ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

‘‘ପାଟକୁରା ନିର୍ବାଚନ ପାଟକୁରା ପାଇଁ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ୧୯ ବର୍ଷ ହେଲା ପାଟକୁରା ଯାହା ହୋଇଛି ସେଥିରେ ହେବ ପରିବର୍ତ୍ତନ। ପାଟକୁରାବାସୀ ମନସ୍ଥିର କରି ସାରିଛନ୍ତି ଏଥର ସେ କାହାକୁ ତାଙ୍କ ପ୍ରତିନିଧି କରିବେ। ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ନିଶାରେ ଅଛନ୍ତି ସେଥିଲାଗି ସେ କିଛି ଦେଖିପାରୁ ନାହନ୍ତି’’, ଏକଥା ଓଡ଼ିଶାଲାଇଭ୍‌କୁ କହିଛନ୍ତି ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଦୀର୍ଘ ୧୯ ବର୍ଷ ହେଲା ନବୀନ ଓ ବିଜୟଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଏଥିରେ ନୂଆ କଥା କିଛି ନାହିଁ। ନବୀନ ଏହି ଆସନ ପାଇଁ ବହୁତ ଚେଷ୍ଟା କରିଛନ୍ତି। ଦିଲ୍ଲୀ ଯାଇ ନିର୍ବାଚନ ଘୁଞ୍ଚାଇଛନ୍ତି। ଅସୁସ୍ଥ ସତ୍ତ୍ୱେ ସେ ପାଟକୁରା ଆସି ପ୍ରଚାର କରିଛନ୍ତି। ହେଲେ ପାଟକୁରାବାସୀଙ୍କ ପୂରା ସମର୍ଥନ ମୋ ସହିତ ରହିଛି। ମୋ ସହିତ ସେମାନେ ଛିଡ଼ା ହୋଇଛନ୍ତି।’’

ପାଟକୁରା ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ଶନିବାର ସକାଳ ୭ଟାରୁ ଭୋଟ ଗ୍ରହଣ ଚାଲିଛି। ଏହି ଅବସରରେ ଓଡ଼ିଶାଲାଇଭ ଟିମ୍ ପାଟକୁରାରେ ପହଞ୍ଚି ପ୍ରାର୍ଥୀ ଓ ଭୋଟର ଉଭୟଙ୍କ ଉତ୍ସାହ ଜାଣିବାକୁ ଚେଷ୍ଟା କରିଥିଲା। ଏହି କ୍ରମରେ ଆମ ଟିମ୍ ବିଜୟ ମହାପାତ୍ରଙ୍କୁ ଭେଟି ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରିଥିଲା।

ଓଡ଼ିଶାଲାଇଭକୁ ଦେଇଥିବା ଏହି ସାକ୍ଷାତକାରେ ବିଜୟ ଆହୁରି କହିଛନ୍ତି, ‘‘ପାଟକୁରାର ବିକାଶ ଯେମିତି ଆରମ୍ଭ ହୋଇଥିଲା। ଆଗାମୀ ଦିନରେ ବିକାଶରଥକୁ ଆଗକୁ ନେବାକୁ ହେବ’’।

ପାଟକୁରା ଆସନ ଲାଗି ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ବିଜେପିର ବିଜୟ ମହାପାତ୍ର, ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ, କଂଗ୍ରେସର ଜୟନ୍ତ ମହାନ୍ତି।

ପାଟକୁରା ଆସନ ହାତେଇବା ଲାଗି ବିଜେପି ଓ ବିଜେଡି ଜୋରଦାର ପ୍ରଚାର କରିଛନ୍ତି। ଖୋଦ ବିଜେଡି ସୁପ୍ରିମୋ ସାବିତ୍ରୀଙ୍କ ପ୍ରଚାର କରିଥିଲା ବେଳେ ବଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜୟଙ୍କ ପାଇଁ ପ୍ରଚାର କରିଥିଲେ।

ପାଟକୁରାବାସୀ କାହାକୁ ତାଙ୍କ ପ୍ରତିନିଧି ବାଛିଛନ୍ତି ତାହା ଜୁଲାଇ ୨୪ରେ ଜଣାପଡ଼ିବ ।

Comment