ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ହାଇୱେରେ ଲିଫ୍ଟ ଦେବା ଆଳରେ ଯାତ୍ରୀଙ୍କୁ ଲୁଟୁଥିବା ଏକ ଗ୍ୟାଙ୍ଗକୁ କଟକ ମଧୁପାଟଣା ଥାନା ପୋଲିସ ଗିରଫ କରିଛି। ଗ୍ୟାଙ୍ଗର ୪ ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିଛି।

ଅଭିଯୁକ୍ତମାନେ ହେଲେ ଶଙ୍କରପୁର ବାରିକ ସାହିରେ ରହୁଥିବା ମାହାଙ୍ଗା ରଘୁନାଥପୁରର ରାହୁଲ ଓରଫ ଶ୍ରୀକାନ୍ତ ସାମଲ(୩୪), ସାଲେପୁର କେନ୍ଦୁପାଟଣାର ରଞ୍ଜନ ମଲ୍ଲିକ(୩୦), ସାଲେପୁର କାଜିହାଟର ସେକ୍ ଅନୱର(୨୦) ଓ ସାଲେପୁର ମିର୍ଜାପୁରର ହୃଶିକେଷ ଓରଫ ବାପୁନି ଏବଂ ଅନିଲ କୁମାର ରାଉତ(୨୪)। ଅଭିଯୁକ୍ତଙ୍କଠାରୁ ଗୋଟିଏ ମାରୁତି ସ୍ୱିଫ୍ଟ କାର, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ପ୍ଲାଷ୍ଟିକ ଖେଳନା ବନ୍ଧୁକ, ଛୁରି, ସୁତୁଲି, ୪୨ଟା ଏଟିଏମ୍ କାର୍ଡ, ୨ଟା ପେନ୍ ଡ୍ରାଇଭ, ୨ଟା ମେମୋରି କାର୍ଡ, ଗୋଟିଏ ପାୱାର ବ୍ୟାଙ୍କ୍ ଓ ନଗଦ ୧୦ ହଜାର ଟଙ୍କା ଜବତ ହୋଇଛି।

ଗତ ୧୯ ତାରିଖ ସନ୍ଧ୍ୟା ସମୟରେ ଲିଙ୍କ୍ ରୋଡ୍ ପାଖରେ ଭଦ୍ରକ ବାସୁଦେବପୁରର ଶରତ ଚନ୍ଦ୍ର ପଣ୍ଡା ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଏକ କାର୍‌ରେ ଗିରଫ ହୋଇଥିବା ୪ ଜଣ ଆସି ଶରତଙ୍କ ପାଖରେ ପହଞ୍ଚିଲେ। ଏସ୍‌ସିବି ମେଡିକାଲ ଆସିଛୁ ଅନୁଗୁଳକୁ ଫେରୁଛୁ ବୋଲି ଅଭିଯୁକ୍ତମାନେ ଶରତଙ୍କୁ କହିଥିଲେ। ପରେ ଶରତ ଘରକୁ ଯିବାକୁ ଲିଫ୍ଟ ମାଗିବାରୁ ସେମାନେ ରାଜି ହୋଇଯାଇ ତାଙ୍କୁ କାର୍‌ରେ ବସାଇ ହଠାତ୍ ଶରତଙ୍କୁ ମାଡ଼ି ବସିଥିଲେ।

ହାତ ଗୋଡ଼ ବାନ୍ଧି ଦେବା ସହିତ ମୁହଁକୁ ଏକ କପଡ଼ାରେ ଘୋଡ଼ାଇ ଦେଇଥିଲେ। ମୁଣ୍ଡରେ ବନ୍ଧୁକ ଓ ବେକରେ ଛୁରି ଲଗାଇ ତାଙ୍କଠାରୁ ୧୨ ହଜାର ୫ଶହ ଟଙ୍କା, ଗୋଟିଏ ଲାପ୍‌ଟପ୍‌, ପେନଡ୍ରାଇଭ୍, ପାୱାର ବ୍ୟାଙ୍କ୍ ଓ ୨ଟି ଏଟିଏମ୍ କାର୍ଡ ଲୁଟି ନେଇଥିଲେ। ଜବରଦସ୍ତ ଏଟିଏମ୍ ପିନ୍ ନେଇ ଅଭିଯୁକ୍ତମାନେ ଜଗତପୁର ଓ ପାଗାରେ ଏଟିଏମରୁ ମୋଟ୍ ୭ ହଜାର ୨ଶହ ଟଙ୍କା ଉଠାଇ ନେଇଥିଲେ।

ଅଭିଯୁକ୍ତମାନେ ଲୁଟ୍ପାଟ୍ କରିବା ପରେ ଚୌଦ୍ୱାରର କଜଳକଣା ପାଖରେ ଶରତଙ୍କୁ କାର୍ରୁ ଓହ୍ଲାଇ ଦେଇ ପଳାଇଥିଲେ। ଘଟଣାର ଦୁଇ ଦିନ ପରେ ଶରତ ଏନେଇ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। ପୋଲିସ ତୁରନ୍ତ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକାଧିକ ସ୍ଥାନର ସିସିଟିଭି ଫୁଟେଜ୍ ଓ ମୋବାଇଲ୍ ସର୍ଭିଲାନ୍ସ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Comment