ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ମୋଦି ସରକାର ପାର୍ଟ-୨ରେ ମନ୍ତ୍ରୀ ହେବା ପୂର୍ବରୁ ସରଳ ଜୀବନ ଯାପନକୁ ନେଇ ଚର୍ଚ୍ଚାରେ ଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଏବେ ମିଡିଆରେ ଝଡ଼।

ମୋଦି ସରକାର ପାର୍ଟ-୨ରେ ମନ୍ତ୍ରୀ ହେବା ପୂର୍ବରୁ ମିଡିଆ ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲେ ପ୍ରତାପ ଷଡ଼ଙ୍ଗୀ। ତାଙ୍କ ସାଧାରଣ ଜୀବନଶୈଳୀ, ବେଶଭୂଷାକୁ ନେଇ ଅନେକ ମିଡିଆ ପ୍ରଶଂସା କରିଥିଲେ। କିନ୍ତୁ ମନ୍ତ୍ରୀ ହେବାର ଦିନକ ପରେ ସେହି ପ୍ରତାପଙ୍କୁ ନେଇ କେତେକ ମିଡିଆରେ ଝଡ଼ ବହିଛି। ପ୍ରତାପଙ୍କ କଠୋର ହିନ୍ଦୁତ୍ୱବାଦୀ ଛବି ଉପରେ ପ୍ରଶ୍ନବାଚୀ ଉଠିଛି।

୧୯୯୯ର ବହୁ ଚର୍ଚ୍ଚିତ ଗ୍ରାହମଷ୍ଟେନସ୍‌ ପୋଡ଼ି ମାମଲା ଏବଂ ୨୦୦୨ରେ ରାମଜନ୍ମଭୂମି ବିବାଦକୁ ନେଇ ଓଡ଼ିଶା ବିଧାନସଭାରେ ହୋଇଥିବା ବ୍ୟାପକ ଭଙ୍ଗାରୁଜା ମାମଲାରେ ପ୍ରତାପ ଷଡ଼ଙ୍ଗୀଙ୍କ ନାଁକୁ ଯୋଡା ଯାଇଛି।

୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲା ମନୋହରପୁର ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଥିଲା। ଗ୍ରାହମ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ପୁଅ ଫିଲିପ୍ ଓ ଟିମୋଥି ଷ୍ଟେସନ ୱାଗନରେ ରାତିରେ ଶୋଇଥିବା ବେଳେ କେତେକ ଗୋଷ୍ଠୀ ୱାଗନରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଗ୍ରାହମଷ୍ଟେନ୍ସ ଏବଂ ତାଙ୍କ ଦୁଇ ପୁଅ।

ଏହି ଘଟଣାରେ ଦାରା ସିଂଙ୍କୁ ପରବର୍ତ୍ତୀ ସମୟରେ ଗିରଫ କରାଯାଇଥିଲା। ସେ ଏବେ ଜେଲରେ ଆଜୀବନ ସଜା କାଟୁଛନ୍ତି। ଦାରା ସିଂ ବଜରଙ୍ଗ ଦଳର ସଦସ୍ୟ ହୋଇଥିବା ସେତେବେଳେ ଅଭିଯୋଗ ହୋଇଥିଲା। ହେଲେ ଦାରା ବଜରଙ୍ଗ ଦଳର ସଦସ୍ୟ ବୋଲି କେବେ ସ୍ୱୀକାର କରି ନାହାନ୍ତି କି କୌଣସି ପ୍ରମାଣ ମଧ୍ୟ ଏନେଇ ମଳିନାହିଁ। ହେଲେ ଏହି ନୃଶଂସ କାଣ୍ଡ ଯେଉଁ ସମୟରେ ଘଟିଥିଲା ସେତେବେଳେ ପ୍ରତାପ ଷଡ଼ଙ୍ଗୀ ବଜରଙ୍ଗ ଦଳର ରାଜ୍ୟ ସଭାପତି ଥିଲେ।

