ଓଡ଼ିଶାଲାଇଭ୍‌ ବ୍ୟୁରୋ

ନରେନ୍ଦ୍ର ମୋଦିଙ୍କ ପୂର୍ବ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ଗୁରୁବାର ଦିନ କେନ୍ଦ୍ର ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ତାଙ୍କୁ ପୁନର୍ବାର କ୍ୟାବିନେଟ ପାହ୍ୟା ମିଳିଛି। ମୋଦିଙ୍କ ପ୍ରଥମ ମନ୍ତ୍ରୀ ପରିଷଦରେ ତୈଳ ମନ୍ତ୍ରାଳୟ ବ୍ୟତୀତ ତାଙ୍କୁ ଦକ୍ଷତା ବିକାଶ ବିଭାଗ  ମିଳିଥିଲା।

ଧର୍ମେନ୍ଦ୍ର ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଅଛନ୍ତି। ତେବେ ସେ ୨୦୦୪-୨୦୦୯ ମସିହାରେ  ଲୋକସଭାକୁ ପ୍ରତିନିଧିତ୍ୱ କରିଥିଲେ ଓ ଦେବଗଡ଼ ସାଂସଦ ଥିଲେ। ଧର୍ମେନ୍ଦ୍ର ଓଡ଼ିଶା ବିଧାନସଭାରେ ସଦସ୍ୟ ବି ରହିସାରିଛନ୍ତି। ୨୦୦୦-୨୦୦୪ ମଧ୍ୟରେ ସେ ପାଲଲହାଡ଼ରୁ ବିଧାୟକ ହୋଇଥିଲେ।

ଉଜ୍ଜ୍ଵଲା…ଉଜ୍ଜ୍ଵଲା…

୨୦୧୪ ମସିହାରେ ତାଙ୍କୁ ଯେତେବେଳେ ପେଟ୍ରୋଲିୟମ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଲା ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଏହି ପାଞ୍ଚ ବର୍ଷ ମଧ୍ୟରେ ସେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିଥିଲେ କେବଳ ନୁହେଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱାସଭାଜନ ହୋଇପଡ଼ିଥିଲେ। ଗରୀବ ଲୋକଙ୍କୁ ଉଜ୍ଜ୍ଵଲା ଗ୍ୟାସ ଆବଣ୍ଟନ ଯୋଜନା, ପ୍ରାକୃତିକ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ ନୀତି, ତୈଳଖଣି ଓ ଗ୍ୟାସ ଅକ୍ସନ ତଥା ଦେଶରେ ରନ୍ଧନ ଗ୍ୟାସର ପହଞ୍ଚ ୫୬ରୁ ୯୫ ପ୍ରତିଶତକୁ  ଅଭିବୃଦ୍ଧି କରାଇବା କ୍ଷେତ୍ରରେ ତାଙ୍କର ବହୁ ଅବଦାନ ରହିଛି। ଖାସ ଏହି ସଫଳତା ପାଇଁ ମୋଦି ପୁଣି ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି।

ବାପାଙ୍କ ପଛେ ପଛେ…

ଅନେକେ ହୁଏତ ଜାଣିଥିବେ ଯେ ଧର୍ମେନ୍ଦ୍ର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ଥିଲେ। ସେ ୨୦୦୪ରେ ବିଧିବଦ୍ଧ ଭାବେ ରାଜନୀତିରେ ଯୋଗ ଦେଇଥିଲେ। ସେତେବେଳେ ଧର୍ମେନ୍ଦ୍ରଙ୍କ ବାପା ଦେବେନ୍ଦ୍ର ପ୍ରଧାନ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଜଣେ ମନ୍ତ୍ରୀ ଥିଲେ ଓ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ ପୁଅ ପାଇଁ ଆସନଟିକୁ ଛାଡ଼ି ଦେବେନ୍ଦ୍ର ପ୍ରଧାନ ସକ୍ରିୟ ରାଜନୀତିରୁ ଅବ୍ୟାହତି ନେଇଥିଲେ।

୧୨୦ ନହେଲେ ନାହିଁ…

୨୦୧୨ରେ ଧର୍ମେନ୍ଦ୍ର ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୧ରେ ସେ ବିଜେପିର ସାଧାରଣ ସମ୍ପାଦକ ଥିଲେ ଓ ଝାରଖଣ୍ଡ ଦାୟିତ୍ୱ ତାଙ୍କୁ ଦିଆ ଯାଇଥିଲା। କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ଓଡ଼ିଶା ଦାୟିତ୍ୱରେ ମଧ୍ୟ ସେ ଥିଲେ। ୨୦୧୯ ନିର୍ବାଚନରେ ଯଦି ବିଜେପି ଓଡିଶାରୁ ୮ ଲୋକସଭା ଆସନ ଓ ବିଧାନସଭା ନିର୍ବାଚନରେ ୨୩ ଆସନ ପାଇଲା ତାହା ମୁଖ୍ୟତଃ ଧର୍ମେନ୍ଦ୍ରଙ୍କ ଯୋଗୁଁ ହିଁ ସମ୍ଭବ ହୋଇପାରିଥିଲା, ଯଦିଓ ଦଳ ୧୨୦ ଆସନ ଜିତି ସରକାର ଗଠନ କରିବାର ଏକ ବଡ଼ ସ୍ୱପ୍ନ ଦେଖିଥିଲା।  ଓଡ଼ିଶାରେ ଦଳର ଭଲ ପ୍ରଦର୍ଶନ ପାଇଁ ମୋଦି ତାଙ୍କୁ ମନ୍ତ୍ରୀ ପଦ ଦେଇ ପୁରସ୍କୃତ କରିଛନ୍ତି ବୋଲି ବୁଝିବାକୁ ପଡ଼ିବ।

ଧର୍ମେନ୍ଦ୍ର ଜାତୀୟ ରାଜନୀତିରେ ବେଶି ସମୟ କଟାଇ ନଥିଲେ ହେଁ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଦଳର ମୁଖ୍ୟ ଅମିତ ଶାହଙ୍କ ଖୁବ୍ ନିକଟବର୍ତ୍ତୀ ଥିଲେ। ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ଆଗାମୀ ଦିନରେ ଓଡ଼ିଶା ରାଜନୀତିରେ ବଜାୟ  ରହିବ ଏହା ସ୍ପଷ୍ଟ ଦେଖାଯାଉଛି।

Comment