ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ଭାରତୀୟ କ୍ରିକେଟର ତଥା ପୂର୍ବତନ ଚୟନକର୍ତ୍ତା ବିକ୍ରମ ରାଠୋର ହେବେ ଭାରତୀୟ କ୍ରିକେଟ୍ ଦଳର ବ୍ୟାଟିଂ କୋଚ୍। ବର୍ତ୍ତମାନର ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗରଙ୍କ ସ୍ଥାନ ନେବେ ବିକ୍ରମ ରାଠୋର।

ଭାରତୀୟ ଦଳର ବ୍ୟାଟିଂ, ବୋଲିଂ ଓ ଫିଲଡିଂ କୋଚ୍ ପାଇଁ କମିଟି ତିନୋଟି ଲେଖାଏଁ ନାମ ବିସିସିଆଇ ପ୍ରଶାସକ କମିଟିକୁ ସୁପାରିଶ୍ କରିଛି ଚୟନ କମିଟି।  ଏହି ସୁପାରିଶରେ ବ୍ୟାଟିଂ କୋଚ ପାଇଁ ବିକ୍ରମ ରାଠୋରଙ୍କ ନାଁ ପ୍ରଥମରେ ରହିଛି। ଏଥିରୁ ଏକପ୍ରକାରର ସ୍ଥିର ହୋଇଯାଇଛି ଯେ, ବିକ୍ରମ ରାଠୋର ହିଁ ଟିମ୍‌ ଇଣ୍ଡିଆର ବ୍ୟାଟିଂ କୋଚ୍‌ ହେବେ।

ସେହିପରି ବୋଲିଂ କୋଚ୍ ପାଇଁ ଭରତ ଅରୁଣ ଓ ଫିଲଡିଂ କୋଚ ପାଇଁ ଆର୍ ଶ୍ରୀଧରଙ୍କ ନାଁ ଏହି ତାଲିକାର ଆଗରେ ଅଛି। ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦଙ୍କ ନେତୃତ୍ୱରେ ଗଠିତ ଚୟନ କମିଟି ଭାରତୀୟ ଦଳର ଏହି ସପୋର୍ଟ ଷ୍ଟାଫମାନଙ୍କର ଚୟନ କରିଛନ୍ତି।

ବିଶ୍ୱକପ୍ ସେମିଫାଇନାଲରେ ଦଳର ପରାଜୟ ପରେ କୋଚିଂ ଷ୍ଟାଫମାନଙ୍କର ପରିବର୍ତ୍ତନ ପାଇଁ ଯୋଜନା କରାଯାଇଥିଲା। ତେବେ ଦଳର କେବଳ ବ୍ୟାଟିଂ କୋଚ୍ ହିଁ ପରିବର୍ତ୍ତନ ହୋଇଛନ୍ତି। ବୋଲିଂ କୋଚ୍ ଭରତ ଅରୁଣ ଏବଂ ଫିଲଡିଂ କୋଚ ଆର୍ ଶ୍ରୀଧରଅନ ନିଜ ନିଜର ପଦ ବଜାୟ ରଖିଛନ୍ତି।

ସେହିଭଳି ନିତିନ ପଟେଲ ଭାରତୀୟ ଦଳର ଫିଜିଓ ନିଯୁକ୍ତ କରାଯାଇଥିବାବେଳେ, ଗିରିଶ ଡୋଙ୍ଗରେଙ୍କୁ ଭାରତୀୟ ଦଳର ମ୍ୟାନେଜର ପଦ ମିଳିଛି।

ବିକ୍ରମ ରାଠୋରଙ୍କ କ୍ୟାରିଅର

୫୦ ବର୍ଷୀୟ ବିକ୍ରମ ରାଠୋର ୧୯୯୬ ମସିହାରେ ଭାରତ ତରଫରୁ ଛଅଟି ଟେଷ୍ଟ ଓ ସାତଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି।  ଟେଷ୍ଟରେ ସେ  ୧୩.୦୯ ଆଭରେଜରେ ମୋଟ ୧୩୧ ରନ୍ କରିଛନ୍ତି। ସେହିଭଳି ଦିନିକିଆରେ ସେ ୨୭.୫୭ ଆଭରେଜରେ ମୋଟ ୧୯୩ ରନ୍ କରିଛନ୍ତି।

ପ୍ରଥମ ଶ୍ରେଣୀ କ୍ରିକେଟରେ ପଞ୍ଜାବ ତରଫରୁ ୧୪୬ଟି ମ୍ୟାଚରେ ସେ ୧୧୪୭୩ ରନ୍ କରିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରେ ସେ ୪୯.୬୬ ଆଭରେଜରେ ସେ ରନ କରିଛନ୍ତି।  ଏହା ମଧ୍ୟରେ ରହିଛି ୩୩ଟି ଶତକ। ଏହାପୂର୍ବରୁ ୨୦୧୬ରେ ବିକ୍ରମ ରାଠୋର ସନ୍ଦୀପ ପାଟିଲଙ୍କ ନେତୃତ୍ୱରେ ଚୟନ କମିଟିର ସଦସ୍ୟ ଥିଲେ।

Comment