ଓଡ଼ିଶାଲାଇଭ ବ୍ୟୁରୋ

କାରଗିଲର କାହାଣୀ ସାହାସ ଓ ବଳିଦାନର କାହାଣୀ। ଏହି କାହାଣୀ ଆମକୁ ମନେ ପକାଇଥାଏ କେମିତି ଆମ ବୀର ଯବାନମାନେ ତାଙ୍କ ଜୀବନକୁ ବାଜି ଲଗାଇ ଦେଶର ରକ୍ଷା କରିଥିଲେ।

ଯେତେବେଳେ କାରଗିଲରେ ସହିଦ ହୋଇଥିବା ବୀର ଯବାନଙ୍କ କଥା ଆସେ ସେତେବେଳେ ମନେ ପଡ଼ନ୍ତି କାରଗିଲର ହିରୋ କ୍ୟାପଟେନ ବିଜୟନ୍ତ ଥାପର। ଯାହାଙ୍କ ସ୍ମୃତି କେବଳ ତାଙ୍କ ପରିବାରକୁ ନୁହେଁ ପୂରା ଦେଶକୁ ଗର୍ବ ଅନୁଭବ କରାଇଥାଏ।

୧୯୯୯ ମସିହା ମେ ମାସ ଆରମ୍ଭ ହେଉଥାଏ। ସେହି ସମୟରେ କାରଗିଲକୁ ଅନୁପ୍ରବେଶକାରୀ ପଶି ଆସିଥିଲେ। ଏକଥା ଭାରତୀୟ ସେନା ଜାଣି ପାରିଥିଲେ। ଅନୁପ୍ରବେଶକାରୀଙ୍କୁ ତଡ଼ିବା ଲାଗି ପଡ଼ିଥିଲେ ସେନା। ତା‘ ପରେ ଆରମ୍ଭ ହୋଇଯାଇଥିଲା ଘମାସନ ଯୁଦ୍ଧ। ଦେଶର ହଜାର ହଜାର ପରିବାରର ପୁଅ ଝିଅ ଦେଶ ପାଇଁ ଲଢ଼ୁଥିଲେ। ସେମାନଙ୍କ ମଧ୍ୟରେ ଜଣେ ଥିଲେ କ୍ୟାପଟେନ ବିଜୟନ୍ତ ଥାପର। ଯିଏ ମାତ୍ର ୨୨ ବର୍ଷରେ ଦେଶ ପାଇଁ ଜୀବନ ଦେଇଥିଲେ। ମୃତ୍ୟୁ ପୂର୍ବରୁ ସେ ତାଙ୍କ ପରିବାରକୁ ଏକ ଚିଠି ଲେଖିଥିଲେ। ଯାହା ଆଜିବି ଆଖିରେ ଲୁହ ଆଣିଥାଏ।

କ୍ୟାପଟେନ ଥାପର ଚିଠିରେ ଲେଖିଥିଲେ, ‘‘ପ୍ରିୟ ବାପା, ମା’ ଭାଇ ଆଉ ଜେଜେ ମା‘। ଯେତେବେଳକୁ ଆପଣଙ୍କୁ ଏ ଚିଠି ମିଳିବ ହୁଏତ ମୁଁ ଦୁନିଆଁରେ ନଥିବି। ହେଲେ ମତେ ନିଜ ମୃତ୍ୟୁ ପାଇଁ ଟିକେ ବି ଅବଶୋଷ ନାହିଁ। ଯଦି ମୁଁ ପୁଣିଥରେ ଜନ୍ମ ନିଏ ତାହେଲେ ସେନାରେ ଯୋଗ ଦେବି ଓ ଦେଶ ପାଇଁ ଲଢ଼ିବି। ମୁଁ ଚାହୁଁଛି ଦେଶର ପ୍ରତିଟି ଯୁବକ ଦେଶ ପାଇଁ ସେନାର ବଳିଦାନ ସଂପର୍କରେ ଜାଣନ୍ତୁ।’’

ଏହା ସହିତ ସେ ରଖୁସନା ନାମକ ଏକ  ଝିଅ ସଂପର୍କରେ ବି ଚିଠିରେ ଲେଖିଥିଲେ, ଯିଏ କୁପ୍ଓ୍ୱଡାସ୍ଥିତ ସୈନିକ ସ୍କୁଲରେ ପଢ଼ୁଥିଲେ। ତାଙ୍କୁ କ୍ୟାପଟେନ ଥାପର ନିଜ ଝିଅ ବୋଲି ମାନୁଥିଲେ। କ୍ୟାପଟେନ ତାଙ୍କୁ ଚକଲେଟ ଆଉ ୫୦ ଟଙ୍କା ଦେଉଥିଲେ। ତାଙ୍କ ମୃତ୍ୟପରେ ତାଙ୍କ ପରିବାର ଲୋକ ରୁଖସନା ସହ ସଂପର୍କରେ ରହିବାକୁ ଚିଠିରେ କହିଥିଲେ।

କ୍ୟାପଟେନ ବିଜୟନ୍ତଙ୍କ ଜନ୍ମ ୧୯୭୬ ଡିସେମ୍ବର ୨୬ରେ ପଞ୍ଜାବରେ ହୋଇଥିଲା। ତାଙ୍କ ବାପା ସେନାରେ ଜଣେ କର୍ନଲ ଥିଲେ। ସେନା ପରିବାରରେ ଜନ୍ମ ହୋଇଥିବାରୁ ପିଲାବେଳୁ ତାଙ୍କର ସେନାରେ ଭର୍ତ୍ତି ପାଇଁ ଇଚ୍ଛା ଥିଲା। ତା’ ପରେ ସ୍ୱପ୍ନ ପୂରଣ କରିବା ପାଇଁ ଲାଗି ପଡ଼ିଥିଲେ। ୧୯୯୮ ମସିହା ଡିସେମ୍ବର ୧୨ରେ ସେ ରାଜପୁତାନା ରାଇଫଲ୍ସରେ ଜଏନ କରିଥିଲେ।

Comment