ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ଏକବିଂଶ ଶତାବ୍ଦୀରେ ମଙ୍ଗଳଗ୍ରହରେ ମଣିଷ ଘର କରିବା ପାଇଁ ଅଣ୍ଟା ଭିଡିଛି। ହେଲେ ଓଡ଼ିଶାର ଗୋଟିଏ ଅଗ୍ରସର ଜିଲ୍ଲାର ୭୬ ହଜାର ପରିବାର ବିଦ୍ୟୁତ୍ ବିନା ଯେ ଅନ୍ଧାରରେ ଥିବେ ଏହା କାନକୁ ବିଶ୍ୱାସ ହେଉ ନଥିଲେ ବି ସତ। କଟକ ଜିଲ୍ଲାରେ ବିଦ୍ୟୁତ୍ ବିନା ସଂଯୋଗରେ ଏତିକି ପରିବାରକୁ ଏହିଭଳି ବଞ୍ଚିବାକୁ ପଡୁଛି। କଟକ ସହର ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଏହି ସହରରେ ୧୨ ହଜାର ୫୭୨ ପରିବାର ମଧ୍ୟ  ବିନା ବିଜୁଳିରେ ଜୀବନ ଅତିବାହିତ କରୁଥିବା ଜଣାପଡିଛି।

କଟକ ଜିଲ୍ଲାରେ ମୋଟ୍ ୪ ଲକ୍ଷ ୩୯ ହଜାର ୭୬୫ଟି ପରିବାର ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଥିମଧ୍ୟରୁ ୩ ଲକ୍ଷ ୬୩ ହଜାର ୨୬୮ଟି ପରିବାରକୁ ବିଦ୍ୟୁତ୍ ବଣ୍ଟା ଯାଇଛି। ବାକି ୭୬ ହଜାର ୪୯୭ଟି ପରିବାର ବିଦ୍ୟୁତ୍ ସଂଯୋଗରୁ ବଞ୍ଚିତ ହୋଇଛନ୍ତି। କଟକ ଜିଲ୍ଲାର ନିଶ୍ଚିତକୋଇଲି ବ୍ଲକରେ ସର୍ବାଧିକ ୭ ହଜାର ୬୭୩ ପରିବାରକୁ ଏଯାବତ ବିଦ୍ୟୁତ୍ ସଂଯୋଗ ମିଳିନଥିଲା ବେଳେ ଏହା ପଛକୁ ରହିଛନ୍ତି ମାହାଙ୍ଗା, ସାଲେପୁର, ଆଠଗଡ ବ୍ଲକ୍।

ଏହିସବୁ ବ୍ଲକରେ ୬ହଜାରରୁ ଅଧିକ ପରିବାରକୁ ଏ ଯାବତ ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ। ସେହିପରି ନିଆଳି, ନରସିଂହପୁର ଏବଂ କଟକସଦର ବ୍ଲକରେ ୪ ହଜାରରୁ ଅଧିକ ପରିବାର ବିଦ୍ୟୁତ୍ ସଂଯୋଗରୁ ବଞ୍ଚିତ ହୋଇଛନ୍ତି।

ବଡମ୍ବା ଏବଂ ଡମପଡା ବ୍ଲକରେ ୩ ହଜାରରୁ ଅଧିକ ପରିବାରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନଥିଲା ବେଳେ ବାଙ୍କୀ, ବାରଙ୍ଗ, ତିଗିରିଆ ବ୍ଲକରେ ୨ ହଜାରରୁ ଅଧିକ ପରିବାର ବିଦ୍ୟୁତ୍ ସଂଯୋଗରୁ ବଞ୍ଚିତ ହୋଇଛନ୍ତି। ଜିଲ୍ଲାର ଗ୍ରାମାଞ୍ଚଳରେ ବିଦ୍ୟୁତକୁ ନେଇ ଏଭଳି ସମସ୍ୟା ଥିଲା ବେଳେ ସହରାଞ୍ଚଳରେ ମଧ୍ୟ ଏହି ସମସ୍ୟା ଉତ୍କଟ ରହିଛି।

