ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହେଲା ବିଦ୍ୟୁତ୍‌ ସେବା। ବାତ୍ୟା ‘ଫନି’ ପରେ ଶ୍ରୀମନ୍ଦିରରେ ବିଦ୍ୟୁତ ଯୋଗାଣରେ ବ୍ୟାଘାତ ଘଟିଥିଲା। ତେବେ ବର୍ତ୍ତମାନ ସ୍ଥିତି ସାମାନ୍ୟ ସ୍ୱାଭାବିକ ହେବା ପରେ ପ୍ରଥମେ ଶ୍ରୀମନ୍ଦିରକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି। ଏନେଇ ସେସୁ’ର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ପ୍ରଳୟଙ୍କରୀ ବାତ୍ୟା ‘ଫନି’ର କରାଳ ଛାୟାରେ ସମଗ୍ର ପୁରୀ ଜିଲ୍ଲା ଛାରଖାର ହୋଇଯାଇଛି। ବାତ୍ୟା ପ୍ରଭାବରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସିନାହିଁ। ଏହାରି ମଧ୍ୟରେ ବୁଧବାର ପ୍ରଥମେ ପୁରୀ ଶ୍ରୀମନ୍ଦିରକୁ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଛି। ଧିରେ ଧିରେ ଅନ୍ୟ ସ୍ଥାନମାନଙ୍କରେ ବିଦ୍ୟୁତ୍‌ ସେବା କାର୍ଯ୍ୟକାରୀ ହେବ ବୋଲି ସେସୁ ପକ୍ଷରୁ କୁହାଯାଇଛି।

ଗତ ୧୨ ଦିନ ହେଲା ପୁରୀ ଶ୍ରୀମନ୍ଦିର ସମେତ ପୁରୀ ସହର ଅନ୍ଧାରରେ ରହିଥିଲା। ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡକୁ ବିଜୁଳି ସଂଯୋଗ ଦିଆଯାଇଛି। ଶ୍ରୀମନ୍ଦିର ଏବଂ ବଡ଼ ଦାଣ୍ଡରେ ବିଜୁଳି ଆସିବା ପରେ ଲୋକେ କହିଥିଲେ ‘ଜୟ ଜଗନ୍ନାଥ’।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment