ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ବହୁ ଦିନ ବିତିଯାଇଥିଲେ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ମିଳି ପାରିନାହିଁ। ଏହି ମାମଲାର ତଦନ୍ତ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧ ମାସ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଏହି ସମ୍ବେଦନଶୀଳ ମାମଲାର ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍ ଟିମ୍ (ଏସ୍‌ଆଇଟି) ତଦନ୍ତ ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି ହାଇକୋର୍ଟ। କେନ୍ଦ୍ର ଓ ରାଜ୍ୟସ୍ତରୀୟ ଏଜେନ୍ସି ଅଧିକାରୀଙ୍କୁ ନେଇ ଏସ୍‌ଆଇଟି ଗଠନ କରିବାକୁ ପସ୍ତାବ ଦିଆଯାଇଛି।

ସେପ୍ଟେମ୍ବର ୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବିଜେପି ନେତା ଖାରବେଳ ସ୍ୱାଇଁ ଏହି ମାମଲାର  ନିରପେକ୍ଷ ତଦନ୍ତ କରିବା ପାଇଁ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ବିଚାର କରି ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି।

୨୦୧୭ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଜଣେ ନାବାଳିକା ସୋରିଷପଦର ଜଙ୍ଗଲ ଦେଇ ଆସୁଥିବା ବେଳେ ଗଣବଳାତ୍କାର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।

ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କୁନ୍ଦୁଲି ମେଡିକାଲ ଓ ପରେ କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଆନ୍ଦୋଳନକୁ ଓହ୍ଲାଇଥିଲେ। ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ଏବଂ ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ। ହେଲେ ଜାନୁଆରୀ ମାସରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ।

Comment