ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ ୪୩ ବର୍ଷ ଭିତରେ ସବୁଠାରୁ ବଡ଼ ଖରାଦିନିଆ ବାତ୍ୟା ଥିଲା ଫନି। ଗତ ୧୫୦ ବର୍ଷ ଭିତରେ ଏହା ଅନ୍ୟତମ ଶକ୍ତିଶାଳୀ ବାତ୍ୟା ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ଫନି ପ୍ରଭାବରେ ଓଡ଼ିଶାର ଉପକୂଳ ଏବଂ ତା’ର ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି।

ଫନି ବାତ୍ୟା ଫଳରେ ରାଜ୍ୟର ପ୍ରାୟ ୧କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫୦ଲକ୍ଷରୁ ଅଧିକ ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ହଜାର ହଜାର ଘର ଭାଙ୍ଗିଯିବା ଫଳରେ ଲୋକ ବାସହରା ଅବସ୍ଥାକୁ ଆସିଯାଇଛନ୍ତି। ସମୁଦ୍ରକୂଳିଆ ଅଞ୍ଚଳରେ ଅନେକ ଲୋକଙ୍କ ଜୀବିକା ହେଉଛି ନଡ଼ିଆ ଗଛ। ଏଥର ବାତ୍ୟାରେ ବହୁ ସଂଖ୍ୟାରେ ନଡ଼ିଆ ଗଛ ଭାଙ୍ଗିଯିବା ଫଳରେ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି।

ପୁରୀ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ ପ୍ରଭାବିତ

ଲୋକଙ୍କ ଘରଦ୍ୱାର ସହିତ ଫସଲ ମଧ୍ୟ ନଷ୍ଟ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା ବାତ୍ୟାରେ ଆଂଶିକ ଭାବେ ପ୍ରଭାବିତ ହେବା ବେଳେ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ଗୁରୁତର ଭାବେ ପ୍ରଭାବିତ ହୋଇଛି ବୋଲି ପ୍ରଶାସନ ସୂଚନା ଦେଇଛି। ପୁରୀରେ ଘଣ୍ଟା ପ୍ରତି ୨୦୦ କିଲୋମିଟରରୁ ଅଧିକ ପବନ ବୋହିଥିବା କଥାକୁ ନିଶ୍ଚିତ କରିଛି ପ୍ରଶାସନ। ତେବେ ଭୁବନେଶ୍ୱର ଏବଂ ଖୋର୍ଦ୍ଧାର ଗୁରୁତର ପ୍ରଭାବିତ ଅଞ୍ଚଳରେ ପବନର ବେଗ ସର୍ବାଧିକ କେତେ ଥିଲା ସେ ସମ୍ପର୍କରେ ପାଣିପାଗ ବିଭାଗ ସରକାରଙ୍କୁ ଏପର୍ଯ୍ୟନ୍ତ ସୂଚନା ଦେଇପାରିନାହିଁ।

ମୁଖ୍ୟମନ୍ତ୍ରୀ କଲେ ବାତ୍ୟା ସମୀକ୍ଷା

ଶନିବାର ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି। ବାତ୍ୟା ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଟେଲିକମ୍ ଓ ଜଳଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବା କ୍ରିଟିକାଲ୍ ଇନଫ୍ରାଷ୍ଟକଚର ପ୍ରଭାବିତ ହୋଇଛି। ଏସବୁକୁ ସ୍ୱାଭାବିକ କରିବା ପାଇଁ ବିଭିନ୍ନ ସରକାରୀ ବିଭାଗ, ସହଯୋଗୀ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ନେଇ ପ୍ରଶାସନ ଦିନ ରାତି କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ଣରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ଆକାଶ ମାର୍ଗରୁ ପରିସ୍ଥିତି ଅନୁଧ୍ୟାନ କରିବେ।

ଚଳିତ ବାତ୍ୟାରେ ପୁରୀ ଜିଲ୍ଲା ଏବଂ ପୁରୀ ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତା’ ସାଙ୍ଗକୁ ଜଗତ୍‌ସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳ ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହୋଇଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ ଫନି ଅଳ୍ପବହୁତ ପ୍ରଭାବ ପକାଇଛି। ଏପରିକି ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତି, ଖୋର୍ଦ୍ଧା, ଯାଜପୁର ଏବଂ ମୟୂରଭଞ୍ଜରେ ମଧ୍ୟ ଫନିର ପ୍ରଭାବ ଅନୁଭୂତ ହୋଇଛି।

ଜିରୋ କାଜୁଆଲିଟିକୁ ଦୋହଲାଇ ଦେଲା ଫନି

ଏଥର ବାତ୍ୟାରେ ପ୍ରଶାସନ ‘ଜିରୋ କାଜୁଆଲିଟି’ ବୋଲି ଲକ୍ଷ୍ୟ ରଖିଥିଲେ ମଧ୍ୟ ଅନେକ ଜାଗାରେ ମୃତାହତ ସୂଚନା ମିଳୁଛି। ପୁରୀ ସହର, ଜିଲ୍ଲାର ଅନ୍ୟ ଅଞ୍ଚଳ, ଯାଜପୁର, ଭଦ୍ରକ ଏବଂ ମୟୂରଭଞ୍ଜର କେତେକ ସ୍ଥାନରେ ବାତ୍ୟାଜନିତ ମୃତ୍ୟୁ ହୋଇଛି। ତା’ ସାଙ୍ଗକୁ ଅନେକ ସ୍ଥାନରେ ଲୋକେ ଆହତ ହୋଇଥିବାର ମଧ୍ୟ ସୂଚନା ମିଳିଛି।

