ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

(ନୟାଗଡ଼ରୁ ଜିତେନ୍ଦ୍ର ସାହୁ): ନୟାଗଡ଼ ଜିଲ୍ଲାରେ ବିଜେଡି ପୁଣି ବାଜିମାତ କରିଛି। ନୟାଗଡ଼ ସମେତ ଖଣ୍ଡପଡ଼ା, ଦଶପଲ୍ଲା ଏବଂ ରଣପୁର ନିର୍ବାଚନମଣ୍ଡଳୀରେ ବିଜେଡି ବିଜୟ ବାନା ଉଡ଼ାଇଛି।

ନୟାଗଡ଼ରେ ପୁଣି ଅରୁଣ

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନୟାଗଡ଼ ଆସନରୁ ଲଗାତାର ଚତୁର୍ଥ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଡକ୍ଟର ଅରୁଣ କୁମାର ସାହୁ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଇରାନି ରାୟଙ୍କୁ ୧୪ ହଜାର ୮୫୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ଇରାନି ରାୟ ଶେଷ ପର୍ଯ୍ୟନ୍ତ କଡ଼ା ଟକ୍କର ଦେଇଥିଲେ ମଧ୍ୟ ଅରୁଣ ଶେଷରେ ବାଜି ମାରି ନେଇଛନ୍ତି। କଂଗ୍ରେସ ପ୍ରାର୍ଥୀ ମନୋଜ ସାହୁଙ୍କୁ ୪୨୨୧ ଖଣ୍ଡ ଭୋଟ ମିଳିଥିଲା।

ବିପୁଳ ଭୋଟରେ ବିଜୟୀ ହେଲେ ସୌମ୍ୟରଞ୍ଜନ

ଖଣ୍ଡପଡ଼ା ବିଧାନସଭା ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ସୌମ୍ୟ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୮୧ ହଜାର ୩୪୭ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ସୌମ୍ୟ ମୋଟ ୯୯ ହଜାର ୯୪୧ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସ୍ୱାଧୀନ ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କୁ ମାତ୍ର ୧୮୫୯୪ ଖଣ୍ଡ ଭୋଟ ମିଳିଛି। ପୂର୍ବରୁ ସୌମ୍ୟ ଭୁବନେଶ୍ୱର ଲୋକସଭା ମଣ୍ଡଳୀରୁ ୧୯୯୬ ମସିହାରେ ନିର୍ବାଚିତ ହୋଇଥିଲେ।

୨୦୦୯ରେ କଂଗ୍ରେସ ଏବଂ ୨୦୧୪ରେ ଆମ ଓଡ଼ିଶା ପାର୍ଟିରୁ ଭାଗ୍ୟ ପରୀକ୍ଷା କରି ଫେଲ୍ ମାରିଥିଲେ ସୌମ୍ୟ।

ଦଶପଲ୍ଲାରେ ବିଜେଡି

ଦଶପଲ୍ଲାରେ ବିଜୁ ଜନତା ଦଳର ନବାଗତ ପ୍ରାର୍ଥୀ ରମେଶଚନ୍ଦ୍ର ବେହେରା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ୩୫ ହଜାର ୩୧୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଡେପୁଟି ଡାଇରେକ୍ଟର ଥିବା ଶ୍ରୀ ବେହେରା ବିଧାୟକ ଭାବେ ପ୍ରତିଦ୍ୱନ୍ଦିତା କରିଵା ପାଇଁ ଚାକିରୀ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।

ଅନ୍ୟପଟେ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଏଥର ଟିକେଟ ନମିଳିବାରୁ ସେ ବିଜେପରେ ଯୋଗ ଦେଇ ଟିକେଟ ନେଇଥିଲେ। ହେଲେ ଭୋଟର ତାଙ୍କୁ ନିରାଶ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ସୁଶାନ୍ତ କୁମାର ନାୟକଙ୍କୁ ୭୯୪୩ ଖଣ୍ଡ ଭୋଟ ମିଳିଛି।

ରଣପୁରରେ ପୁଣି ବାଦଲ

କଡ଼ା ମୁକାବିଲା ମଧ୍ୟରେ ରଣପୁରରେ ବାଜି ମାରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ(ବାଦଲ)। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ନେତ୍ରୀ ସୁରମା ପାଢ଼ୀଙ୍କୁ ୪ ହଜାର ୩୯୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ସୁରମା ପାଢ଼ୀଙ୍କ ର ଏହା ହ୍ୟାଟ୍ରିକ ପରାଜୟ। ପୂର୍ବରୁ ମଧ୍ୟ ୨୦୦୯ ରେ ସେ ସତ୍ୟନାରାୟଣ ପ୍ରଧାନଙ୍କଠାରୁ ପରାଜିତ ହୋଇଥିଲେ।

୨୦୧୪ରେ ବିଜେଡି ବାଦଲଙ୍କୁ ବିଜେଡି ଟିକେଟ ଦେଇ ନଥିଲା। ୨୦୧୯ରେ ଦଳ ପୁଣି ବାଦଲଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା। କଂଗ୍ରେସ ପ୍ରାର୍ଥୀ ତଥା ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡାଙ୍କୁ ୯ ହଜାର ୧୯୬ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ହାୱାରେ ରହିଗଲା ବିଜେପି

ନୟାଗଡ଼ ଜିଲ୍ଲାରେ ନିର୍ବାଚନ ପୂର୍ବରୁ ନୟାଗଡ଼ ଓ ରଣପୁରରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା। ଏପରିକି ଦଶପଲ୍ଲାରେ ଦଳ ଭଲ କରିବ ବୋଲି ଉଭୟ ନେତା ଓ କର୍ମୀ ଆଶାବାଦୀ ଥିଲେ। କିନ୍ତୁ ଫଳାଫଳ ସମସ୍ତଙ୍କୁ ଚକିତ କରିଛି। ବିଜୁ ଜନତା ଦଳ ଜିଲ୍ଲାର ଚାରୋଟି ନିର୍ବାଚନମଣ୍ଡଳୀରେ କ୍ଲିନସୁଇପ କରିଛି। ପୂର୍ବ ନିର୍ବାଚନଗୁଡ଼ିକ ତୁଳନାରେ ଯଦିଓ ଦଳକୁ ମତଦାତାଙ୍କ ଭଲ ସମର୍ଥନ ମିଳିଛି କିନ୍ତୁ ଜିଲ୍ଲାରେ ଦଳକୁ ଏହା ଜିତାଇବାରେ ସଫଳ ହୋଇପାରିନାହିଁ।

Comment