ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ବାଲେଶ୍ୱର ଲୋକସଭା ଆସନରୁ ଜିତିଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଏବେ ସବୁଠି କ୍ରେଜ୍।

ତାଙ୍କୁ କେହି କହି ଓଡ଼ିଶାର ମୋଦି କୁହନ୍ତି। ଆଉ କାହା ପାଇଁ ସେ ଆଦରର ‘ନନା’। ସବୁବେଳେ ସମାଜସେବା, ଗୋମାତାଙ୍କ ପୂଜା ଏବଂ ମା’ଙ୍କ ସେବାକୁ ପ୍ରାଧାନ୍ୟ ଦେଇ ଆସୁଥିବା ନୀଳଗିରିର ପ୍ରତାପ ଷଡ଼ଙ୍ଗୀ ଏଥର ନୂଆଦିଲ୍ଲୀ ଯାତ୍ରା କରିଛନ୍ତି।

ବାଲେଶ୍ୱର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କୁ ପରାଜିତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରତପ ଷଡ଼ଙ୍ଗୀଙ୍କର ଏବେ ସୋସିଆଲ ମିଡିଆରେ କ୍ରେଜ ବଢ଼ିଛି। ପ୍ରତାପଙ୍କର ନିରାଡ଼ମ୍ବର ଜୀବନଶୈଳୀକୁ ନେଇ ବାଲେଶ୍ୱରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା ଲାଗି ରହିଛି।

ଏନଡିଏ ଏଥର ୩୫୩ ଆସନ ପାଇଥିଲେ ହେଁ ଅନ୍ୟ ସାଂସଦଙ୍କ ଅପେକ୍ଷା ବିଜେପିର କେନ୍ଦ୍ର ନେତାମାନେ ପ୍ରତାପଙ୍କ ଫଟୋ ଟୁଇଟ୍ କରି ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛନ୍ତି।

ରାମକୃଷ୍ଣ ମଠରେ ବାବା ହେବାକୁ ଚାହୁଁଥିଲେ

୧୯୫୫ ମସିହା ଜାନୁଆରି ୪ ତାରିଖରେ ନୀଳଗିରିର ଗୋପିନାଥପୁର ଗାଁରେ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ପ୍ରତାପ ଷଡ଼ଙ୍ଗୀ। ବାଲେଶ୍ୱର ଫକିରମୋହନ କଲେଜରୁ ସ୍ନାତକ ହାସଲ କରିଥିବା ଷଡ଼ଙ୍ଗୀ ପିଲାଟି ଦିନରୁ ଆଧ୍ୟାତ୍ମିକ ପରିବେଶ ଭିତରେ ବଢ଼ିଥିଲେ। ରାମକୃଷ୍ଣ ପରମହଂସଙ୍କୁ ସେ ନିଜର ଆଦର୍ଶ ଭାବେ ଗ୍ରହଣ କରିଥିଲେ।

ଏଣୁ କଲେଜ ପାଠ ଶେଷ ହେବା ପରେ ସେ କୋଲକାତାସ୍ଥିତ ରାମକୃଷ୍ଣ ମଠରେ ବାବା ହୋଇ ରହିବାକୁ ଚାହୁଁଥିଲେ। କଲେଜ ପଢ଼ା ଭିତରେ ସେ ବାରମ୍ବାର ରାମକୃଷ୍ଣ ମଠକୁ ମଧ୍ୟ ଯାଇଥିଲେ। କିନ୍ତୁ ମଠର କର୍ମକର୍ତ୍ତାମାନେ ଜାଣିପାରିଲେ ଯେ ତାଙ୍କ ମା’ ବିଧବା। ଏଣୁ ତାଙ୍କୁ ମା’ଙ୍କ ସେବା କରିବା ପାଇଁ ମଠର କର୍ମକର୍ତ୍ତମାନେ ପରାମର୍ଶ ଦେଇଥିଲେ। ମା’ଙ୍କ ସେବା କରିବା ପାଇଁ ପ୍ରତାପ ଶେଷରେ ନିଜ ଗାଁ ଗୋପିନାଥପୁରକୁ ଚାଲି ଆସିଥିଲେ।

ଗାଁକୁ ଫେରି ଆସି କଲେ ସମାଜସେବା

ଗାଁକୁ ଫେରି ଆସିବା ପରେ ପ୍ରତାପ ଷଡ଼ଙ୍ଗୀ ନିଜ ମା’ଙ୍କ ସେବା ଏବଂ ସମାଜସେବାକୁ ଅଧିକ ପ୍ରାଧାନ୍ୟ ଦେଇଥିଲେ। ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେ ଗରିବ ପିଲାମାନଙ୍କ ପାଇଁ ସ୍କୁଲ ନିର୍ମାଣ କରିଥିଲେ।

ନିରାଡ଼ମ୍ବର ଜୀବନ

ଗରିବ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ସବୁବେଳେ ନିରାଡ଼ମ୍ବର ଜୀବନ ଅତିବାହିତ କରିଥାନ୍ତି। ଭାରତୀୟ ଜନତା ପାର୍ଟିର ଆଗଧାଡ଼ିର ନେତା  ଏବଂ ନୀଳଗିରି ବିଧାନସଭା ଆସନରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ସେ ତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣି ନାହାନ୍ତି। ଏବେ ବି ସେ ଚାଳ ଛପର ଘରେ ରହୁଛନ୍ତି ଏବଂ ଅନ୍ୟ ନେତାଙ୍କ ପରି ଦାମୀ ଗାଡ଼ି ବ୍ୟବହାର ନକରି ସାଇକେଲ ଉପରେ ଭରସା କରୁଛନ୍ତି। ତାଙ୍କ ବେଶଭୂଷା ବି ଆଡ଼ମ୍ବରପୂର୍ଣ୍ଣ ନୁହେଁ। ସେ ସାଧାରଣ ଲୋକଙ୍କ ଭଳି ପୋଷାକ ପରିଧାନ କରିଥାନ୍ତି। ପ୍ରତାପଙ୍କର ଏହି ନିଆରା ଜୀବନଶୈଳୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ନୀଳଗିରିରୁ ବିଧାୟକ

ବାଲେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ସମାଜସେବାକୁ ପ୍ରାଧାନ୍ୟ ଦେଇ ଆସୁଥିବା ପ୍ରତାପ ଷଡ଼ଙ୍ଗୀ ବିଜେପି ଆଡ଼କୁ ଢଳିଥିଲେ। ୨୦୦୪ରେ ପ୍ରତାପ ବିଜେପି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୦୯ରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଥିଲା। ହେଲେ ପ୍ରତାପଙ୍କୁ ବିଜେପି ଟିକେଟ ମିଳି ନଥିଲା। ପ୍ରତାପ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ନୀଳଗିରିରେ ପୁଣି ବିଜୟ ବାନା ଉଡ଼ାଇ ନିଜ ଲୋକପ୍ରିୟତାର ପ୍ରମାଣ ଦେଇଥିଲେ।

୨୦୧୪ରେ ଲୋକସଭା ଟିକେଟ

ନୀଳଗିରି ବିଧାନସଭା ଆସନରୁ ଦୁଇ ଥର ନିର୍ବାଚନ ଜିତି ଲୋକପ୍ରିୟତାର ପ୍ରମାଣ ଦେଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ୨୦୧୪ରେ ବାଲେଶ୍ୱର ଲୋକସଭା ଆସନରୁ ଟିକେଟ ଦେଇଥିଲା ବିଜେପି। ହେଲେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କଠାରୁ ପ୍ରତାପ ପରାଜିତ ହୋଇଥିଲେ। ପରେ ପ୍ରତାପଙ୍କୁ ଦଳର ଉପ-ସଭାପତି କରାଯାଇଥିଲା।

୨୦୧୯ରେ ବିଜୟ ମୁକୁଟ

୨୦୧୯ ନିର୍ବାଚନରେ ପ୍ରତାପଙ୍କୁ ପୁଣି ବାଲେଶ୍ୱର ଲୋକସଭା ଆସନ ପାଇଁ ଟିକେଟ ଦେଇଥିଲା। ଏଥର ପ୍ରତାପ ଦୁଇ କୋଟିପତି ପ୍ରାର୍ଥୀ ବିଜେଡିର ରବୀନ୍ଦ୍ର ଜେନା ଏବଂ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକଙ୍କୁ ଟକ୍କର ଦେଇଥିଲେ। ଶେଷରେ ପ୍ରତାପ ହିଁ ବାଜି ମାରି ନେଇଥିଲେ।

ପ୍ରତାପଙ୍କ ପାଇଁ ଏଥର ନିଜେ ନରେନ୍ଦ୍ର ମୋଦି ବାଲେଶ୍ୱରରେ ପ୍ରଚାର କରିଥିଲେ। ପ୍ରତାପ ହିଁ ବିଜୟୀ ହୋଇଥିଲେ।

Comment