ଓଡ଼ିଶାଲାଇଭ୍ ବ୍ୟୁରୋ
ଜ୍ୟେଷ୍ଠର ଶେଷ ଆଷାଢ଼ର ଆରମ୍ଭ ଏକ ସୁନ୍ଦର ମୁହୂର୍ତ୍ତ ହେଉଛି ରଜ। ଓଡ଼ିଶାର ଏହି ଗଣପର୍ବ ଅବସରରେ ଆସନ୍ତୁ ଜାଣିବା ପ୍ରତିଷ୍ଠିତ ନାରୀମାନଙ୍କର ରଜକୁ ନେଇ ରହିଛି କିଭଳି ଅଭୁଲା ସ୍ମୃତି…
ଲେଖାଶ୍ରୀ ସାମନ୍ତ ସିଂହାର – ବିଜେପି ନେତ୍ରୀ
ପିଲାଦିନର ରଜ କଥା ମନେପଡ଼ିଲେ ଅନେକ ଖୁସି ଲାଗେ। ରଜରେ ସାଧାରଣତଃ ଆମେ ଗାଁକୁ ଯାଇଥାଉ ନହେଲେ ମାମୁଁଘରକୁ। ସେଠାରେ ବାଉଁଶରେ ଦୋଳି ତିଆରି କରାଯାଏ, ଯେଉଁଥିରେ ଆମେ ମଧ୍ୟ ସାମିଲ୍ ହୋଇଥାଉ।
ଯଦି ବି ସହରି ମହଲରେ ବଢ଼ିଛୁ ହେଲେ ବାଉଁଶ ଦୋଳିରେ ଝୁଲିବାକୁ ଡର ଲାଗେ ତଥାପି ବହୁତ ମଜା ଲାଗେ। ନୂଆ ଡ୍ରେସ୍ ପିନ୍ଧି ପାଦରେ ଅଳତା ଲଗାଇ ପାନ ଖାଇ ସଜେଇ ହୋଇ ବୁଲିବାର ସ୍ମୃତି ଆଜି ବି ମନେପଡ଼େ।
କୌଣସି ଦାୟିତ୍ୱ ନଥିବା ସମୟରେ ମତୁୱାଲା ହୋଇ ରଜକୁ ଉପଭୋଗ କରିବାର ଅନୁଭବ ଏବେବି ଏକ ନିଆରା ଆଲୋଡ଼ନ ସୃଷ୍ଟି କରେ। କୂଅରୁ ପାଣି କଢ଼ାଯାଉଥିବା ଦଉଡ଼ିରେ ପିଢ଼ା ଲଗାଇ ତିଆରି ହୋଇଥିବା ଦୋଳିରେ ଝୁଲିବା ଏବଂ ଦୋଳିରୁ ପଡ଼ିବାର ଅଭୁଲା ସ୍ମୃତି ଆଜିବି ଆଖି ସାମ୍ନାରେ ନାଚିଯାଏ।
କିନ୍ତୁ ଆଜିର ରଜ ଓଡ଼ିଆ ରଜ ପରି ମନେ ହୁଏନା। ଆଜିର ରଜ ସମ୍ପୂର୍ଣ୍ଣ କମର୍ସିଆଲାଇଜ୍ଡ୍ ହୋଇଯାଇଛି। ଏବେର ରଜରେ ଆଉ ସେ ଓଡ଼ିଆ ପ୍ଲେବର ନାହିଁ। ଏବେ ଏହା ଏକ ଖାଣ୍ଟି ବ୍ୟବସାୟ ଉଦ୍ଦେଶ୍ୟରେ ତିଆରି କରାଯାଇଥିବା ରଜରେ ପରିଣତ ହୋଇଛି।
ଏଥର ରଜରେ ପିଲାମାନଙ୍କୁ ନେଇ ପୁଣି ଥରେ ହଜିଲା ରଜର ସ୍ମୃତି ସାଉଣ୍ଟିବାକୁ ଗାଁକୁ ଯିବି ଓ ପିଲାମାନଙ୍କୁ ମଧ୍ୟ ଓଡ଼ିଆ ରଜର ଅନୁଭୂତି ଦେବା ପାଇଁ ଯୋଜନା କରିଛି।
ରାକ୍ଷୀ ଦାଶ – ରେଡିଓ ଜକି ଓ ଅଭିନେତ୍ରୀ
ପିଲାଦିନର ରଜର ସ୍ମୃତି ଖୁବ୍ ନିଆରା।
ଯେହେତୁ ମୁଁ ପିଲାବେଳୁ କଳାକାର, ରଜ ପୂର୍ବରୁ ଅନଷ୍ଠିତ ହୋଇଥିବା ବହୁ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ମୁଁ ଭାଗ ନେଇଥାଏ। ପ୍ରତିବର୍ଷ ରଜରେ ମୁଁ ଗୁଡ଼ାଏ ପ୍ରାଇଜ୍ ଘରକୁ ଆଣେ। ମୋ ପାଇଁ ନୂଆ ଡ୍ରେସ୍ ହୋଇଥାଏ।
