ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୋଲିସର ନାକ ତଳେ ଚାଲିଥିଲା ବିନା ଲାଇସେନ୍ସରେ ବାଣ ତିଆରି
  • ପ୍ରାୟ ୭ ବର୍ଷ ତଳେ ଘଟିଥିଲା ଏମିତି ବିସ୍ଫୋରଣ
  • ଚିକିତ୍ସିତ ହେବା ପରେ ବର୍ତ୍ତି ଯାଇଥିଲେ ଅଖିଳ
  • ସୁସ୍ଥ ହେବା ପରେ ପୁଣି ମାତିଥିଲେ ବାଣ ତିଆରିରେ
  • ଏଥର ବର୍ତ୍ତି ପାରିଲେନି ଅଖିଳ
  • ପ୍ରଚଣ୍ଡ ବିସ୍ଫୋରଣରେ ଆଜବେଷ୍ଟସ୍‌ ଘର ପାଉଁଶ

ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାର ଗୋଡ଼ିପଡ଼ା ଫାଣ୍ଡି ଅନ୍ତର୍ଗତ ଜଗନ୍ନାଥପ୍ରସାଦ ସାହିରେ ସୋମବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ବାଣ ତିଆରି ବେଳେ ବିସ୍ଫୋରଣ ହେବାରୁ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ମୃତଦେହକୁ ପୋଲିସ ଜବତି କରିଛି। ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଶରଣକୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖୁଦୁରୁକାଣୀ ଓଷାକୁ ଦୃଷ୍ଟିରେ ରଖି ଗୋଡ଼ିପଡ଼ା ଥାନାର ଜଗନ୍ନାଥପ୍ରସାଦ ସାହିରେ ଅଖିଳ ସେଠୀ (୪୫) ବାଣ ତିଆରି କରୁଥିଲେ। ଅଖିଳ ବାଣ ଭିଡୁଥିବା ବେଳେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ସେଠୀ ବାରଣ୍ଡାରେ ବସିଥିଲେ। ବାଣ ଭିଡୁଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ଆଜବେଷ୍ଟସ୍‌ ଘରଟି ପୋଡ଼ି ପାଉଁଶ ହୋଇଯାଇଥିଲା।

ବିସ୍ଫୋରଣ ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। କେଉଁଠୁ ଏହି ଶବ୍ଦ ଆସିଲା ବୋଲି ଜାଣିବା ପାଇଁ ଗାଁ ଲୋକେ ଦୌଡ଼ିଥିଲେ। ଦେଖିଲା ବେଳକୁ ଅଖିଳଙ୍କ ଘରେ ବିସ୍ଫୋରଣ ଘଟିଛି। ଗାଁ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ନୟାଗଡ଼, ରଣପୁର ଏବଂ ଶରଣକୁଳରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।

ଘର ଭିତରେ ଅଖିଳ ଥିବାରୁ ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡ଼ି ଯାଇଛି। ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ସ୍ତ୍ରୀ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଖବରପାଇ ଶରଣକୁଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି।

୭ ବର୍ଷ ତଳେ ବାଣ ଭିଡୁଥିବା ବେଳେ ଏମିତି ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ଅଖିଳ ଗୁରୁତର ଆହତ ହୋଇଥିଲେ। ମାସ ମାସ ଧରି ସେ ମିଡିକାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ୭ ବର୍ଷ ପରେ ପୁଣି ସେହିଭଳି ଏକ ବିସ୍ଫୋରଣ ଘଟିଛି। ହେଲେ ଏଥର ଅଖିଳ ବର୍ତ୍ତି ପାରିନାହାନ୍ତି।

ସବୁଠୁ ବଡ଼ କଥା ହେଉଛି ଗୋଡ଼ିପଡ଼ା ଫାଣ୍ଡିରୁ ମାତ୍ର ୩୦୦ ମିଟର ଦୂରରେ ଅଖିଳ ବିନା ଲାଇସେନ୍ସରେ ବାଣ ତିଆରି କରୁଥିଲେ। ଗତ ୭ ବର୍ଷ ତଳେ ଏମିତି ଏକ ବିସ୍ଫୋରଣ ଘଟିଥିଲା। ପୋଲିସର ନାକ ତଳେ ବିନା ଲାଇସେନ୍ସରେ କେମିତି ବାଣ ତିଆରି ଚାଲିଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିନା ଲାଇସେନ୍ସରେ ବାଣ ତିଆରି କରିବାକୁ ପୋଲିସ ପ୍ରୋତ୍ସାହନ ଦେଉଥିଲା କି ବୋଲି ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି।

Comment