ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଲୋକସଭା ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ କରିବା ପରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ ସମର୍ଥନ କରିଛି ବିଜେଡି।

ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଗୋଟିଏ ଚିତ୍ର ଦେଖିବାକୁ ମିଳିଥିଲା। ବିଜେପି ଏବଂ ବିଜେଡି ପରସ୍ପର ବିରୋଧରେ ଲଢ଼ିଥିଲେ। ନେତା ନେତାଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଚରମ ସୀମାରେ ପହଞ୍ଚିଥିଲା। କିନ୍ତୁ ନିର୍ବାଚନ ପରେ ଚିତ୍ର ବଦଳିଛି। ନବୀନ ମୋଦିଙ୍କ ନିକଟତର ହେଉଥିବା ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ଲୋକସଭା ବାଚସ୍ପତି ପଦ ପାଇଁ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଏବଂ ମୋଦିଙ୍କ ପ୍ରସ୍ତାବିତ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’କୁ ନବୀନ ସମର୍ଥନ ଦେବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି।

ଉପରେ ପଡ଼ି ସମର୍ଥନ

ଲୋକସଭା ବାଚସ୍ପତି ପଦ ପାଇଁ ଏନଡିଏ ଓମ୍ ବିର୍ଲାଙ୍କୁ ପ୍ରାର୍ଥୀ କରିଥିଲା। ବିରୋଧୀଙ୍କ ହାତରେ ସଂଖ୍ୟା ବଳ ନଥିବାରୁ ବିରୋଧୀ ଦଳ ଏଥିପାଇଁ ପ୍ରାର୍ଥୀ ଦେଇ ନଥିଲେ। ଏନଡିଏ ପାଖରେ ୩୫୩ ସାଂସଦଙ୍କ ସମର୍ଥନ ଥିବାରୁ ଅନ୍ୟ କୌଣସି ଦଳର ସମର୍ଥନ ଲୋଡ଼ି ନଥିଲା ଦଳ। କିନ୍ତୁ ବିଜେଡି ଉପରେ ପଡ଼ି ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ସମର୍ଥନ କରୁଥିବା ଘୋଷଣା କରିଥିଲା।

ମମତା, ଚନ୍ଦ୍ରବାବୁ ଗଲେନି – ନବୀନ ଗଲେ

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକକୁ ବିଭିନ୍ନ ରାଜନୀତିକ ଦଳର ସଭାପତିମାନଙ୍କୁ ଡକା ଯାଇଥିଲା। ହେଲେ ଏହି ବୈଠକକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ବିଏସ୍‌ପି ମୁଖ୍ୟ ମାୟାବତୀ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଆସି ନଥିଲେ। ହେଲେ ନବୀନ ଏହି ବୈଠକକୁ ଯାଇ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ।

ସବୁଠୁ ବଡ଼ କଥା ହେଉଛି ମମତା ମୋଦିଙ୍କୁ ୨୦୧୪ରୁ ବିରୋଧ କରି ଆସୁଛନ୍ତି। ସେହିପରି ଅଖିଳେଶ ଏବଂ ମାୟାବତୀ ବି ମୋଦି ବିରୋଧୀ ଭାବେ ପରିଗଣିତ। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନଦେବାରୁ ଚନ୍ଦ୍ରବାବୁ ମୋଦିଙ୍କୁ ବିରୋଧ କରି ଆସୁଛନ୍ତି। ହେଲେ ୨୦୧୪ରୁ ମୋଦିଙ୍କୁ ଓ କେନ୍ଦ୍ର ସରକାରଙ୍କୁ ପ୍ରତିଟି ପ୍ରସଙ୍ଗରେ ବିରୋଧ କରି ଆସୁଥିବା ନବୀନଙ୍କର ଏବେ ଆଭିମୁଖ୍ୟ ବଦଳିଛି। ବିଜେପିଠାରୁ ଦୂରେଇ ରହୁଥିବା ବିଜେଡି ଏବେ ମୋଦିଙ୍କ ନିକଟତର ହେଉଥିବା କୁହାଯାଉଛି।

‘‘ବିଜୁ ଜନତା ଦଳର ନେତାଙ୍କ ବିରୋଧରେ ଚିଟଫଣ୍ଡ ଠକେଇ ମାମଲା ରହିଛି। ମାମଲାର ସିବିଆଇ ତଦନ୍ତ ଚାଲିଛି। ଏହାଛଡ଼ା ଅନ୍ୟ ଦୁର୍ନୀତି ମଧ୍ୟ ବିଜେଡି ନେତାଙ୍କ ନାଁରେ ରହିଛି। ଏଣୁ ଏଥିରୁ ବର୍ତ୍ତିବା ପାଇଁ ବିଜେଡି ମୋଦିଙ୍କୁ ଖୁସ୍ କରିବାକୁ ଚାହୁଁଥିବା ମନେହେଉଛି’’, କହିଛନ୍ତି ବିଜେପି ନେତା ଡାକ୍ତର ଦାମୋଦର ରାଉତ।