ପାଞ୍ଚ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠୁ ଭଲ ଡ୍ରେସ୍ ମୋର ହୋଇଥାଏ, କାରଣ ମୋତେ ଅନେକ ଜାଗାକୁ ଯିବାକୁ ପଡ଼ୁଥିଲା ପ୍ରତିଯୋଗିତାରେ ଭାଗ ନେବା ପାଇଁ। ବାପାମାଆଙ୍କର ସ୍ୱଳ୍ପ ରୋଜଗାରରେ ହେଉଥିବା ରଜର ଏହି ସ୍ପେସାଲ୍ ଡ୍ରେସ ବାସ୍ତବରେ ମୋ ପାଇଁ ଅମୂଲ୍ୟ ଥିଲା।
ମୋ ମାଆ ଆଉ ବାପୁଜି ମିଶିକିରି ରଜରେ ବହୁ ସୁନ୍ଦର ପୋଡ଼ପିଠା କରନ୍ତି, ଯାହାର ସ୍ୱାଦ ମୁଁ ଆଜି ବି ଝୁରୁଛି। ରଜରେ ସିନେମା ଯିବାର ଅନୁଭୂତି ନିଆରା। ହଲ୍ରୁ ବାହାରୁ ବାହାରୁ ସିନେମାର ଗୀତ ସବୁକୁ ଗୁଣୁଗୁଣେଇବା ସାଙ୍ଗରେ ସାଙ୍ଗମାନଙ୍କ ଘରେ ପିଠା ବାଣ୍ଟିବା ଓ ତାଙ୍କ ଘର ପିଠା ଖାଇବାର ମଜା ବେଶ୍ ଅଭୂଲା।
ଝିଅମାନେ ଚପଲ ପିନ୍ଧିକରି ଚାଲୁଥିଲେ ନ ହେଲେ କଦଳି ପତ୍ରରେ ଚପଲ ତିଆରି କରି ପିନ୍ଧୁଥିଲେ, କାରଣ ଝିଅମାନେ ରଜରେ ଭୂମିରେ ପାଦ ନ ଥୋଇବାର ପରମ୍ପରା ଅଛି। ପାଦରେ ଅଳତା ଲଗାଇ ମୁଣ୍ଡରେ ଚନ୍ଦନ ଟୋପାରେ ସଜେଇହୋଇ ବାସନା ତେଲ ଲଗାଇ ରିବନ ବାନ୍ଧି ବୁଲିବାର ମଜା ଆଜି ବି ମନେପଡେ।
ବାପୁଜି ରଜ ପାନ ପାଇଁ ସବୁ ସରଞ୍ଜାମ ଆଣୁଥିଲେ। ଆଉ ପାନାଡାଲା ସଜା ହୋଇ ରହୁଥିଲା। ଯିଏ ଘରକୁ ଆସୁଥିଲେ ପାନ ଖାଉଥିଲେ। ସବୁଠୁ ମଜାଦାର ଥିଲା ରଜରେ ଘରେ ମସଲା ବଟା ହେଉ କି ପରିବା ବଟା ହେଉ, ଏସବୁ ବାପୁଜି କରୁଥିଲେ, କାରଣ ରଜରେ ଏସବୁ କାମ ସ୍ତ୍ରୀଲୋକମାନେ କରୁନଥିଲେ।
ବେଳେବେଳେ ମନରେ ପ୍ରଶ୍ନ ଆସେ ଏମିତି ପରମ୍ପରା କ’ଣ ସବୁଦିନେ ରହିଲେ ହୁଅନ୍ତାନି! ଆଧୁନିକତାର ଦ୍ୱାହି ଦେଇ ବଦଳିଯାଉଥିବା ଆମ ପରମ୍ପରା ଓ ସଂସ୍କୃତିକୁ ଆମେ କ’ଣ ପୁଣି ଥରେ ଆପଣେଇ ପାରନ୍ତେନି।
