ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରାରେ ଜମୁଛି ପ୍ରଚାର। ବିଜୟ-ସାବିତ୍ରୀ-ଜୟନ୍ତଙ୍କ ମଧ୍ୟରେ କଡ଼ା ଟକ୍କର।

‘‘ଏଥର ବିଜୟ, ସୁନିଶ୍ଚିତ ବିଜୟ’’ –  ଏହା ହେଉଛି ବିଜୟ ମହାପାତ୍ରଙ୍କ ପ୍ରଚାର ଗାଡ଼ିରେ ଲେଖା ଯାଇଥିବା ସ୍ଲୋଗାନ। ଏହି ସ୍ଲୋଗାନ ଲେଖାଥିବା ଗାଡ଼ି ଏବେ ପାଟକୁରାର ଗଳିକନ୍ଦିରେ ବୁଲୁଛି।

ଏପଟେ ସୋସିଆଲ ମିଡିଆରେ ମଧ୍ୟ ବିଜୟଙ୍କ ପାଇଁ ପ୍ରଚାର ଜୋରଦାର ଚାଲିଛି। ବିଜୟଙ୍କ ପାଇଁ ଏଥର ନିର୍ବାଚନ ଶେଷ ସୁଯୋଗ ହୋଇଥିବାରୁ ତାଙ୍କୁ ବିଧାନସଭାକୁ ପଠାଇବା ଲାଗି ଅପିଲ୍ ଚାଲିଛି। ତେବେ ଗତ ୧୯ ବର୍ଷ ହେଲା ବିଧାନସଭାଠୁ ଦୂରରେ ଥିବା ବିଜୟଙ୍କ ଉପରେ ପାଟକୁରାବାସୀ ଏଥର ଭରସା କରିବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଜୟ ଜଣେ ସାମାନ୍ୟ ନେତା ନୁହନ୍ତି, ରାଜ୍ୟ ରାଜନୀତିର ଜଣେ ବିଚକ୍ଷଣ ନେତା। ସବୁବେଳେ ବିଜୟ ଗଣମାଧ୍ୟମରେ ଚର୍ଚ୍ଚାରେ ଥାନ୍ତି। ବିଜୟ ଏମିତି ଜଣେ ନେତା ସେ ମୁହଁ ଖୋଲିଲେ ହୁଏ ନ୍ୟୁଜ ଏବଂ ମୁହଁ ବନ୍ଦ କଲେ ଗଣମାଧ୍ୟମ ତାର କାରଣ ଖୋଜେ। ହେଲେ ୧୯ ବର୍ଷ ହେଲା କ୍ଷମତାଠୁ ଦୂରରେ ଅଛନ୍ତି ବିଜୟ। ବିଜୟଙ୍କ ପାଇଁ ଚଳିତ ନିର୍ବାଚନ ହେଉଛି ଶେଷ ସୁଯୋଗ। କାରଣ ଆର ନିର୍ବାଚନ ଲଢ଼ିବା ପାଇଁ ବିଜୟଙ୍କୁ ତାଙ୍କ ବୟସ ସାଥ୍ ଦେଇ ନପାରେ। ତେବେ ବିଜୟ ବିଜେଡିର ସାବିତ୍ରୀ ଅଗ୍ରୱାଲ ଏବଂ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ଟକ୍କର ଦେଇ କେମିତି ବିଧାନସଭାକୁ ଆସିବେ ତାକୁ ନେଇ ସବୁଠି ଚର୍ଚ୍ଚା।

‘‘ବିଜୟ ମହାପାତ୍ରଙ୍କ ବିଜୟ ସୁନିଶ୍ଚିତ। ରାଜ୍ୟର ପ୍ରମୁଖ କିଛି ନେତାଙ୍କ ମଧ୍ୟରେ ବିଜୟଙ୍କ ସ୍ଥାନ ରହିଛି। ତାଙ୍କୁ ସାରା ଦେଶର ଲୋକ ଜାଣିଛନ୍ତି। ବିଜେପିର ପ୍ରମୁଖ ନେତାମାନେ ବି ବିଜୟଙ୍କ ସହ ସିଧାସଳଖ ସମ୍ପର୍କରେ ଅଛନ୍ତି। ପାଟକୁରାରବାସୀ ମଧ୍ୟ ଚାହୁଁଛନ୍ତି ବିଜୟ ଏଥର ବିଧାନସଭାକୁ ଆସନ୍ତୁ। ଏହାକୁ କେହି ରୋକି ପାରିବେ ନାହିଁ’’, କହିଛନ୍ତି ବିଜେପି ପ୍ରଭାରୀ ଅରୁଣ ସିଂ।

ବିଜୟଙ୍କ ବିଜୟ ସହଜ ହେବ କି?

