ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଲୋକସଭା ଏବଂ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ନେଇ ଯେତେବେଳେ ସାରା ଦେଶରେ ବିତର୍କ ଚାଲିଥିଲା ଠିକ୍ ସେତିକି ବେଳେ ବିଜେଡି ମାଷ୍ଟର ଷ୍ଟ୍ରୋକ ଖେଳିଥିଲେ।

୨୦୧୯ ନିର୍ବାଚନରେ ଲୋକସଭା ଆସନରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇ ନବୀନ ବିଜୟୀ ହେବା ପାଇଁ ଅଙ୍କ କଷିଥିଲେ। ତେବେ ଏହି ଅଙ୍କ କେତେ କାମ ଦେଲା ଜାଣନ୍ତୁ ଏହି ରିପୋର୍ଟରୁ।

ନବୀନ ଏଥର ୨୧ଟି ଲୋକସଭା ଆସନରୁ ୭ଟି କ୍ଷେତ୍ରରେ ମହିଳାଙ୍କୁ ଟିକେଟ ଦେଇଥିଲେ। ଭଦ୍ରକ, ଯାଜପୁର, ଜଗତସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ ଏବଂ ଆସ୍କା ଲୋକସଭା କ୍ଷେତ୍ରରେ ବିଜେଡି ମହିଳା ପ୍ରାର୍ଥୀ ଦେଇଥିଲା।

କେବଳ ସୁନ୍ଦରଗଡ଼ରେ ଏହି କାର୍ଡ ଫେଲ୍ ମାରିଥିବା ବେଳେ ଅନ୍ୟ ୬ଟି ଲୋକସଭା କ୍ଷେତ୍ରରେ ସଫଳ ହୋଇଛି।

ଆସ୍କାରୁ ପ୍ରମିଳା

ଆସ୍କା ଲୋକସଭା ଆସନରେ ନବୀନ ଏଥର ସମସ୍ତଙ୍କୁ ଚମକାଇ ଦେଲା ଭଳି ପ୍ରାର୍ଥୀ ଦେଇଥିଲେ। ସାଧାରଣ ପରିବାରରୁ ଆସିଥିବା ବୟସ୍କା ମହିଳା ପ୍ରମିଳା ବିଷୋୟୀଙ୍କୁ ଟିକେଟ ଦେଇଥିଲା ବିଜେଡି। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଥିବା ପ୍ରମିଳାଙ୍କୁ ଟିକେଟ ଦେଇ ନବୀନ ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଥିଲେ। ଏବେ ପ୍ରମିଳା ଲକ୍ଷାଧିକ ଭୋଟରେ ଜିତି ଲୋକସଭା ଯିବେ। ସେଠି ଓଡ଼ିଶା ଏବଂ ଆସ୍କାବାସୀଙ୍କ ସ୍ୱର ହେବେ।

ବିଜେଡିର ମହିଳା କାର୍ଡକୁ ଟକ୍କର ଦେବା ପାଇଁ ବିଜେପି ମଧ୍ୟ ଏଠି ଦେଇଥିଲା ମହିଳା ପ୍ରାର୍ଥୀ। ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀଙ୍କୁ ବିଜେପି ଟିକେଟ ଦେଇଥିଲେ ମଧ୍ୟ ତାହା ଏଠାରେ କାମ ଦେଇନି। ଆସ୍କାରେ ନବୀନଙ୍କ ଶକ୍ତି କାମ ଦେଇଛି।

କୋରାପୁଟରେ କୌଶଲ୍ୟା

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୋରାପୁଟ ଲୋକସଭା ଆସନରେ ନବୀନ ଖେଳିଥିଲେ ମହିଳା କାର୍ଡ। ପୂର୍ବତନ ସାଂସଦ ଝିନ୍ନ ହିକ୍‌କାଙ୍କ ସ୍ତ୍ରୀ କୌଶଲ୍ୟା ହିକ୍‌କାଙ୍କୁ ପ୍ରାର୍ଥୀ କରିଥିଲେ ନବୀନ। କୌଶଲ୍ୟା ରାଜନୀତିରେ ପ୍ରବୀଣା ହୋଇ ନଥିଲେ ମଧ୍ୟ ନବୀନଙ୍କ ଲୋକପ୍ରିୟତା ଆଧାରରେ ସେ ଚଳିତ ନିର୍ବାଚନରେ ବାଜିମାତ କରିଛନ୍ତି। କୌଶଲ୍ୟା ରାଜନୀତିକୁ ଆସିବା ପୂର୍ବରୁ ଶିକ୍ଷୟତ୍ରୀ ଭାବେ ଚାକିରି କରିଥିଲେ। ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗୀଙ୍କୁ ଟକ୍କର ଦେଉଥିଲେ କୌଶଲ୍ୟା।