ସେବେକାର ରଜ ଏବଂ ବର୍ତ୍ତମାନର ରଜ ମଧ୍ୟରେ ଅନେକ ଫରକ ଅଛି କିନ୍ତୁ ପାଳିବାର ତରିକା ବଦଳିଯାଇଛି। ସମ୍ପୂର୍ଣ୍ଣ କମର୍ସିଆଲ୍ ଆଉ ପ୍ରଫେସନାଲ୍ ହୋଇଯାଇଛି ରଜ। ରଜ ତିନି ଦିନରେ ଲୋକ ଛଅ ଛଅ ହଳ ଡ୍ରେସ୍ ପିନ୍ଧିପାରୁଛନ୍ତି। ସେ ରିଚୁଆଲ୍ସ୍ ସବୁ ଆଉ ନାହିଁ। ଚାଉମିନ୍ ଓ ମୋମୋଜ୍ ପିଠାକୁ ସମ୍ପୂର୍ଣ୍ଣ ରିପ୍ଲେସ୍ କରିସାରିଲାଣି।
ଆଧୁନିକତାର ଅନୁପ୍ରବେଶ ଦିନେ ବୋଧହୁଏ ଆମ ପରମ୍ପରାକୁ ସମ୍ପୂର୍ଣ୍ଣ ଧୋଇନେବ। ଆଉ ରଜ କେବଳ ଦୁଇଟି ଅକ୍ଷରରେ ହିଁ ସୀମିତ ହୋଇରହିଯିବ। ପରିବର୍ତ୍ତନ ଏବଂ ବ୍ୟସ୍ତବହୁଳ ଜୀବନ ଭିତରେ ବି ଏଥର ରଜରେ ନିହାତି ପୋଡ଼ପିଠା କରିବୁ ଓ ସମସ୍ତଙ୍କ ପାଇଁ ଭଲ ଭଲ ଖାଇବା ତିଆରି କରିବା ସହିତ କୁଆଡେ ବୁଲିବାର ମଧ୍ୟ ପ୍ଲାନ ଅଛି।
ଡାକ୍ତର ସରୋଜିନୀ ଷଡ଼ଙ୍ଗୀ – ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ ଏବଂ ଲେଖିକା
ରଜ ଏମିତି ଏକ ଶବ୍ଦ ଯାହା ମନରେ ଆନନ୍ଦର ସ୍ପନ୍ଦନଟିଏ ଖେଳେଇଦିଏ।
ପିଲାଦିନର ରଜର ସ୍ମୃତି ଜୀବନ୍ତ ହୋଇ ହୃଦୟରେ ଚିରଦିନ ପାଇଁ ସ୍ଥାନଟିଏ ଅଧିକାର କରିଛି। ରଜ ସହ ଯୋଡ଼ିହୋଇ ରହିଛି ସଜବାଜ, ମଉଜମସ୍ତି, ରଜଦୋଳି, ରଜପାନ, ପୋଡ଼ପିଠା, ଭଳିକିଭଳି ରିବନ୍, ନୂଆ ପୋଷାକ, ପାଦରେ ଅଳତା, ରଜଗୀତ ଇତ୍ୟାଦି।
ରଜର ପ୍ରଥମ ଦିନ ଅର୍ଥାତ୍ ପହିଲି ରଜ ଦିନ ସକାଳୁ ସକାଳୁ ଗାଧୁଆ ସାରି ସଜ ହୋଇ ଦୋଳି ଖେଳିବାର ମଜା ଆଜିବି ସ୍ମୃତିର ଆଢ଼ୁଆଳରେ ଝାପ୍ସା ଉଙ୍କିମାରେ। ସାଙ୍ଗସାଥିଙ୍କ ସହ ରଜର ପ୍ରତ୍ୟେକ ମୁହୁର୍ତ୍ତକୁ ଉପଭୋଗ କରୁଥିଲୁ।
ରଜ ତିନିଦିନ ବିଭିନ୍ନ ପ୍ରକାର ଖେଳରେ ବିତୁଥିଲା। ଯେଉଁଥିରେ ସାମିଲ ଥିଲା – ଲୁଡ଼ୁ, ତାସ୍, ପୁଚି ଇତ୍ୟାଦି। କେମିତି ଯେ ସେଇ ତିନିଦିନ ବିତିଯାଉଥିଲା କିଛି ଜଣାପଡ଼ୁନଥିଲା।
ଯଦି ବି ବ୍ୟସ୍ତବହୁଳ ଜୀବନରେ ସମୟର ଘୋର ଅଭାବ ରହିଛି, ତଥାପି ଏଥର ରଜରେ ବିଭିନ୍ନ ପ୍ରକାର ପିଠା ତିଆରି କରି ପରିବାରର ସବୁ ସଦସ୍ୟଙ୍କ ସହ ରଜ ବିତେଇବାର ଯୋଜନା ରହିଛି।