କଟକ ମହାନଗର ନିଗମରେ ୧୨ ହଜାର ୫୭୨ଟି ପରିବାରକୁ ଏଯାବତ ବିଦ୍ୟୁତ୍ ସଂଯୋଗ ମିଳି ନଥିଲା ବେଳେ ଚୌଦ୍ୱାର ମ୍ୟୁନିସିପାଲଟିରେ ୮୮୦ଟି ପରିବାର, ଆଠଗଡ ଏନ୍ଏସିରେ ୫୨୪ଟି ପରିବାର ଏବଂ ବାଙ୍କୀ ଏନ୍ଏସିରେ ୮୭୯ଟି ପରିବାର ଏହି ବିଦ୍ୟୁତ୍ ସଂଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି।

ଯେଉଁଠି ବିଦ୍ୟୁତ ସଂଯୋଗ ରହିଛି ଯଦି ସେଠି ୧୦ମିନିଟ୍ ଲାଗି ବିଦ୍ୟୁତ୍ ଚାଲିଯାଏ ତାହେଲେ ସେହି ଲୋକଙ୍କ ଲାଗି ସବୁକିଛି ଅନ୍ଧାର ହୋଇଯାଏ। ଗରମ ଦିନେ ବିଦ୍ୟୁତ୍ ଯିବା ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ। କିନ୍ତୁ ଏହିସବୁ ପରିବାର କଥା ଯଦି ଦେଖାଯାଏ ତେବେ ଏମାନେ ଡିବିରି ଆଲୁଅକୁ ଭରସା କରି ଚଳୁଛନ୍ତି। ସେମାନଙ୍କ ପାଇଁ ଡିବିରି ଆଲୁଅ ହିଁ ସବୁକିଛି।

ଏହିଭଳି ପରିବାରକୁ ବିଦ୍ୟୁତ୍ ସଂଯୋଗ ଦେବାଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାର କେତେକ ଯୋଜନା ହାତକୁ ନେଇଛନ୍ତି। ରାଜୀବ ଗାନ୍ଧି ବିଦ୍ୟୁତ ଯୋଜନାରେ ଜିଲ୍ଲାର ୨୧ ହଜାର ୧୭୧ଟି ପରିବାରକୁ ବିଦ୍ୟୁତ୍ ସଂଯୋଗ ଦେବାଲାଗି ଯୋଜନା ହୋଇଛି। ଆସନ୍ତା ଜୁନ୍ ୩୦ ସୁଦ୍ଧା ଏହି ଯୋଜନାରେ ସବୁ ବିପିଏଲ୍ ପରିବାରକୁ ବିଦ୍ୟୁତ୍ ସଂଯୋଗ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ସେହିପରି ଯେଉଁମାନେ ବିଦ୍ୟୁତ୍ ସଂଯୋଗରୁ ବାଦ୍ ପଡିଯାଇଛନ୍ତି ସେହିସବୁ ପରିବାରକୁ ବିଦ୍ୟୁତ୍ ସଂଯୋଗ ଦେବାକୁ ‘ସୌଭାଗ୍ୟ’ ନାମରେ ଏକ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଖର୍ଚ୍ଚରେ କାର୍ଯ୍ୟକାରୀ ହେଉଛି।

ଏହି ଯୋଜନାରେ ବିଦ୍ୟୁତ୍ ସଂଯୋଗରୁ ବଞ୍ଚିତ ହୋଇଥିବା ସମସ୍ତ ୭୬ ହଜାର ପରିବାରକୁ ବିଦ୍ୟୁତ୍ ସଂଯୋଗ ଦେବାକୁ ଲକ୍ଷ୍ୟ ରହିଛି । ଆସନ୍ତା କିଛି ମାସ ମଧ୍ୟରେ ଏହି ଯୋଜନାରେ ୭୬ ହଜାର ପରିବାରକୁ ବିଦ୍ୟୁତ୍ ସଂଯୋଗ ଦେବାଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

Comment