ସମଦୂରତା ହଜିଗଲା

୨୦୧୪ରୁ ନବୀନ ଏବଂ ତାଙ୍କ ଟିମ୍ ସମଦୂରତା ମନ୍ତ୍ର ଜପି ଆସୁଥିଲେ। ଉଭୟ ବିଜେପି ଏବଂ କଂଗ୍ରେସଠାରୁ ତାଙ୍କ ଦଳ ସମାନ ଦୂରରେ ରହିଥିବା ନବୀନ କହୁଥିଲେ। ଏପରିକି ନିର୍ବାଚନ ବେଳେ ବି ବିଜେଡି ନେତାମାନେ ଏହି କଥା କହିଥିଲେ। କିନ୍ତୁ ନିର୍ବାଚନ ପରେ ସମୀକରଣ ବଦଳିଛି। ବିଜେଡି ଏବେ ସମଦୂରତା ମନ୍ତ୍ର ଜପିବା ଛାଡ଼ି ଦେଇଛି। ୨୦୧୯ ନିବାଚନ ପରେ ନବୀନ ‘ଗଠନମୂଳକ ସହଯୋଗ’କୁ ଅସ୍ତ୍ର କରିଛନ୍ତି।

କାହିଁକି ହଜିଗଲା ସମଦୂରତା?

୨୦୧୪ ନିର୍ବାଚନରେ ବିଜେପି ଓଡ଼ିଶାରୁ ପାଇଥିଲା ମାତ୍ର ଗୋଟିଏ ଆସନ। ବିଜେଡି ଖାତାକୁ ଯାଇଥିଲା ୨୦ଟି ଲୋକସଭା ଆସନ। ଏହାସତ୍ତ୍ୱେ ବିଜେପି ନେତୃତ୍ୱରେ କେନ୍ଦ୍ରରେ ଏନଡିଏ ସରକାର ଗଠନ କଲା। ଲୋକସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇଥିଲା ଏନଡିଏ। କିନ୍ତୁ ରାଜ୍ୟସଭାରେ ବିଜେପିର ସଂଖ୍ୟା ବଳ ନଥିଲା। ଏଣୁ କୌଣସି ବିଲ୍ ପାସ୍ ବେଳେ ୨୦ ସାଂସଦ ଥିବା ବିଜେଡିର ସମର୍ଥନ ଲୋଡୁଥିଲା ବିଜେପି। ହେଲେ ଏଥର ନିର୍ବାଚନରେ ବିଜେପି ଓଡ଼ିଶାରୁ ୮ ସାଂସଦ ନେଇଥିବା ବେଳେ ବିଜେଡି ୧୨ଟି ପାଇଛି। ଏଣୁ ବିଜେଡି ସମଦୂରତା ମନ୍ତ୍ରକୁ ଛାଡ଼ି ଗଠନମୂଳକ ସହଯୋଗକୁ ଧରିଛି।

ନିର୍ବାଚନରେ ଘମାଘୋଟ ଲଢ଼େଇ

୨୦୧୯ ନିର୍ବାଚନରେ ଓଡ଼ିଶାବାସୀ ବିଜେପି ଏବଂ ବିଜେଡି ଭିତରେ ଘମାଘୋଟ ଲଢ଼େଇ ଦେଖିଥିଲେ। ବିଜେଡିର ପ୍ରଚାର ମଙ୍ଗ ନବୀନ ଧରିଥିବା ବେଳେ ମୋଦି ଏବଂ ଶାହ ବିଜେପିର ପ୍ରଚାର ମଙ୍ଗ ଧରିଥିଲେ। ନବୀନ କଥା କଥାକେ କେନ୍ଦ୍ରର ବିଜେପି ସରକାରକୁ ତୀର ମାରୁଥିଲେ। ଏପଟେ ଶାହ ବି ନବୀନ ସରକାରକୁ ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ସରକାର କହି ସମାଲୋଚନା କରିଥିଲେ। ମୋଦି ମଧ୍ୟ କେନ୍ଦ୍ରାପଡ଼ା ସଭାରୁ ନବୀନଙ୍କୁ ସମ୍ମାନର ସହ ‘ବିଦାୟ ନେଇଯାଅ’ ବୋଲି କହିଥିଲେ। ଏସବୁ ଭିତରେ ନିର୍ବାଚନ ଶେଷ ହୋଇଥିଲା। ନିର୍ବାଚନ ବେଳେ ବିଜେପି ଓ ବିଜେଡି ଭିତରେ ଯେଉଁ ଦୂରତା ଦେଖିବାକୁ ମିଳିଥିଲା ତାହା ନିର୍ବାଚନ ପରେ କମି ଯାଇଥିବା କୁହାଯାଉଛି।

ନିର୍ବାଚନ ପରେ ବିଜେପି-ବିଜେଡି ଭିତରେ ଏକ ସୁ-ସମ୍ପର୍କ ତିଆରି ହୋଇଛି। କେନ୍ଦ୍ରରେ ନବୀନ ମୋଦିଙ୍କୁ ବିଭିନ୍ନ ପ୍ରସ୍ତାବରେ ସମର୍ଥନ କରୁଛନ୍ତି। ତେବେ ଓଡ଼ିଶାରେ ବିଜେପି ନେତାମାନେ କ’ଣ କରିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଯେଉଁ ବିଜେପି ନେତାମାନେ ଗତ ମାସେ ତଳେ ହୋଇଥିବା ନିର୍ବାଚନରେ ବିଜେଡି ବିରୋଧରେ ଲଢୁଥିଲେ ସେମାନେ ବିଜେଡି କେମିତି ଗ୍ରହଣ କରିବେ ତାହା ଅପେକ୍ଷା କରି ଦେଖିବାର କଥା।

Comment