ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ହିଞ୍ଜିଳି ରଖିଲେ, ବିଜେପପୁର ଛାଡ଼ିଲେ ନବୀନ ପଟ୍ଟନାୟକ।

ନୂଆ ସରକାର ଗଠନ ହେବାର ତିନି ଦିନ ପରେ ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିଞ୍ଜିଳି ବିଧାନସଭା ଆସନ ରଖି ନବୀନ ବିଜେପୁରକୁ ଛାଡ଼ି ଦେଇଛନ୍ତି। ତେବେ ନବୀନ କାହିଁକି ବିଜେପୁର ଆସନ ଛାଡ଼ିଲେ ତାକୁ ନେଇ ରାଜନୀତି କରିଡରରେ ପ୍ରଶ୍ନବାଚୀ ଉଠିଛି।

ନବୀନ କାହିଁକି ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ?

୨୦୦୦ ମସିହାରୁ ନବୀନ ହିଞ୍ଜିଳି ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସୁଛନ୍ତି। ହେଲେ ୧୯ ବର୍ଷ ପରେ ନବୀନ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାର ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ତେବେ ନବୀନ ବିଜେପୁରରୁ କାହିଁକି ପ୍ରାର୍ଥୀ ହେଲେ ବୋଲି ସେତେବେଳେ କାରଣ ଖୋଜିଲେ ରାଜନୀତି ପଣ୍ଡିତ।

ବିରୋଧୀ ଅଭିଯୋଗ କଲେ ଯେ ହିଞ୍ଜିଳିରେ ପରାଜିତ ହେବାର ଆଶଙ୍କା ଥିବାରୁ ନବୀନ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ଗଣିତ ଥିଲା ଅଲଗା। ପଶ୍ଚିମ ଓଡ଼ିଶାରୁ ନବୀନ ପ୍ରାର୍ଥୀ ହେବା ପଛରେ କାରଣ ଅଲଗା ଥିଲା ବୋଲି ରାଜନୀତି ପର୍ଯ୍ୟବେକ୍ଷକ ସେତେବେଳେ ଯୁକ୍ତି ବାଢ଼ିଥିଲେ।

ପଶ୍ଚିମ ଓଡ଼ିଶା ହେଉଛି ବିଜେପିର ଗଡ଼। ଏହି ଗଡ଼କୁ ଅକ୍ତିଆର କରିବାକୁ ବିଜେଡି ଚାହୁଁଥିଲା। ଏଣୁ ନବୀନ ନିଜେ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ନବୀନଙ୍କ ପ୍ରଭାବରେ ବିଜେଡି ବିଜେପୁର ସମେତ ପଶ୍ଚିମ ଓଡ଼ିଶାର ସବୁ ଲୋକସଭା ଏବଂ ବିଧାନସଭା ଆସନ ଅକ୍ତିଆର କରିବାକୁ ଚାହୁଁଥିଲା। ହେଲେ ଗଣିତ ଓଲଟି ଯାଇଥିଲା। ନବୀନ ବିଜେପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ସତ, ହେଲେ ପଶ୍ଚିମ ଓଡ଼ିଶାର ୫ଟି ଯାକ ଲୋକସଭା ଆସନକୁ ବିଜେପି ଦଖଲ କରିଥିଲା। ବିଜେପୁର ବରଗଡ଼ ଲୋକସଭା କ୍ଷେତ୍ର ଅଧିନରେ ଆସୁଥିଲେ ହେଁ ଏହି ଲୋକସଭା ଆସନରେ ବି ବିଜେଡି ପ୍ରାର୍ଥୀ ବିଜୟୀ ହୋଇପାରି ନଥିଲେ।

ନବୀନ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କ ପ୍ରଭାବ ଲୋକସଭା ନିର୍ବାଚନମଣ୍ଡଳୀରେ ପଡ଼ି ନଥିବାରୁ ନବୀନ ବିଜେପୁର ଆସନରୁ ଇସ୍ତଫା ଦେଇଥିବା କୁହାଯାଉଛି।

