ଓଡ଼ିଶାଲାଇଭ୍ ବ୍ୟୁରୋ

କଳ୍ପନା ଦାଶ, ତାଙ୍କ ଲାଗି କେବଳ ଓଡ଼ିଶା ନୁହଁ ପୂରା ଦେଶ ଆଜି ଗର୍ବିତ। ତାଙ୍କର ଶେଷ ଯାତ୍ରା ଥିଲା ହିମାଳୟ। ସେ ଛୁଇଁଥିଲେ ଏଭରେଷ୍ଟକୁ। ସେ ଆଜି ଆମ ସହ ନାହାନ୍ତି। ଏବେ ତାଙ୍କ ପାର୍ଥିବଶରୀରର ଶେଷ ଯାତ୍ରା। କଳିଙ୍ଗଷ୍ଟାଡିୟମରୁ ସାରିଆପଡ଼ା ଆଉ ତାପରେ  ସ୍ୱର୍ଗଦ୍ୱାର। ଏହାପରେ କେବଳ କଳ୍ପନା ଦାଶ ଫଟୋରେ ହିଁ ଆମ ସମସ୍ତଙ୍କ ସହିତ ରହିବେ।

କଳ୍ପନା ଦାଶଙ୍କ ପାର୍ଥିବଶରୀର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସି ପହଞ୍ଚିସାରିଛି। ସେଠାରେ ଶେଷ ଦର୍ଶନ ଲାଗି କିଛି ସମୟ ତାଙ୍କ ମରଶରୀରକୁ ରଖାଯିବ।

ଏହାପରେ ଦିନ ପାଖାପାଖି  ଶେଷଦର୍ଶନ ଲାଗି ଜନ୍ମମାଟି ଢେଙ୍କାନାଳକୁ ନିଆଯିବ କଳ୍ପନାଙ୍କ ପାର୍ଥିବଶରୀରକୁ। ଯେହେତୁ କଳ୍ପନା ଜଣେ ପର୍ବାତାରୋହୀ ସହିତ ଜଣେ ଓକିଲ ଥିଲେ ତେଣୁ ଶେଷ ଦର୍ଶନ ଲାଗି ତାଙ୍କ ପାର୍ଥିବଶରୀରକୁ ଢେଙ୍କାନାଳ ସ୍ଥିତ ବାର ଆସୋସିଏସନକୁ ନିଆଯିବ।

ଏହାସହିତ ଶେଷ ଦର୍ଶନ ଲାଗି ଢେଙ୍କାନାଳ ମିନିଷ୍ଟାଡିୟମରେ ତାଙ୍କ ପାର୍ଥିବଶରୀରକୁ କିଛି ସମୟ ପାଇଁ ରଖାଯିବ। ଏ ସବୁକିଛି ସରିବା ପରେ ଏକ ଶୋଭାଯାତ୍ରାରେ ଯେଉଁଠି କଳ୍ପନା ଜନ୍ମ ଗ୍ରହଣ କରିଥିଲେ, ଯେଉଁ ଗାଁ ଏଭଳି ଏକ ରତ୍ନକୁ ପାଇ ନିଜକୁ ସବୁଦିନ ପାଇଁ ଗର୍ବ କରିବ ସେହି ଗାଁ ସାରିଆପଡ଼ାକୁ ନିଆଯିବ। ଏହାପରେ ପୁରୀ ସ୍ୱର୍ଗଦ୍ୱାରକୁ ଅଣାଯିବ କଳ୍ପନାଙ୍କ ପାର୍ଥିବଶରୀରୁ। ସେଠାରେ ହିଁ ସେ ପଞ୍ଚଭୂତରେ ବିଲୀନ ହୋଇଯିବେ। ଏହାପରେ ସେ କେବଳ ଫଟୋରେ ହିଁ ଆମ ସମସ୍ତଙ୍କ ସହିତ ରହିବେ ସବୁଦିନ ଲାଗି।

ଶୁକ୍ରବାର ପର୍ବତ ଆରୋହଣକାରୀ କଳ୍ପନାଙ୍କ ମୃତଦେହ ଉଦ୍ଧାର କରାଯାଇ ବେସ କ୍ୟାମ୍ପକୁ ଅଣାଯାଇଥିଲା। ସେଠାରୁ କଳ୍ପନାଙ୍କ ମୃତଦେହ ହେଲିକେପ୍ଟର ଯୋଗେ ଲୁକଲା ପଠାଯାଇ ସରକାରୀ ବିଧି ପରେ କାଠମାଣ୍ଡୁରୁ ଓଡିଶା ଅଣାଯାଇଥିଲା।

କଳ୍ପନାଙ୍କ ମୃତଦେହ ଆଣିବା ପାଇଁ ଓଡିଶାରୁ ୩ଜଣିଆ ଟିମ୍ ପଠାଯାଇଥିଲା। ଏନେଇ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ଓଡିଶାର ପ୍ରଥମ ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ମେ’୨୩ରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ୫୨ ବର୍ଷ ବୟସ ହୋଇଥିଲା। ଏଭରେଷ୍ଟରୁ ଓହ୍ଲାଇବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

୨୦୦୮ ରେ ଏଭରେଷ୍ଟ ଆରୋହଣ କରିବାକୁ ସଫଳ ହୋଇଥିଲେ କଳ୍ପନ। ତା’ ପୂର୍ବରୁ ୨୦୦୪ ଏବଂ ୨୦୦୬ରେ ଚେଷ୍ଟା କରିଥିଲେ କିନ୍ତୁ ପ୍ରତିକୂଳ ପାଗ ଏବଂ ଖରାପ ସ୍ୱାସ୍ଥ୍ୟବସ୍ଥା କାରଣରୁ ସେ ବିଫଳ ହୋଇଥିଲେ। କଳ୍ପନା ୧୯୬୬ ମସିହା ଜୁଲାଇ୭ ତାରିଖରେ ଓଡ଼ିଶାର ଢ଼େଙ୍କାନାଳରେ ଜନ୍ମ ଗ୍ରହଣ କରିଥିଲୋ

Comment