କେନ୍ଦୁଝରରେ ଚନ୍ଦ୍ରାଣୀ

କେନ୍ଦୁଝର ଲୋକସଭା ଆସନରେ ନବୀନ ନବାଗତା ଚନ୍ଦ୍ରାଣୀ ମୁର୍ମୁଙ୍କୁ ଦେଇଥିଲା ଟିକେଟ। କେନ୍ଦୁଝରରେ ଚନ୍ଦ୍ରାଣୀ ହୋଇଥିଲେ ନବୀନଙ୍କ ଶକ୍ତି। ନିର୍ବାଚନ ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଥିବା ଚନ୍ଦ୍ରାଣୀ ଏବେ ନିର୍ବାଚନ ଜିତିବା ସ୍ଥିତିରେ ଅଛନ୍ତି। ୪ ଲକ୍ଷ ୪ ହଜାର ୯୬୪ ଭୋଟ ପାଇ ଚନ୍ଦ୍ରାଣୀ ବିଜୟର ଦ୍ୱାର ଦେଶରେ ରହିଛନ୍ତି।

ଭଦ୍ରକରେ ମଞ୍ଜୁଲତା

ସବୁଠୁ ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ ଭଦ୍ରକରେ ମଧ୍ୟ ଏଥର ନବୀନଙ୍କ ଶକ୍ତି କାମ କରିଛି। ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତା ମଣ୍ଡଳଙ୍କୁ ଭଦ୍ରକ ଲୋକସଭା ଆସନରୁ ଟିକେଟ ଦେଇ ନବୀନ ମହିଳା କାର୍ଡ ଖେଳିଥିଲେ।

ଏହି ଲୋକସଭା ସିଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ଟିକେଟ ଦେଇଥିଲା ଦଳ। ଅଭିମନ୍ୟୁ ଜିତିବେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ନବୀନଙ୍କ ଶକ୍ତି ଭଦ୍ରକରେ ସଫଳ ହୋଇଛି।

ଯାଜପୁରରେ ଶର୍ମିଷ୍ଠା

ଯାଜପୁର ଲୋକସଭା ଆସନରେ ଏଥର ପ୍ରାର୍ଥୀ ବଦଳାଇଥିଲା ବିଜେଡି। ୨୦୧୪ରେ ନିର୍ବାଚନ ଜିତିଥିବା ରୀତା ତରାଇଙ୍କ ବଦଳରେ ଶର୍ମିଷ୍ଠା ସେଠୀଙ୍କୁ ଟିକେଟ ଦେଇଥିଲା ବିଜେଡି। ଶର୍ମିଷ୍ଠା ଅର୍ଥ ବିଭାଗର ଉପ ସଚିବ ଭାବେ କାର୍ଯ୍ୟ କରୁଥିଲେ।

ତାଙ୍କୁ ଯାଜପୁର ଲୋକସଭା ସିଟରେ ପ୍ରାର୍ଥୀ କରିଥିଲା ବିଜେଡି। ଏଠି ବି ଶର୍ମିଷ୍ଠା ବିଜୟ ବାନା ଉଡ଼ାଇଛନ୍ତି।

ଜଗତସିଂହପୁରରେ ରାଜଶ୍ରୀ

୨୦୧୪ରେ ତିର୍ତ୍ତୋଲ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରାଜଶ୍ରୀ ମଲ୍ଲିକଙ୍କୁ ଏଥର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା ବିଜେଡି। ରାଜଶ୍ରୀଙ୍କୁ ପ୍ରାର୍ଥୀ କରି ନବୀନ ଏଠାରେ ମହିଳା କାର୍ଡ ଖେଳିଥିଲେ। ମୋଦିଙ୍କ ଲହରରେ ଜଗତସିଂହପୁରରେ ପଦ୍ମ ଫୁଟିବ ବୋଲି ଏଥର ଚର୍ଚ୍ଚା ହେଉଥିଲା। ହେଲେ ମୋଦି ଲହରକୁ ମାତ୍ ଦେଇଛି ନବୀନଙ୍କ ଶକ୍ତି। ରାଜଶ୍ରୀ ଲୋକସଭା ଯିବା ପାଇଁ ପୂରା ତୟାର ହୋଇଛନ୍ତି।

ସୁନ୍ଦରଗଡ଼ରେ ଫେଲ୍ ମାରିଲା କାର୍ଡ

ନବୀନ ପଟ୍ଟନାୟକ ଯେଉଁ ୭ଟି ଲୋକସଭା ଆସନରେ ମହିଳା କାର୍ଡ ଖେଳିଥିଲେ ସେଥିମଧ୍ୟରୁ ସୁନ୍ଦରଗଡ଼ରେ ବଡ଼ ଝଟକା ଲାଗିଛି। ନବୀନଙ୍କ ଶକ୍ତି ସୁନ୍ଦରଗଡ଼ରେ ବିଫଳ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଜୁଏଲ ଓରାମଙ୍କୁ ହାତରୁ ସୁନ୍ଦରଗଡ଼ ଛଡ଼ାଇ ଆଣିବା ପାଇଁ ସୁନିତା ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଥିଲେ ହେଁ ତାହା କାମ ଦେଇନି।

ସୁନିତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ। ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ। ହେଲେ ତାଙ୍କୁ କଂଗ୍ରେସ ଟିକେଟ ନଦେବାରୁ ସେ ବିଜେଡିରେ ସାମିଲ ହୋଇଥିଲେ।

Comment