ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଗୁଆ ଫଳାଫଳ ଯଦି କିଛି ଇଙ୍ଗିତ ଦେଉଛି,ପୁରୀ ହେଉଛି ୨୦୧୯ ନିର୍ବାଚନରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ। ବିଜେଡ଼ି ପ୍ରାର୍ଥୀ ଓ ଦଳର ହେଭିୱେଟ ନେତା ପିନାକୀ ମିଶ୍ରଙ୍କୁ ପଛରେ ପକାଇଛନ୍ତି ବିଜେପିର ଡ଼ ସମ୍ବିତ ପାତ୍ର।ଯେଉଁଭଳି ଭାବରେ ସମ୍ବିତଙ୍କୁ ବିଜେପି ପକ୍ଷରୁ ହଠାତ ପୁରୀ ପାଇଁ ପ୍ରାର୍ଥୀ କରାଗଲା ଓ ସେ ଯେଉଁଭଳି ପ୍ରଚାର ଚଳାଇଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲା। ଯଦି ପ୍ରକୃତରେ ସମ୍ବିତ ବିଜୟ ଲାଭ କରନ୍ତି ବିଜେପି ପାଇଁ ଏହା ଏକ ଗୌରବଜନକ ବିଜୟ ହେବ ତାହା ନୁହେଁ, ସେ କେନ୍ଦ୍ରରେ ଜଣେ ମନ୍ତ୍ରୀ ବି ହୋଇପାରନ୍ତି।

ମର୍ଯ୍ୟାଦାଜନକ ଆସନ

ପୁରୀ ସବୁବେଳେ ଏକ ମର୍ଯ୍ୟ।ଦଜନକ ଆସନ ହୋଇ ଆସିଛି।୨୦୦୯ ଠାରୁ ପିନାକୀ ମିଶ୍ର ଏଠାକାର ସାଂସଦ ରହି ଆସିଥିଲେ। ୨୦୧୪ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ କଂଗ୍ରେସର ସୁଚରିତା ମହାନ୍ତି। ୧୯୭୧ରେ କଂଗ୍ରେସର ବନମାଳୀ ପଟ୍ଟନାୟକ ଜିତିଥିବା ବେଳେ, ୧୯୭୭ରେ ପଦ୍ମଚରଣ ସାମନ୍ତସିଂହାର ଏଠାରୁ ବିଜୟୀ ହୋଇଥିଲେ। ୧୯୮୦ ଓ ୧୯୮୪ରେ ବ୍ରଜମୋହନ ମହାନ୍ତି ଦୁଇ ଥର ନିର୍ବାଚନ ଲଢ଼ି ଜିତିଥିଲେ।

୧୯୮୯ରେ ଜନତା ଦଳ ଟିକେଟରେ ନୀଳମଣି ରାଉତରାୟ ଏଠାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୬ରେ ଜନତା ଦଳର ବ୍ରଜ ତ୍ରିପାଠୀ ପୁରୀରୁ ଜିତିଥିଲେ।୨୦୧୯ରେ ପିନାକୀ ମିଶ୍ର ଓ ସମ୍ବିତ ପାତ୍ରଙ୍କୁ ଛାଡ଼ିଦେଲେ ଅନ୍ୟ ଜଣେ ଜଣାଶୁଣା ପ୍ରାର୍ଥୀ ହେଉଛନ୍ତି କଂଗ୍ରେସର ସତ୍ୟ ପ୍ରକାଶ ନାୟକ।

ସମ୍ବିତଙ୍କ ରଣନୀତି

ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢ଼ିବା ପାଇଁ ଯୋଜନା କରୁଛନ୍ତି ବୋଲି ବହୁ ସମୟ ଧରି ବିଜେପି ପକ୍ଷରୁ ଆକଳନ  ଚାଲିବା ପରେ ସମ୍ବିତଙ୍କୁ ଯେତେବେଳେ ପ୍ରାର୍ଥୀ ଘୋଷଣା କରାଗଲା,ସେ ବି ନିଜେ ଏହାକୁ ଏକ ଚ୍ୟାଲେଞ୍ଜ ବୋଲି ଧରି ନେଇଥିଲେ।ସତ କହିଲେ, ସମ୍ବିତଙ୍କ ପ୍ରଚାର ଉପରେ ସମସ୍ତଙ୍କ ନଜର ଲାଖି ରହିଥିଲା।

ରାତିରେ ବସ୍ତିରେ ଲୋକଙ୍କ ସହ ରହିବା, ତେଲୁଗୁ ଗୀତ ଗାଇ ଭୋଟରଙ୍କ ମନ କିଣିବା,ସାଧାରଣ ଲୋକଙ୍କ ଘରେ ଭୋଜନ କରିବା, ଗାଁ ପୋଖରୀରେ ଗାଧୋଇବା ଏବଂ କପାଳରେ ଚିତା ତିଳକ ଲଗାଇବା ଏହି ଭଳି ଅନେକ ପ୍ରକାର ତରିକା ଗ୍ରହଣ କରିଥିଲେ ସମ୍ବିତ ।ସବୁଠୁ ବଡ଼ କଥା ସେ ଲୋକସଭା ନିର୍ବାଚନ ଜିତିଲେ ପୁରୀକୁ ଦେଶର ଅନ୍ୟତମ ସାଂସ୍କୃତିକ ରାଜଧାନୀରେ ପରିଣତ କରାଯିବ ବୋଲି ସମ୍ବିତ ଘୋଷଣା କରିଥିଲେ।

Comment