ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ 

ବିଜେଡିର ବିଜ୍ଞାପନ ରାଜନୀତି କରିଡରରେ ବଢ଼ାଉଛି ଚର୍ଚ୍ଚା।

ଏଥର ଭାରତର ପ୍ରଧାନମନ୍ତ୍ରୀ କିଏ ହେବ? ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧି ନା ଆଉ କିଏ? ଏହି ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଉଙ୍କି ମାରୁଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳର ଏକ ବିଜ୍ଞାପନ ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଛି।

‘‘କେନ୍ଦ୍ରରେ ସରକାର ଗଠନ କରିବାରେ ଏଥର ଆଞ୍ଚଳିକ ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ଓଡ଼ିଶା ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ’’। ବିଜେଡିର ଏହି ଗୋଟିଏ ପୃଷ୍ଠା ସମ୍ବଳିତ ବିଜ୍ଞାପନ ଅନେକ କଥା କହିଛି। କେନ୍ଦ୍ରରେ କିଏ ସରକାର ଗଠନ କରିବ ଏବଂ ପ୍ରଧାନମନ୍ତ୍ରୀ କିଏ ହେବେ ସେଥିରେ ବିଜେଡିର ଭୂମିକା ରହିବ ବୋଲି କୁହାଯାଇଛି।

ତେବେ ସବୁବେଳେ ‘ସମଦୂରତା’ କଥା କହି ଆସୁଥିବା ବିଜେଡି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ହଠାତ୍ ପ୍ରଧାନମନ୍ତ୍ରୀ ବାଛିବାରେ କାହିଁକି ଆଗଭର ହୋଇପଡ଼ିଲା ତାକୁ ନେଇ କାରଣ ଖୋଜା ଚାଲିଛି।

୧୯୯୭ରୁ ଏନଡିଏ ମେଣ୍ଟରେ ରହିଥିଲା ବିଜେଡି। ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଧାନମନ୍ତ୍ରୀ କରିବାରେ ବିଜେଡି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୨୦୦୪ରେ ଏନଡିଏ ସରକାର କ୍ଷମତାରୁ ଯିବା ପରେ କଂଗ୍ରେସ ନେତୃତ୍ୱାଧୀନ ଉପା ଆସିଥିଲା କ୍ଷମତାକୁ। ସେତେବେଳେ ବିରୋଧୀ ଦଳରେ ଏନଡିଏ ରହିଥିଲେ ମଧ୍ୟ ବିଜେଡି ସମର୍ଥନ ପ୍ରତ୍ୟାହାର କରି ନଥିଲା।

ହେଲେ ୨୦୦୯ରେ ଏନଡିଏ ମେଣ୍ଟରୁ ଦୂରେଇ ଯାଇଥିଲା ବିଜେଡି। ଏନଡିଏ ସରକାରକୁ ନଆସିବାରୁ ବିଜେଡିର ଆଭିମୁଖ୍ୟ ସେମିତି ସ୍ପଷ୍ଟ ନଥିଲା। କିନ୍ତୁ ୨୦୧୪ରୁ ଚିତ୍ର ବଦଳିଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବିଜେଡି ‘ସମଦୂରତା’ ମନ୍ତ୍ର ଜପି ଆସୁଥିଲା।

କିନ୍ତୁ ଏବେ ୨୦୧୯ ନିର୍ବାଚନ ବେଳେ ବିଜେଡି କେନ୍ଦ୍ରରେ ସରକାର ଗଠନ ଉପରେ ଜୋର୍ ଦେଇଛି। କେନ୍ଦ୍ରରେ ସରକାର ଗଠନରେ ବିଜେଡିର ଭୂମିକା ରହିବ ବୋଲି ନିଜେ ନବୀନ ବିଭିନ୍ନ ନିର୍ବାଚନୀ ସଭାରେ କହିବା ସହ ବିଜ୍ଞାପନ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ଜଣାଇଛନ୍ତି।

ବିଜେପି ପାଇଁ ଚିନ୍ତା!

ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ବିଜେଡି ଏଭଳି ବିଜ୍ଞାପନ ଦେଇ ନଥିଲା। ବିଜେଡିର ମ୍ୟାନେଜରମାନେ ଆଶାବାଦୀ ଥିଲେ ଯେ ନବୀନଙ୍କ ହାୱାରେ ଭୋଟ ଅଛି। ହେଲେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ଶେଷ ହୋଇଥିବା ୧୫ଟି ଲୋକସଭା ଆସନରେ କେଉଁଠି ନା କେଉଁଠି ଏପଟ ସେପଟ ହେଉଥିବା ବିଜେଡିର ନେତାମାନେ ହୃଦୟଙ୍ଗମ କଲେ। ଫଳରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ‘କେନ୍ଦ୍ର ସରକାର ଗଠନରେ ବିଜେଡିର ଭୂମିକା ଗୁରୁତ୍ୱପୂର୍ଣ୍ଣ’ ରହିବ ପ୍ରଚାର କଲା ଦଳ।

କେନ୍ଦ୍ରରେ ବିଜେଡି କାହାକୁ କରିବ ସମର୍ଥନ?

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବିଜ୍ଞାପନକୁ ଯଦି ସତ ବୋଲି ଧରାଯାଏ ତାହାଲେ ବିଜେଡି କେନ୍ଦ୍ରରେ କାହାକୁ ସମର୍ଥନ କରିବ? ନିର୍ବାଚନ ରଣାଙ୍ଗନରେ ଜୋରଦାର ଟକ୍କର ଦେଉଥିବା ବିଜେପି, କଂଗ୍ରେସକୁ ନା ଆଉ କାହାକୁ?

