ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଦ୍ଧାରିତ ସମୟ ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ରଥ।

ରେକର୍ଡ କରିଛି ଚଳିତ ବର୍ଷର ଶ୍ରୀଗୁଣ୍ଡିଚା ଯାତ୍ରା। ସୁରୁଖୁରୁରେ ନୀତିକାନ୍ତି ଶେଷ ହେବାରୁ ଶରଧାବାଲିରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଲାଗିଛି ତିନି ରଥ। ଆଜି ରାତି ସାରା ମହାପ୍ରଭୁ ରଥ ଉପରେ ରହିବେ। ଆସନ୍ତକାଲି ଆଡ଼ପ ମଣ୍ଡପକୁ ବିଜେ କରିବେ।

ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ

ରତ୍ନସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିଛନ୍ତି ଭାବର ଠାକୁର। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି କାଳିଆ ସାଆନ୍ତ। ତିନି ଠାକୁରଙ୍କୁ ପାଖରେ ପାଇ ଭକ୍ତ ବି ଭାବବିହ୍ୱଳ ହୋଇଯାଇଥିଲେ।

କିଏ ମହାପ୍ରଭୁଙ୍କୁ ହାତଟେକି ନିଜକୁ ସମର୍ପଣ କରିଦେଇଥିଲା ତ ପୁଣି ଆଉ କିଏ ବଡ଼ଦାଣ୍ଡରେ ଗଡ଼ି ଯାଇଥିଲା। ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ଭଜନ, କୀର୍ତ୍ତନରେ ମଜ୍ଜି ଯାଇଥିଲେ। ହରିବୋଲ, ହୁଳହୁଳି ଧ୍ୱନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ। ଖୋଳ, ମୃଦଙ୍ଗ ଓ ଖଞ୍ଜଣିର ତାଳେତାଳେ ନାଚି ଉଠିଥିଲେ ଶ୍ରଦ୍ଧାଳୁ। ବଡ଼ଦାଣ୍ଡରେ ଆଜି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳିଥିଲା।

ସଅଳ ସରିଲା ନୀତିକାନ୍ତି

ଅଣସର ଘରେ ୧୫ ଦିନ ରହିବା ପରେ ମଙ୍ଗଳବାର ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେଇଥିଲେ ଭକ୍ତଙ୍କୁ। ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଚାଲିବା ପରେ ରଥଯାତ୍ରା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି।

ଗୁରୁବାର ଭୋର୍‌ରୁ ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ରୋଷ ହୋମ ଅବକାଶ, ସୂର୍ଯ୍ୟପୂଜା, ଗୋପାଳ ବଲ୍ଲଭ, ସକାଳଧୂପ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ନୀତି ସମାପନ ହେବାପରେ ପହଣ୍ଡି ଆରମ୍ଭ ହୋଇଥିଲା। ନୀତିକାନ୍ତି ଆଜି ଶୃଙ୍ଖଳିତ ଭାବେ ସମାପନ ହୋଇଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା।

ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥରେ ଚଢ଼ି ଛେରାପହଁରା ଏବଂ ବନ୍ଦାପନା କରିବା ପରେ ଘୋଡ଼ା ଯୋଖା ଯାଇଥିଲା। ଚାରମାଳ ଫିଟାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା। ଅପରାହ୍ଣ ୪ଟାରେ ରଥଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ କରିଥିଲା। ହେଲେ ଶୃଙ୍ଖଳିତ ନୀତିକାନ୍ତି ଯୋଗୁଁ ୨ଟା୧୫ରେ ପ୍ରଥମେ ତାଳଧ୍ୱଜ ରଥ ଗଡ଼ିଥିଲା। ପରେ ମା’ ସୁଭଦ୍ରାଙ୍କ ଦେବଦଳନ ଏବଂ ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା।

