ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଛତୁଆ ଯୋଗାଣ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। ଶନିବାର ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ପକ୍ଷରୁ ଲଞ୍ଚ ହୋଇଛି ‘ମୋ ଛତୁଆ’ ୱେବସାଇଟ୍‌ ଏବଂ ମୋବାଇଲ୍‌ ଆପ୍‌। ମିସନ ଶକ୍ତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଏହାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି , “ଅପପୁଷ୍ଟି ରୋକିବା ଏବଂ ମହିଳା, ଗର୍ଭବତୀ ତଥା ଶିଶୁମାନଙ୍କ ଉପଯୁକ୍ତ ପୋଷଣ ପାଇଁ ରାଜ୍ୟ ସରକାର ସର୍ବଦା କାର୍ଯ୍ୟ କରିଆସିଛନ୍ତି। ମୋ ଛତୁଆ’ ୱେବସାଇଟ୍‌ ଜରିଆରେ ଖାଦ୍ୟ ଯୋଗାଣରେ ଅଧିକ ସ୍ୱଚ୍ଛତା ଓ ପରିଚାଳନା ବ୍ୟବସ୍ଥାକୁ ନିୟମିତ ତଦାରଖ କରିବାରେ ବେଶ୍‌ ସହାୟକ ହୋଇପାରିବ।”

ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ କହିଛନ୍ତି, “ଏହି ୱେବସାଇଟ୍‌ ଜରିଆରେ ଛତୁଆ ଯୋଗାଣ, ମାନ ନିର୍ଦ୍ଧାରଣ, ସାମଗ୍ରୀ କ୍ରୟ, ପ୍ରସ୍ତୁତି ଏବଂ ବଣ୍ଟନ ବ୍ୟବସ୍ଥାକୁ ଆହୁରି ସୁଚାରୁ ଭାବେ କାର୍ଯ୍ୟକାରୀ କରାଯାଇପାରିବ। ସେହିପରି ମୋବାଇଲ୍‌ ଆପ୍‌ ଦ୍ୱାରା ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନ୍‌ଲାଇନ୍‌ରେ ତଦାରଖ କରିବା ସହଜ ହୋଇପାରିବ।”

ଏହି କାର୍ଯ୍ୟକ୍ରବରେ ମହିଳା ଓ ଶିଶୁବିକାଶ ବିଭାଗର କମିସନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ଅଜିମ୍‌ ପ୍ରେମ୍‌ଜି ଫାଉଣ୍ଡେସନର ଉପସଭାପତି ଦେବଜିତ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comment