ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ଏକ ଖଣ୍ଡପୀଠ ୧୪ ଜଣ ବ୍ୟକ୍ତିଙ୍କୁ କାହିଁକି ମୁକ୍ତ କରାଯିବ ନାହିଁ ସେ ନେଇ ପ୍ରତିପକ୍ଷକୁ ନୋଟିସ ଜାରି କରିଛନ୍ତି। ଢେଙ୍କାନାଳ ଜିଲ୍ଲାର ଏକ ଗ୍ରାମରେ ୧୪ ଜଣ ବର୍ତ୍ତନ ପ୍ରଥାର ଶିକାର ହୋଇଛନ୍ତି ବୋଲି ଅଭିଯୋଗକାରୀ କହିଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ଏସ୍‌କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପଞ୍ଚାୟତିରାଜ ସଚିବ, ଢେଙ୍କାନାଳ ଜିଲ୍ଲାପାଳ ଓ କାମାକ୍ଷାନଗର ଏଡିଏମ୍‌ଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜନସ୍ୱାର୍ଥ ମାମଲାରେ ଆବେଦନକାରୀ ତୁରନ୍ତ ୧୪ ଜଣ ଗୋତି ଶ୍ରମିକଙ୍କୁ ଉଦ୍ଧାର କରିବା ସହ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ନିବେଦନ କରିଛନ୍ତି।

ଆଡଭୋକେଟ କ୍ଷୀରୋଦ ରାଉତ ତାଙ୍କ ଆବେଦନରେ ପ୍ରତି ଜିଲ୍ଲାରେ ଗୋତି ଶ୍ରମିକ ଥଇଥାନ ପାଣ୍ଠି ସୃଷ୍ଟି କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। ଗୋତି ବିରୋଧୀ ଆନ୍ଦୋଳନର ଅଧ୍ୟକ୍ଷ ବାଘାମ୍ବର ପଟ୍ଟନାୟକଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାର ୨୦୧୧ ଫେବ୍ରୁଆରି ୧୭ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରି ଉଚ୍ଚ ଶ୍ରେଣୀର ଲୋକେ ଧୋବା ଓ ବାରିକ ଆଦି କୌଳିକ ବୃତ୍ତିର ଲୋକଙ୍କୁ ରଖିବା ପରମ୍ପରାକୁ ଉଚ୍ଛେଦ କରିଥିଲେ। ବାରଣ ସତ୍ତ୍ୱେ ଓଡ଼ିଶାରେ ଏବେ ବି ଅନେକ ସ୍ଥାନରେ ବର୍ତ୍ତନ ପ୍ରଥା ରହିଛି। ଏହି ପ୍ରଥା ଅନୁସାରେ ଧୋବା ଭଣ୍ଡାରୀଙ୍କୁ ବର୍ଷ ତମାମ କାମ କରିବା ପାଇଁ ମାତ୍ର ୧୫ କେଜି ଧାନ ଦିଆଯାଇଥାଏ।

ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ଗଡ଼ଗାଁପୁରରେ ଏହି ୧୪ ଜଣ ବର୍ତ୍ତନ ପ୍ରଥା ଅନୁସାରେ ଗୋତି ଖଟୁଥିବା ଜଣାପଡ଼ିଛି।

Comment