ଚର୍ଚ୍ଚାରେ ଥିଲା ହିଞ୍ଜିଳି

ନବୀନ ହିଞ୍ଜିଳି ଏବଂ ବିଜେପୁର ବିଧାନସଭା ଆସନରୁ ନିର୍ବାଚିତ ହେବା ପରେ କେଉଁଟି ଛାଡ଼ିବେ ଏବଂ କେଉଁଟି ରଖିବେ ତାହା ପ୍ରଶ୍ନଘେରରେ ରହିଥିଲା। ନବୀନ ବିଜେପୁରରୁ ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇଥିବାରୁ ସେ ବିଜେପୁରକୁ ରଖି ହିଞ୍ଜିଳି ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା।

ହିଞ୍ଜିଳିରୁ ହିଁ ବିଜେଡିର ଉତ୍ତରାଧିକାରୀ ଆସିବେ ବୋଲି କୁହାଯାଉଥିଲା। କିନ୍ତୁ ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ି ଯାଇଛି। ନବୀନ ହିଞ୍ଜିଳି ବଦଳରେ ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି।

ନବୀନ ୨୦୦୦ ମସିହାରୁ ହିଞ୍ଜିଳିରୁ ନିର୍ବାଚିତ ହୋଇ ଆସୁଛନ୍ତି। ୧୯ ବର୍ଷ ଧରି ହିଞ୍ଜିଳିବାସୀଙ୍କ ସହ ଯେଉଁ ସମ୍ପର୍କ ନବୀନ ରଖି ଆସିଛନ୍ତି ତାକୁ ତୁଟାଇବାକୁ ନବୀନ ଚାହିଁ ନାହାନ୍ତି। ଏଣୁ ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇଥିବା ବିଜେପୁରକୁ ନବୀନ ଛାଡ଼ି ଦେଇଛନ୍ତି।

୨୦୧୮ ଉପ-ନିର୍ବାଚନରେ କଂଗ୍ରେସର ଦୁର୍ଗ ଭାଙ୍ଗିଲା

ବିଜେପୁର ବିଧାନସଭା ଆସନଟି କଂଗ୍ରେସ ଗଡ଼ ଭାବେ ପରିଚିତ ଥିଲା। ଚାରିଆଡ଼େ ନବୀନଙ୍କ ହାୱା ବହୁଥିବା ବେଳେ ଏଠାରେ ରିତା ସାହୁଙ୍କ ସ୍ୱାମୀ ସୁବଳ ସାହୁ କଂଗ୍ରେସ ଟିକେଟରେ ବିଜୟୀ ହୋଇ ଆସୁଥିଲେ।

୨୦୦୪, ୨୦୦୯ ଏବଂ ୨୦୧୪ ନିର୍ବଚେନରେ ସୁବଳ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇ ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିଥିଲେ। କିନ୍ତୁ ୨୦୧୭ରେ ସୁବଳଙ୍କ ଦେହାନ୍ତ ପରେ କଂଗ୍ରେସର ଗଡ଼ ବିଜେପୁରକୁ ଭାଙ୍ଗିଥିଲା ବିଜେଡି।

ସୁବଳଙ୍କ ସ୍ତ୍ରୀ ଏବଂ ପୁଅ ବିଜେଡିରେ ସାମିଲ ହୋଇଥିଲେ। ୨୦୧୮ ଫେବ୍ରୁଆରି ୨୪ରେ ହୋଇଥିବା ଉପ-ନିର୍ବାଚନରେ ନବୀନ ସୁବଳଙ୍କ ସ୍ତ୍ରୀ ରିତା ସାହୁଙ୍କୁ ପ୍ରାର୍ଥୀ କରିଥିଲା। ରିତା ଜଣେ ମହିଳା ହୋଇଥିବାରୁ ଏବଂ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିବାରୁ ଅନୁକମ୍ପାମୂଳକ ଭୋଟ ପାଇ ବିଧାନସଭାକୁ ଆସିଥିଲେ।

ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ବିଜେପି ଅଶୋକ ପାଣିଗ୍ରାହୀ ଏବଂ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଅସଲ ଲଢ଼େଇ ହୋଇଥିଲା ବିଜେଡି ଏବଂ ବିଜେପି ଭିତରେ। ବିଜେଡି ପ୍ରାର୍ଥୀ ରୀତାଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିଲେ ନିଜେ ନବୀନ। ଏକାଧିକ ଥର ନବୀନ ବିଜେପୁରରେ ପ୍ରଚାର କରିଥିଲେ।

ସେହିପରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିଲେ ଓଡ଼ିଶା ବିଜେପିର ପୋଷ୍ଟରବୟ ଧର୍ମେନ୍ଦ୍ର ପ୍ରଧାନ। ବହୁ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ବିଜେପୁର ଆସିଥିଲେ। ହେଲେ ବିଜେପିର ସବୁ ଅଙ୍କ ଭୁଲ୍ ହୋଇଥିଲା। ଶେଷରେ ବିଜେଡି ପ୍ରାର୍ଥୀ ରିତା ସାହୁ ହିଁ ବିଜୟ ମୁକୁଟ ପିନ୍ଧିଥିଲେ।

କିଏ ନେବ ବିଜେଡି ଟିକେଟ?

ଉପ-ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହେବାର ମାତ୍ର ବର୍ଷକ ପରେ ୨୦୧୯ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଥିଲା। ରିତାଙ୍କୁ ଟିକେଟ ନଦେଇ ନିଜେ ନବୀନ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ନବୀନ ୧ ଲକ୍ଷ ୧୦ ହଜାର ୬୦୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ।

ଏବେ ନବୀନ ବିଜେପୁର ଆସନ ଛାଡ଼ିବା ପରେ ଉପ-ନିର୍ବାଚନ ହେବା ସ୍ପଷ୍ଟ ହୋଇଛି। ତେବେ ନବୀନ ଉପ-ନିର୍ବାଚନରେ ବର୍ଷକର ବିଧାୟକ ରିତା ସାହୁଙ୍କ ଉପରେ ଭରସା କରିବେ ନା ଆଉ କାହା ଉପରେ ତାହା ହିଁ ରାଜନୀତି କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି।

୨୦୧୯ ନିର୍ବାଚନ ଚାଲିଥିବା ବେଳେ ବିଜେପି କ୍ୟାମ୍ପରୁ ଅଚାନକ ଦୁଇ ଜଣ ବରିଷ୍ଠ ନେତା ବିଜେଡିରେ ସାମିଲ ହୋଇଥିଲେ। ସେମାନେ ହେଲେ ବରଗଡ଼ ଜିଲ୍ଲାର ବରିଷ୍ଠ ନେତା ସୁବାସ ଚୌହନ ଏବଂ ମୟୂରଭଞ୍ଜର ରାଜକିଶୋର ଦାସ। ରାଜକିଶୋରଙ୍କୁ ବିଜେଡି ମୋରଡ଼ା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରିଥିଲା। ରାଜକିଶୋର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ହେଲେ ସୁବାସଙ୍କୁ ଟିକେଟ ଦେଇ ନଥିଲା ଦଳ। ସୁବାସ ୨୦୧୪ରେ ବିଜେପି ଲୋକସଭା ଟିକେଟ ପାଇ ବରଗଡ଼ରୁ ଲଢ଼ି ପରାଜିତ ହୋଇଥିଲେ। ନିର୍ବାଚନ ପୂର୍ବରୁ ସୁବାସ ବିଜେଡିକୁ ଆସିଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ ନଦେଇ ପ୍ରଚାର କାମରେ ଲଗାଇଥିଲା। ଏବେ ନବୀନ ବିଜେପୁର ଆସନ ଛାଡ଼ିଥିବାରୁ ସୁବାସ ଏହି ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି।

ତେବେ ନବୀନ ବିଜେପୁରରେ କାହାକୁ ଟିକେଟ ଦେଉଛନ୍ତି ତାହା ଅପେକ୍ଷା ଦେଖିବାର କଥା।

Comment