ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ର ବାଘ ଗଣନା ରିପୋର୍ଟକୁ ଭୁଲ୍‌ ଦର୍ଶାଇଲେ ରାଜ୍ୟ ସରକାର। ରାଜ୍ୟରେ ୨୮ଟି ବାଘ ଥିବା କେନ୍ଦ୍ର ବାଘ ଗଣନା ରିପୋର୍ଟରେ ଦର୍ଶା ଯାଇଥିଲା। ହେଲେ ଏହା ସଠିକ୍‌ ତଥ୍ୟ ନୁହେଁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଅଜୟ କୁମାର ମହାପାତ୍ର।

ଏନେଇ ଆସନ୍ତା ବର୍ଷ ରାଜ୍ୟ ସରକାର ପୁଣି ବାଘ ଗଣନା କରିବେ। କେନ୍ଦ୍ରୀୟ ରିପୋର୍ଟ ଆସିବା ପରେ ଗୁରୁବାର ମୁହଁ ଖୋଲିଛନ୍ତି ମୁଖ୍ୟ ବନ ସଂରକ୍ଷକ। ସେ କହିଛନ୍ତି, “ବାଘ ରହୁଥିବା ରାଜ୍ୟର ନୂଆ ବନଖଣ୍ଡକୁ ସାମିଲ କରାଯାଇନାହିଁ। କେବଳ କ୍ୟାମେରାରେ ଆସିଥିବା ରିପୋର୍ଟ ସଠିକ ନୁହେଁ।”

ରାଜ୍ୟରେ ବାଘଙ୍କ ସଂଖ୍ୟାକୁ ନେଇ ୨୦୧୪ ପରି ଏଥର ମଧ୍ୟ ବିବାଦ ମୁଣ୍ଡ ଟେକିଛି। ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ ୩ବର୍ଷ ତଳେ ସୁନ୍ଦରଗଡ଼ ହେମଗିରି ଜଙ୍ଗଲରେ ଏକ ମହାବଳ ବାଘ ଠାବ କରାଯାଇଥିଲା। ସେହିପରି ଗର୍ଜନ ପାହାଡ଼ରେ ଏକ କଳାବାଘ ତା’ ଛୁଆ ସହ ଦେଖାଯାଇଥିଲା।

ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି କ୍ୟାମେରା ଲଗାଇବା ଅସମ୍ଭବ। ମାତ୍ର କେନ୍ଦ୍ରୀୟ ସଂସ୍ଥା କେବଳ କ୍ୟାମେରା ମାଧ୍ୟମରେ ଗଣନା କରୁଛନ୍ତି ବୋଲି ଅଧିକାରୀ ମତ ପ୍ରକାଶ କରିଛନ୍ତି।

ଜୁଲାଇ ୨୯ରେ ବାଘ ଦିବସ ଅବସରରେ କେନ୍ଦ୍ରୀୟ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଥିଲା। ଦେଶରେ ୨ହଜାର ୯୬୭ ବାଘ ରହିଥିବା ରିପୋର୍ଟରେ ଜଣାପଡ଼ିଥିଲା। ସେହିପରି ଓଡ଼ିଶାରେ ୨୦୧୪ ଅପେକ୍ଷା ବାଘ ସଂଖ୍ୟା କମି ୨୮ ହୋଇଛି।

Comment