ଏଣୁ ଏବେ ମନ୍ତ୍ରୀ ହେବା ପରେ ଗ୍ରାହମ ଷ୍ଟେନ୍ସ ପୋଡ଼ି ଘଟଣାରେ କେତେକ ମିଡିଆ ପ୍ରତାପଙ୍କ ନାଁକୁ ନେଇ ଚର୍ଚ୍ଚା କରୁଛନ୍ତି।

୧୯୯୯ର ଏହି ଲୋମଟାଙ୍କୁରା କାହାଣୀକୁ ନେଇ ଓଡ଼ିଶା ଉଠିଥିଲା ପଡ଼ିଥିଲା। ଗ୍ରାହମ ଷ୍ଟେନ୍ସ ଅଷ୍ଟ୍ରେଲିଆ ନାଗରିକ ହୋଇଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଛବି ମଳିନ ପଡ଼ିଥିଲା। କେତେ ମିଡିଆ ଏଥିରେ ଏବେ ପ୍ରତାପଙ୍କ ଷଡ଼ଙ୍ଗୀଙ୍କ ସଂପୃକ୍ତି ଆଣୁଥିବାରୁ ପୁଣି ଏହି ଘଟଣା ତାଜା ହୋଇ ଉଠଛି।

ସେହିପରି ୨୦୦୨ର ଏକ ଘଟଣାକୁ ନେଇ ପ୍ରତାପଙ୍କୁ ଯୋଡ଼ିଛନ୍ତି କେତେକ ମିଡିଆ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସେତେବେଳେ ଜୋରଦାର ଦାବି ଉଠିଥିଲା। କିନ୍ତୁ ମନ୍ଦିର ନିର୍ମାଣକୁ ନେଇ ବିବାଦ ଦେଖାଦେଇଥିଲା। ତୁରନ୍ତ ମନ୍ଦିର ନିର୍ମାଣ କରିବା ଦାବିରେ କେତେକ କଠୋର ହିନ୍ଦୁବାଦୀ ସଙ୍ଗଠନ ବିଧାନସଭାରେ ଧସେଇ ପଶିଥିଲେ ଏବଂ ବ୍ୟାପକ ଭଙ୍ଗାରୁଜା କରିଥିଲେ।

ସରକାରୀ ସମ୍ପତ୍ତି ନଷ୍ଟ ହେବା ଅଭିଯୋଗରେ ଓଡ଼ିଶା ପୋଲିସ କିଛି ଲୋକଙ୍କୁ ଗିରଫ କରିଥିଲା। ସେତେବେଳେ ପ୍ରତାପ ଷଡ଼ଙ୍ଗୀ ବଜରଙ୍ଗ ଦଳର ସଭାପତି ଥିବାରୁ ଏହି ଘଟଣା ପଛରେ ତାଙ୍କ ଥାଇପାରେ ବୋଲି ଚର୍ଚ୍ଚା ହୋଇଥିଲା। ଏବେ ଏହାକୁ ନେଇ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି।

ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚିତ ହୋଇ ମୋଦି ସରକାର ପାର୍ଟ-୨ରେ ମନ୍ତ୍ରୀ ହୋଇଛନ୍ତି। ୨୦୦୪ ଏବଂ ୨୦୦୯ରେ ସେ ନୀଳଗିଣି ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ପ୍ରତାପ ଷଡ଼ଙ୍ଗୀ ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ ସରଳ ଜୀବନଯାପନ ଶୈଳୀକୁ ନେଇ ମିଡିଆରେ ଚର୍ଚ୍ଚା ହୋଇଥିଲା। ଏହାସହ ତାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଘୂରି ବୁଲିଥିଲା। କିନ୍ତୁ ମନ୍ତ୍ରୀ ହେବା ପରେ ଆଉ କେତେକ ମିଡିଆ ଗ୍ରାହମ ଷ୍ଟେନ୍ସ ପୋଡ଼ି ଏବଂ ବିଧାନସଭା ଭଙ୍ଗାରୁଜା ଘଟଣାରେ ପ୍ରତାପଙ୍କ ନାଁ ଯୋଡ଼ିଛନ୍ତି।

Comment