ବିଜୟ ମହାପାତ୍ରଙ୍କ ଜନ୍ମ ପାଟକୁରାରେ। ପାଟକୁରାର ମାଟି, ପାଣି, ପବନ ସହ ଜଡ଼ିତ। ଅଣ କଂଗ୍ରେସ ରାଜନୀତିରେ ଭରସା କରି ବିଜୟ ବିଜୁ ବାବୁଙ୍କ ସହ ଯୋଡ଼ି ହୋଇଥିଲେ। ୧୯୮୦ରେ ସେ ପ୍ରଥମ ଥର ପାଇଁ ପାଟକୁରାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୦ରୁ ୨୦୦୦ ଯାଏଁ ଯେତେ ନିର୍ବାଚନ ହୋଇଛି ସବୁଥିରେ ବିଜୟ ହିଁ ବିଜୟୀ ହୋଇଥିଲେ।

ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଜୟ ୨୦୦୦ ମସିହାରେ ବିଜେଡି ଟିକେଟ ପାଇଥିଲେ। ପାଟକୁରାରେ ପ୍ରାର୍ଥିପତ୍ର ଦାକଲ କରି ଭୁବନେଶ୍ୱରରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଥିଲେ। ବିଜୟ ଥିଲେ ବିଜେଡି ସଂସଦୀୟ ବ୍ୟାପାର କମିଟିର ଅଧ୍ୟକ୍ଷ। ବୈଠକ ଚାଲିଥିବା ବେଳେ ଖବର ଆସିଲା ଯେ ବିଜୟଙ୍କ ଟିକେଟ ଖାରଜ ହୋଇ ଯାଇଛି। ନବୀନ ବିଜୟଙ୍କ ଜାଗାରେ ଅତନୁସବ୍ୟସାଚୀ ନାୟକଙ୍କୁ ପ୍ରାର୍ଥୀ କରିଛନ୍ତି।

ଏହି ଖବର ଶୁଣିବା ପରେ ବିଜୟଙ୍କ ପାଦ ତଳୁ ମାଟି ଧସି ଯାଇଥିଲା। ପାଟକୁରା ଯାଇ ଆଉ ଥରେ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ସମୟ ନଥିଲା। ଶେଷରେ ବିଜୟ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରିଲୋଚନ ବେହେରାଙ୍କୁ ସମର୍ଥନ କରିଥିଲେ। ତ୍ରିଲୋଚନ ଏବଂ ଅତନୁଙ୍କ ଭିତରେ ଟକ୍କର ହୋଇଥିଲା। ଶେଷରେ ତ୍ରିଲୋଚନ ବିଜୟୀ ହୋଇଥିଲେ।

କଥା ଥିଲା ନିର୍ବାଚନ ପରେ ତ୍ରିଲୋଚନ ଇସ୍ତଫା ଦେବେ ଏବଂ ଆଉ ଥରେ ଉପ-ନିର୍ବାଚନ ହେବ। ବିଜୟ ପ୍ରାର୍ଥୀ ହେବେ। ହେଲେ ତାହା ସମ୍ଭବ ହୋଇ ନଥିଲା। ପରେ ବିଜୟ ଓଜିପି ଗଠନ କଲେ। ୨୦୦୪ ନିର୍ବାଚନରେ ଓଜିପିର ୪ ଜଣ ପ୍ରାର୍ଥୀ ଜିତିଥିଲେ। କିନ୍ତୁ ବିଜୟ ଜିତିପାରି ନଥିଲେ। ଶେଷରେ ଓଜିପି-ଏନସିପିରେ ମିଶିଲା। ବିଜୟ ହେଲେ ରାଜ୍ୟ ସଭାପତି। ହେଲେ ୨୦୦୯ରେ ଏନସିପି ସହ ବିଜେଡିର ମେଣ୍ଟ ହେବାରୁ ବିଜୟ ଏନସିପି ଛାଡ଼ି ବିଜେପି ଆସିଥିଲେ।

୨୦୦୯ରେ ପାଟକୁରାରେ ବିଜେପି ପ୍ରାର୍ଥୀ ହୋଇଥିଲେ ବିଜୟ ମହାପାତ୍ର। ହେଲେ ତାଙ୍କ ଭାଗ୍ୟ ସାଥ୍ ଦେଲାନି। ସେ ପୁଣି ନିର୍ବାଚନ ହାରିଥିଲେ। ୨୦୧୪ରେ ବିଜୟ ମହାକାଳପଡ଼ାରୁ ପ୍ରାର୍ଥୀ ହୋଇଥିଲେ। ସେଠି ବି ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ଏଥର ବିଜୟ ତାଙ୍କ ପୁରୁଣା ଆସନ ପାଟକୁରାରୁ ପ୍ରାର୍ଥୀ ହୋଇଛନ୍ତି। ଏଥର ତାଙ୍କ ପାଇଁ ଶେଷ ସୁଯୋଗ। ଏହି ଶେଷ ଲଢ଼େଇରେ ବିଜୟଙ୍କ ସାଥିରେ ପାଟକୁରାବାସୀ ରହୁଛନ୍ତି ନା ନାହିଁ ଦେଖିବାକୁ ବାକି ରହିଲା।

ଜମିଲାଣି ପ୍ରଚାର

ପାଟକୁରା ଦଖଲ ପାଇଁ ଏବେଠୁ ଜମିଲାଣି ପ୍ରଚାର। ପ୍ରଚାରକୁ ଆହୁରି ସରଗରମ କରିବା ପାଇଁ ବିଜେପି, ବିଜେଡି ଏବଂ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ନିଜେ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ସେହିପରି ବିଜୟଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ପାଇଁ ବାହୁଡ଼ା ପରେ ପ୍ରଚାର କରିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ପ୍ରଭାରୀ ଜିତେନ୍ଦ୍ର ସିଂହ। ଏହି ତ୍ରିମୁଖୀ ଲଢ଼େଇରୁ କିଏ ବାଜି ମାରୁଛି ତାହା ଜୁଲାଇ ୨୪ରେ ହିଁ ଜଣାପଡ଼ିବ।

Comment