଭା ପାଇଁ ୩୩୪ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଏମାନଙ୍କ ମଧ୍ୟରେ ୩୩ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ବି ଅଛନ୍ତି।

ବିଜେଡି ଦୁର୍ଗ

ଯେତିକି ଯେତିକି ଭୋଟ ଗ୍ରହଣ ଦିବସ ପାଖେଇ ଆସୁଛି, ଦଳମାନଙ୍କ ମଧ୍ୟରେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅହରହ ଉଦ୍ୟମ ଜାରି ରହିଛି। ୨୦୧୪ ନିର୍ବାଚନରେ ବିଜେଡି ଏ ସବୁ ଯାକ ଲୋକସଭା ଆସନ ପୋଛି ପକେଇଥିଲା। ଏଣୁ ଦଳ ଆଶା କରୁଛି ଏଥର ବି ସେୟା ହେବ। ଉପକୂଳ ଓଡ଼ିଶା ହେଉଛି ବିଜେଡିର ଦୁର୍ଗ।

ଏହି ୬ ଲୋକସଭା ଆସନ ମଧ୍ୟରୁ ଜୋରଦାର ଲଢେଇ ଚାଲିଛି କେନ୍ଦ୍ରାପଡ଼ା ଆସନରେ। ବୈଜୟନ୍ତ ପଣ୍ଡା, ଅନୁଭବ ମହାନ୍ତି ଓ ଧରଣୀଧର ନାୟକ କେନ୍ଦ୍ରାପଡ଼ା ପାଇଁ ତିନି ପ୍ରମୁଖ ଦଳରୁ ପ୍ରାର୍ଥୀ ହୋଇଥିଲା ବେଳେ ମୁଖ୍ୟତଃ ବୈଜୟନ୍ତ ଓ ଅନୁଭବଙ୍କ ଭିତରେ ହିଁ ବଳ କଷାକଷି ଚାଲିଛି। ତେବେ ଧରଣୀଧର ନାୟକ ଗତ ନିର୍ବାଚନରେ ପ୍ରାୟ ୪ ଲକ୍ଷ ଭୋଟ ପାଇଥିଲେ। ବୈଜୟନ୍ତ ତାଙ୍କଠାରୁ ଅଧିକ ଦୁଇ ଲକ୍ଷ ଭୋଟ ହାତେଇ ଜିତିଥିଲେ। ୨୦୧୪ରେ ବିଜେପିର ନାମ ଗନ୍ଧ ନଥିବା ବେଳେ ଏଥର ବୈଜୟନ୍ତ ନିଜେ ବିଜେପିରୁ ଠିଆ ହୋଇଛନ୍ତି।

ହେବିୱେଟ ଲଢ଼େଇ

ମୟୂରଭଞ୍ଜ ଆସନରେ ମଧ୍ୟ ତିନିକୁ ତିନି କେହି କମ ନୁହନ୍ତି। ଦେବାଶିଷ ମାରାଣ୍ଡି, ବିଶ୍ୱେଶ୍ୱର ଟୁଡୁ ଓ ଅଂଜଳି ସୋରେନ ତିନି ଦଳରୁ ପ୍ରାର୍ଥୀ ହୋଇଛନ୍ତି। ଗତ ଥର ଏହି ଆସନ ବିଜେଡି କବ୍ଜାରେ ଥିଲା। ବାଲେଶ୍ୱରରେ ବି ତିନି ହେବିୱେଟଙ୍କ ଭିତରେ ଲଢେଇ ହେଉଛି। ଦେଖିବାକୁ ଗଲେ କେନ୍ଦ୍ରାପଡା ପରେ ବାଲେଶ୍ୱରରେ ଦ୍ୱିତୀୟ କଡ଼ା ମୁକାବିଲା ହେଉଛି। ୨୦୧୪ ନିର୍ବାଚନରେ ବିଜେଡିର ରବୀନ୍ଦ୍ର ଜେନା ୪ ଲକ୍ଷ ପାଖାପାଖି ଭୋଟ ପାଇଥିବା ବେଳେ ବିଜେପିର ପ୍ରତାପ ଷଡ଼ଙ୍ଗୀ ପ୍ରାୟ ୩ ଲକ୍ଷ ଭୋଟ ପାଇଥିଲେ। ଏଥର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପ୍ରାର୍ଥୀ ହୋଇଛନ୍ତି।

ପାରିବାରିକ ରାଜନୀତି

ଏଣେ ଭଦ୍ରକ ଲୋକସଭା ଆସନରେ ପୂରା ପାରିବାରିକ ଲଢେଇ ଚାଲିଛି। ବିଜେପି ପକ୍ଷରୁ ଅଭିମନ୍ୟୁ ସେଠୀ (ଅର୍ଜୁନ ସେଠୀଙ୍କ ପୁଅ )ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ଟିକେଟ ଦେଇଛି। କଂଗ୍ରେସରୁ ମଧୁମିତା ସେଠୀ ପ୍ରର୍ଥୀ ହୋଇଛନ୍ତି। ସେ ହେଉଛନ୍ତି ବରିଷ୍ଠ ନେତା ଅନନ୍ତ ସେଠୀଙ୍କ ଝିଅ।

ଯାଜପୁରରେ ଓଏଫସ ଚାକିରି ଛାଡ଼ିଥିବା ଶର୍ମିଷ୍ଠା ସେଠୀ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ତେଣେ ବିଜେପି ଅମୀୟ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ମାନସ ଜେନା କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ଯାଜପୁରରେ ବିଜେଡିର ଗଡ଼ ଭଙ୍ଗିବାକୁ ବିଜେପି ଓ କଂଗ୍ରେସ ଠୋସ ଉଦ୍ୟମ ଚଳାଇଥିବା ବେଳେ ଏହି ଆସନଟି ସଂରକ୍ଷିତ ହୋଇଥିବାରୁ ପ୍ରତିଯୋଗିତା ଏଠି ରୋମାଞ୍ଚକର ହୋଇଛି।

ଜଗତସିଂହପୁର ଲୋକସଭା ଆସନରେ ଗତଥର ବିଜେଡ଼ିର କୁଳମଣି ସାମଲ ୬ ଲକ୍ଷରୁ ଅଧିକ ଭୋଟ ପାଇଥିଲେ। ୨୦୧୪ରେ ବିଭୁ ତରାଇ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ ଏଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି।କଂଗ୍ରେସ ପ୍ରତିମା ମଲ୍ଲିକଙ୍କୁ ଟିକେଟ ଦେଇଛି।

ରଥୀ ମହାରଥୀ

ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଯେଉଁ ରଥୀ ମହାରଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ୪ ମନ୍ତ୍ରୀ – ପ୍ରଫୁଲ୍ଲ ସାମଲ, ଶଶୀଭୂଷଣ ବେହେରା, ପ୍ରତାପ ଜେନା ଓ ଅନନ୍ତ ଦାସ। ପିସିସି ସଭାପତି ନିରଞ୍ଜନ ପଟନାୟକ ବି ଏଥର ଭାଗ୍ୟ ପରୀକ୍ଷା କରିବେ।

Comment