ରିଲିଫ୍ କମିଶନରଙ୍କ ସୂଚନା

ଶନିବାର ଦିନ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଚଳିତ ବାତ୍ୟାରେ ରାଜ୍ୟର ପ୍ରଭୂତ କ୍ଷୟକ୍ଷତି ଘଟିଛି। ତେବେ ପ୍ରାଥମିକ ଅବସ୍ଥାରେ ଲୋକଙ୍କୁ ରିଲିଫ୍ ଦେବା ସହ ଯୋଗାଯୋଗ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଉପରେ ସରକାର ଜୋର୍ ଦେଉଛନ୍ତି।

ଫନି ପ୍ରଭାବିତ ଅଞ୍ଚଳରେ ଅଧିକାଂଶ କଚ୍ଚା ଘର ଭୁଶୁଡି ପଡ଼ିଛି। ଅନ୍ୟ ଘରଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛି। ବାସଗୃହ ସହିତ ଗୁରୁତର ଭାବେ ରବି ଫସଲ ପ୍ରଭାବିତ ହୋଇଛି।

ଫନି ପ୍ରଭାବ ଯୋଗୁଁ ବିଜୁଳି, ଟେଲିକମ୍ ସେବା ଠପ୍ ହୋଇଯାଇଛି। ଗଛ ପଡ଼ିବା ଫଳରେ ରାସ୍ତାଘାଟରେ ଯୋଗାଯୋଗ ପ୍ରଭାବିତ ହୋଇଛି। ତେବେ ବିଭିନ୍ନ ଜିଲ୍ଲାର ପ୍ରମୁଖ ରାସ୍ତାଗୁଡ଼ିକ ଇତିମଧ୍ୟରେ ଖୋଲିଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି। ଆଗାମୀ ଦୁଇ ଦିନ ମଧ୍ୟରେ ସଂଯୋଗକାରୀ ରାସ୍ତାଗୁଡ଼ିକ ଖୋଲିଯିବ।

ସାଟେଲାଇଟ୍ ଫୋନ୍ ସହାୟ

ପୁରୀ ସହର ଉପରେ ପ୍ରଶାସନ ଧ୍ୟାନ ରଖିଛି। ଟେଲିଫୋନ୍ ସେବା ବିଗିଡ଼ି ଯାଇଥିବାରୁ ପ୍ରଶାସନ ଏବେ ସାଟେଲାଇଟ୍ ଫୋନ୍ ଯୋଗେ ରିଲିଫ୍, ଉଦ୍ଧାରକାରୀ ଦଳ ଏବଂ କ୍ଷେତ୍ର କର୍ମଚାରୀମାନଙ୍କ ସହ ଯୋଗାଯୋଗ କରୁଛି।

ରାଜ୍ୟରେ ଥିବା ପ୍ରମୁଖ ଟେଲିଫୋନ୍ କମ୍ପାନିଗୁଡ଼ିକ କିଭଳି ଭାବେ ମୋବାଇଲ୍ ସେବା ଶୀଘ୍ର ସ୍ୱାଭାବିକ କରିପାରିବେ ସେଥିପାଇଁ ସରକାର ସେମାନଙ୍କ ସହ ଆଲୋଚନା କରିଛନ୍ତି।

ରିଲିଫ୍ ପୁନରୁଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ

ରାଜ୍ୟର ୧.୧ କୋଟି ବିଜୁଳି ଗ୍ରାହକମାନଙ୍କ ମଧ୍ୟରୁ ୩୦ଲକ୍ଷରୁ ଅଧିକ ଗ୍ରାହକଙ୍କ ବିଜୁଳି ସଂଯୋଗ କଟିଯାଇଛି। ପର୍ଯ୍ୟାୟକ୍ରମେ ବିଜୁଳି ସଂଯୋଗକୁ ସ୍ୱାଭାବିକ କରିବା ପାଇଁ କାମ ଆରମ୍ଭ କରାଯାଇଛି।

ଏଥର ବାତ୍ୟା ମୁକାବିଲା ବେଳେ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ରିଲିଫ୍ କମିଶନର୍ କହିଛନ୍ତି। ବିଭିନ୍ନ କେନ୍ଦ୍ରରେ ଲୋକଙ୍କୁ ରିଲିଫ୍ ଦିଆଯାଉଛି। ବାତ୍ୟା ଚାଲିଯାଇଥିବାରୁ ଲୋକମାନେ ନିଜ ନିଜ ଘରକୁ ଫେରୁଛନ୍ତି। ରିଲିଫ୍ ବ୍ୟବସ୍ଥାର ଅଂଶସ୍ୱରୂପ ଲୋକଙ୍କୁ ଚାଉଳ ଏବଂ ପଲିଥିନ୍ ଯୋଗାଇ ଦିଆଯାଉଛି।

Comment