ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆମାଜନ ସହ ଟ୍ରାଇବ୍ସ ଇଣ୍ଡିଆର ବୁଝାମଣା
  • ୧୯୦ଟି ଦେଶରେ ବିକ୍ରି ହେବ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ

ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ  ଟ୍ରାଇବ୍ସ ଇଣ୍ଡିଆର ‘ଗୋ ଟ୍ରାଇବାଲ ଅଭିଯାନ’କୁ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂ ଉଦଘାଟନ କରିଛନ୍ତି।

ଜନଜାତି ଉତ୍ପାଦଗୁଡ଼ିକର ଉପଯୋଗକୁ ବ୍ୟାପକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଆମାଜନ ଗ୍ଲୋବାଲ ସେଲିଂ ଜରିଆରେ ବିଶ୍ୱ ବଜାରରେ ଟ୍ରାଇବ୍ସ ଇଣ୍ଡିଆର ପ୍ରବେଶକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଟ୍ରାଇଫେଡର ଅଧ୍ୟକ୍ଷ ଆର.ସି. ମୀନା, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସଚିବ ଦୀପକ ଖାଣ୍ଡେକର ଏବଂ ଟ୍ରାଇଫେଡର ପରିଚାଳନା ନିର୍ଦ୍ଦେଶକ ପ୍ରବୀର କ୍ରିଷ୍ଣା ଉପସ୍ଥିତ ଥିଲେ।

ଏହି ଅବସରରେ ମନ୍ତ୍ରୀ କହିଥିଲେ, ‘‘ହସ୍ତଶିଳ୍ପ ସମେତ ବହୁ ସୃଜନଶୀଳ ଉତ୍ପାଦ ପ୍ରସ୍ତୁତି କରିବାରେ ସମର୍ଥ ଆମ ଦେଶର ଜନଜାତି ବର୍ଗର ଲୋକମାନଙ୍କୁ ଆର୍ଥିକ ଦୃଷ୍ଟି କୋଣରୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ଜନଜାତି ଉତ୍ପାଦଗୁଡ଼ିକ ଅତ୍ୟନ୍ତ ସ୍ୱଚ୍ଛ ଏବଂ ବିଶ୍ୱାସଯୋଗ୍ୟ। ଆମାଜନ ଗ୍ଲୋବାଲ ସେଲିଂ ଜରିଆରେ ବିଶ୍ୱ ବଜାରରେ ଜନଜାତି ଉତ୍ପାଦଗୁଡ଼ିକ ବିକ୍ରି କରାଯିବ।’’

ଟ୍ରାଇଫେଡର ଅଧ୍ୟକ୍ଷ କହିଥିଲେ, ‘‘ଟ୍ରାଇଫେଡ ଏବଂ ଆମାଜନ ମଧ୍ୟରେ ମିଳିତ ସହଭାଗୀତା ଦ୍ୱାରା ଜନଜାତୀୟ ଉତ୍ପାଦଗୁଡ଼ିକ ପ୍ରାୟତଃ ୧୯୦ଟି ଦେଶରେ ଉପଲବ୍ଧ ହୋଇପାରିବ ଏବଂ ବିଶ୍ୱ ବଜାରରେ ଜନଜାତି ଉତ୍ପାଦ ରପ୍ତାନି ଲାଗି ଏକ ବଜାର ପ୍ରତିଷ୍ଠା କରିବ।’’

ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ କହିଥିଲେ ଯେ ଗତ କିଛି ଦିନ ମଧ୍ୟରେ ଜନଜାତି ଉତ୍ପାଦଗୁଡ଼ିକର ବିକ୍ରି ବହୁଗୁଣ ବୃଦ୍ଧି ପାଇଛି ଏବଂ ଏହା ବ୍ୟାପକ ରୋଜଗାର ସୁଯୋଗ ମଧ୍ୟ ସୃଷ୍ଟି କରିପାରିଛି। ଆମାଜନ ସହିତ ସହଭାଗୀତାରେ ଜନଜାତି ଉତ୍ପାଦ ବଜାର ନିଶ୍ଚିତ ଭାବେ ଅଭିବୃଦ୍ଧି ହାସଲ କରିବ।

ଆମାଜନ ଡଟ କମ ଜରିଆରେ ବିଶ୍ୱ ବଜାରରେ ଟ୍ରାଇବ୍ସ ଇଣ୍ଡିଆର ଉତ୍ପାଦ ସବୁ ବିକ୍ରି କରାଯିବ। ଆମାଜନ ସହ ଏହି ବୁଝାମଣା ଫଳରେ ଆମେରିକୀୟ ବଜାରରେ ଜନଜାତି ଉତ୍ପାଦଗୁଡ଼ିକ ବିକ୍ରି କରିବା ସମ୍ଭବ ହେବ ଏବଂ ଏହା ରପ୍ତାନିକୁ ପ୍ରୋତ୍ସାହିତ କରିବ।

Comment