ଏଥର ଅଟକିନି ନନ୍ଦିଘୋଷ

ପ୍ରତି ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ବେଳେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଧା ବାଟରେ ଅଟକି ଯାଇଥାଏ। କେଉଁ ବର୍ଷ ଡାକ୍ତରଖାନା ଛକ ତ ପୁଣି କେଉଁ ବର୍ଷ ବଳଗଣ୍ଡି ଛକରେ ଅଟକୁଥିଲା ନନ୍ଦିଘୋଷ। ଶ୍ରୀଗୁଣ୍ଡିଚା ପରଦିନ ହିଁ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିରରେ ଲାଗୁଥିଲା। ହେଲେ ଚଳିତ ବର୍ଷ ଶ୍ରୀମନ୍ଦିରର କଡ଼ା କଟକଣା ଏବଂ ରାଜ୍ୟ ସରକାରଙ୍କ ତତ୍ପରତା ଯୋଗୁଁ ଏଥର ନୀତିକାନ୍ତିରେ ବିଭ୍ରାଟ ଦେଖିବାକୁ ମିଳିନି।

ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ରଥ ଟଣା ହୋଇଥିବାରୁ ତିନି ରଥ ସନ୍ଧ୍ୟା ପୂର୍ବରୁ ଶରଧା ବାଲିରେ ଲାଗିଥିଲା। ଭକ୍ତମାନେ ଆନନ୍ଦ ଓ ଉଲ୍ଲାସର ସହ ରଥ ଟାଣିଥିଲେ।

ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଦେଖିଲେ ରଥଯାତ୍ରା

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମହାପ୍ରଭୁଙ୍କ ଶ୍ରୀମୁଣ୍ଡିଚା ଯାତ୍ରା ଦେଖିଛନ୍ତି। ମହାପ୍ରଭୁଙ୍କ ପହଣ୍ଡି ବିଜେଠାରୁ ଆରମ୍ଭ କରି ରଥ ଟଣା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ପୁରୀରେ ରହିଥିଲେ। ଏହାସହ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଶାସକ ଦଳର ଅନ୍ୟ ନେତା, ମନ୍ତ୍ରୀମମାନେ ବି ସାମିଲ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଳୁମାନଙ୍କୁ ଟଙ୍କ ତୋରାଣି ବିତରଣ କରିଥିଲେ।

ସେହିପରି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ପୁରୀ ଯାଇ ରଥରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟୁଇଟ୍ କରି ଓଡ଼ିଶାବାସୀଙ୍କୁ ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଦେଇଥିଲେ।

ରଥଯାତ୍ରା ପାଇଁ ସୁରକ୍ଷା କଡ଼ାକଡ଼ି

ପୁରୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ପୋଲିସ ପ୍ରଶାସନ ପୂରା ସଜାଗ ରହିଥିଲା। ୧୧୫ ପ୍ଲାଟୁନ ଫୋର୍ସ, ୨୪୦୦ ହୋମଗାର୍ଡ ସଜାଗ ରହିଥିଲେ। ବୋମା ନିଷ୍କ୍ରିୟକାରୀର ୨ ୟୁନିଟ ମୁତୟନ ଥିଲେ।

ଦୁଇ କମ୍ପାନି ରାପିଡ ଆକ୍ସନ ଫୋର୍ସ, ୬୫୦ ଏସ୍‌ଆଇଙ୍କ ସମେତ ୧୫ ଜଣ ଏସ୍‌ପି ପାହ୍ୟାର ଅଧିକାରୀ ମୁତୟନ ଥିଲେ। ଡିଏସ୍‌ପି ପାହ୍ୟାର ୮୦ ଜଣ ଅଧିକାରୀ, ଓଡ୍ରାଫ୍ ଟିମ ଓ ଏନ୍‌ଡିଆର୍‌ଏଫ ଟିମ୍ ମଧ୍ୟ ମୁତୟନ ଥିଲେ।

ସମଗ୍ର ପୁରୀ ସହର ସିସିଟିଭି ନଜରରେ ରହିଥିଲା। ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ପାର୍କିଂସ୍ଥଳ, ସିଂହଦ୍ୱାର ଆଦି ସସମ୍ତ ସ୍ଥାନ ସିସିଟିଭ ନଜରରେ ରହିଥିଲା।

Comment