ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସରିଛି ନିର୍ବାଚନ, ଆସିସାରିଛି ଫଳାଫଳ। ୧୪୬ ବିଧାନସଭା ଆସନ ଲାଗି ଏଥର ନିର୍ବାଚନ ହୋଇଥିଲା। ସେଥିରୁ ବିଜେଡିକୁ ୧୧୨ ଆସମରେ ବିଜୟ ମିଳିଥିବା ବେଳେ ବିଜେପିକୁ ୨୩ ଓ କଂଗ୍ରେସକୁ ମାତ୍ର ୯ଟି ଆସନରେ ବିଜୟ ମିଳିଛି।

ଉପରୋକ୍ତ ସଂଖ୍ୟାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି କଂଗ୍ରେସ ଏଥର ବିରୋଧୀଦଳ ପଦ ହରାଇଛି ଓ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପିକୁ ବିରୋଧୀଦଳର ପଦ ମିଳିବ।

ତେବେ ଏବେ ପ୍ରଶ୍ନ ବିଜେପିରୁ ବିରୋଧୀଦଳ ନେତା ଆସନରେ କିଏ ବସିବ, ତାହାକୁ ନେଇ କେବଳ ଦଳ ଭିତରେ ନୁହଁ ବାହାରେ ବି ଚର୍ଚ୍ଚା ଜୋର ଧରିଛି।

ତେବେ ଏହି ଆସନ ଲାଗି ସବୁଠୁ ଆଗରେ ଯଦି କାହା ନାଁ ଅଛି ସେ ହେଉଛନ୍ତି ସମ୍ବଲପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ଜୟନାରାୟଣ ମିଶ୍ର।

ଜୟ ନାରାୟଣ ମିଶ୍ର ବିରୋଧୀ ଦଳ ନେତା ହେବାନେଇ ଚର୍ଚ୍ଚା ହେବା ପଛରେ ଅନେକ କାରଣ ଥିବା କୁହାଯାଉଛି। ପ୍ରଥମେ ସେ ଅନେକ ସମୟରେ ବିଜେଡି ସରକାର ବିରୋଧରେ ତାଙ୍କର ସ୍ବର ଉତ୍ତୋଳନ କରିଆସିଛନ୍ତି। ସେ ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ। ସବୁଠୁ ବଡ କାରଣ ଏହା ହୋଇପାରେ ଗତ ପଞ୍ଚାୟତ ନିର୍ବାଚନ ସମୟରୁ ବିଜେପି ପଶ୍ଚିମ ଓଡ଼ିଶାରେ ଭଲ ପ୍ରଦର୍ଶନ କରିଆସୁଛି। ଏଥର ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳରେ ବି ସମାନ କଥା ଦେଖିବାକୁ ମିଳିଛି। ସେହିଦୃଷ୍ଟିରୁ ବିଜେପି ପଶ୍ଚିମଓଡ଼ିଶାର ନେତାଙ୍କୁ ଏହି ଆସନରେ ବସାଇପାରେ।

ତେବେ ଯାହା ସୂଚନା ମିଳିଛି ଏ ନେଇ ୨୭କି ୨୮ରେ ଏକ ବୈଠକ ବସିବ। ଜୟ ନାରାୟଣ ମିଶ୍ରଙ୍କ ନାଁ ଆଗରେ ଥିଲେ ବି କେନ୍ଦୁଝରର ମୋହନ ମାଝୀ ଓ ଧାମନଗରର ବିଷ୍ଣୁଚରଣ ସେଠୀଙ୍କ ନାଁ ଏହି ଦୌଡରେ ରହିଛି। ଦେଖିବାକୁ ବାକି ରହିଲା ବିଜେପି ଏହି ଆସନଲାଗି କେଉଁ ନେତାଙ୍କୁ ଉପଯୁକ୍ତ ମଣୁଛି।

Comment