ଯେଉଁ ଅଭିମୁଖ୍ୟ ରଖି ଓଡ଼ିଶାରେ ବିଜେପି ଏବଂ ବିଜେଡି ନିର୍ବାଚନ ଲଢୁଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ଯେ ବିଜେଡି କେନ୍ଦ୍ରରେ ଆଦୌ ବିଜେପିକୁ ସମର୍ଥନ କରିବା ଭଳି ମୁଡରେ ନାହିଁ। କଥା କଥାକେ ବିଜେଡି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଥିବା ବେଳେ ବିଜେପି ମଧ୍ୟ ବିଜେଡିର ଦୁର୍ନୀତିକୁ ଅସ୍ତ୍ର କରି ଘେରିଥିଲା। ଏଣୁ କେନ୍ଦ୍ରର ବିଜେପି ସରକାରକୁ ବିଜେଡି ଏତେ ସହଜରେ ସମର୍ଥନ କରିବା ଭଳି ମନେ ହେଉନି।

rahulସେହିପରି ବିଜେଡି ଅଣକଂଗ୍ରେସ ରାଜନୀତିରେ ସବୁବେଳେ ବିଶ୍ୱାସ କରି ଆସିଛି। ଅତୀତରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରକୁ ସକାଲୋଚନା କରୁଥିଲା ବିଜେଡି। କଂଗ୍ରେସ ସରକାର ଅମଳରେ ଓଡ଼ିଶା ଉପେକ୍ଷିତ ହୋଇ ଆସୁଥିବା ବିଜେଡି ବାରମ୍ବାର ଅଭିଯୋଗ କରୁଥିଲା। ଏଣୁ କେନ୍ଦ୍ରରେ କଂଗ୍ରେସ ଯଦି ସରକାର ଗଠନ କରିବା ଭଳି ସ୍ଥିତିକୁ ଆସେ ତାହାଲେ ବିଜେଡି ସମର୍ଥନ ଦେବ ଏକଥା ଭାବିବା ଭୁଲ୍।

ଏକମାତ୍ର ବିକଳ୍ପ ‘ମହାମେଣ୍ଟ’

ଗତ କିଛିମାସ ହେଲା ଜାତୀୟ ରାଜନୀତିରେ ‘ମହାମେଣ୍ଟ’କୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ଏଯାଏଁ ମହାମେଣ୍ଟର ରୂପରେଖ କିଛି ଚୂଡ଼ାନ୍ତ ହୋଇନି ତେବେ ବିଜେପି ଏବଂ କଂଗ୍ରେସ ବିରୋଧରେ କିଛି ଆଞ୍ଚଳିକ ଦଳ ଏକାଠି ହେଉଥିବା କୁହାଯାଉଛି।

କଂଗ୍ରେସ ଓ ବିଜେପି ବିରୋଧରେ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ଆରଜେଡି, ତୃଣମୂଳ କଂଗ୍ରେସ, ତେଲେଙ୍ଗାନା ରାଷ୍ଟ୍ର ସମିତି, ଟିଡିପି ଭଳି ଦଳ ମେଳି ବାନ୍ଧୁଥିବା ଚର୍ଚ୍ଚା ହେଉଛି। ତେବେ ଏଥିରେ ବିଜେଡି ସାମିଲ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି।

ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ କୋଲକାତାରେ ଏକ ମହାମେଳି ହୋଇଥିଲା। ଏଥିରେ ୧୧ରୁ ଅଧିକ ଆଞ୍ଚଳିକ ଦଳର ନେତା ଯୋଗ ଦେଇଥିଲେ। କିନ୍ତୁ ବିଜେଡି ଏଥିରେ ସାମିଲ ହୋଇ ନଥିଲା। ସେତେବେଳେ ସମଦୂରତା କଥା କହିଥିଲା ବିଜେଡି।

ଏବେ କିନ୍ତୁ କେନ୍ଦ୍ରରେ ସରକାର ଗଠନରେ ବିଜେଡି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଜୋରସୋର ପ୍ରଚାର ହେଉଥିବାରୁ ନବୀନ କାହାକୁ ସମର୍ଥନ କରିବେ ସେ ବିଷୟରେ କିଛି ସ୍ପଷ୍ଟ କରି ନାହାନ୍ତି। ବିଜେଡି ପାଇଁ ‘ସମଦୂରତା’ ଇତିହାସ ପାଲଟି ଯିବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୨ରେ ରାଷ୍ଟ୍ରପତି ନିର୍ବାଚନରେ ପି ଏ ସାଙ୍ଗମାଙ୍କୁ ପ୍ରାର୍ଥୀ କରି ନବୀନ ଜାତୀୟ ରାଜନୀତିରେ ଚର୍ଚ୍ଚାରେ ରହିଥିଲେ। ସେତେବେଳେ ନବୀନଙ୍କ ପ୍ରାର୍ଥୀ ସାଙ୍ଗମାଙ୍କୁ ବିଜେପି ସମର୍ଥନ କରିଥିଲା। ବିଜେଡି ସୁପ୍ରିମୋ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଦେଇ ଅନ୍ୟ ଦଳକୁ ଚମକେଇ ଦେଇଥିଲେ।

ଏଣୁ ୨୦୧୨ ରାଷ୍ଟ୍ରପତି ନିର୍ବାଚନ ପରି ୨୦୧୯ରେ ପ୍ରଧାନମନ୍ତ୍ରୀ ବାଛିବାରେ ନବୀନ କିଛି ଚମକାଇଲା ଭଳି କାମ କରିବେ କି ବୋଲି ରାଜନୀତି କରିଡରରେ ଚର୍ଚ୍ଚା ଚାଲିଛି।

Comment