ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ପିଆଜ ଦର ଏବେ ହୁ ହୁ ହୋଇ ବଢିଚାଲିଛି। ଦୁଇ ସପ୍ତାହ ଭିତରେ ମୂଲ୍ୟ ପ୍ରାୟ ୧୫ଟଙ୍କା ବଢିଗଲାଣି। ଆଗକୁ ସାସେ ପର୍ଯ୍ୟନ୍ତ ଦର କମିବାର ସମ୍ଭାବନା କମ୍। ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ସାରା ଭାରତରେ ଅଭାବ ଦେଖାଦେଇଛି। ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିଛି।

ଯେଉଁଠି ଗତ ସପ୍ତାହରେ ପିଆଜ କିଲୋ ପିଛା ୨୦ଟଙ୍କାରେ ବିକ୍ରି ହେଉଥିଲା ସେଠି ଏବେ ଲୋକେ ୩୫ଟଙ୍କା ଦେଇ କିଣୁଛନ୍ତି। ଏଣେ ହୋଲସେଲ୍ ବଜାରରେ ଷ୍ଟକ୍ ବି କମି କମି ଯାଉଛି।

ଓଡ଼ିଶାର ଅନୁଗୁଳ, ଟିଟିଲାଗଡ, କୋରାପୁଟ, ଭବାନିପାଟଣା ଆଦି ଅଞ୍ଚଳ ଛାଡିଦେଲେ ଅନ୍ୟ କେଉଁଠି ପିଆଜ ଉତ୍ପାଦନ ହୋଇନଥାଏ। ତେବେ ଏ ସବୁ ଅଞ୍ଚଳ ବି ଋତୁକାଳୀନ। ଏପ୍ରିଲରୁ ଜୁନ୍ ଯାଏଁ ଏହିସବୁ ଅଞ୍ଚଳରୁ ବଜାରକୁ ପିଆଜ ଆସିଥାଏ। କିନ୍ତୁ ଜୁନ୍ ପରେ ବଜାରରେ ଆଉ ବେଶୀ ପିଆଜର ଷ୍ଟକ୍ ରହିନଥାଏ। ପରେ ବର୍ଷ ତମାମ୍ ରାଜ୍ୟ ବାହାରୁ ହେଉଥିବା ଆମଦାନୀ ଉପରେ ନିର୍ଭର କରିବାକୁ ପଡେ।

ବିଶେଷକରି ନାସିକ୍, ତାମିଲନାଡୁ, ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ବଜାରକୁ ପିଆଜ ଆସିଥାଏ। ଏଥିରୁ ମାତ୍ରାଧିକ ଷ୍ଟକ୍ ମଗାଇଥାଏ କଟକ ଛତ୍ରବଜାର।

କିନ୍ତୁ ଚଳିତବର୍ଷ ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଫସଲହାନୀ ହୋଇଥିବାରୁ ତା’ର ପ୍ରଭାବ ସାରା ଭାରତରେ ପଡିଛି। ସେଥିରେ ଓଡ଼ିଶା ବି ବାଦ୍ ପଡ଼ିନି।

ମାସେ ପରେ ଅର୍ଥାତ୍ ସେପ୍ଟେମ୍ବର ମାସରେ ନୂଆ ପିଆଜ ବାହାରିଲେ ପରିସ୍ଥିତି ଆୟତକୁ ଆସିବ। ଏହା ପୂର୍ବରୁ ଯଦି ଆସନ୍ତା ୧୫ ଦିନ ଭିତରେ ଆନ୍ଧରେ ନୂଆ ପିଆଜ ଅମଳ ହୁଏ ତାହାଲେ କେତେକାଂଶରେ ଅଭାବ ଦୂରେଇଯିବ। ସାରା ରାଜ୍ୟକୁ ପ୍ରାୟ ୬୦ ଟ୍ରକ୍ ପିଆଜ ରାଜ୍ୟ ବାହାରୁ ଆସିଥାଏ। ଛତ୍ରବଜାରରେ ଦୈନିକ ୭ ଟ୍ରକ୍ ପିଆଜର ଆବଶ୍ୟକତା ରହିଥାଏ।

ସବୁଦିନ ଛତ୍ରବଜାରରେ ୧୨୦ଟନ୍ ପିଆଜ ବିକ୍ରି ହୁଏ। କାରଣ ଏଠାରୁ ପିଆଜ ରାଜ୍ୟର ବିଭିନ୍ନ ବଜାରକୁ ଯାଏ। ବିଶେଷକରି ଭୁବନେଶ୍ୱର, ସମ୍ୱଲପୁର, ବାରିପଦା ଭଳି ଅଞ୍ଚଳରେ ଅଧିକ ମାତ୍ରାରେ ପିଆଜ ଆବଶ୍ୟକ ଥାଏ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଯାହା ଛତ୍ରବଜାରକୁ ବି ପିଆଜ ନିଅଣ୍ଟ ହେଉଛି।

କେବଳ ନାସିକରୁ ପ୍ରତିଦିନ ମାତ୍ର ଦୁଇ ଗାଡି ଆସୁଛି, ଯାହା ଆବଶ୍ୟକତାଠାରୁ ଢେର କମ୍।

‘‘ଦେଶ ବାହାରକୁ ରପ୍ତାନୀ ହେଉଛି ନାସିକ୍‌ ପିଆଜ। ଘରୋଇ ରପ୍ତାନୀ ପାଇଁ ବିଶେଷ ଆଗ୍ରହ ଦେଖାଉନାହାନ୍ତି। ଏଭଳି ସ୍ଥିତିରେ ନୂଆ ପିଆଜ ବାହାରିବା ପାଇଁ ଆହୁରି ମାସେରୁ ଅଧିକ ସମୟ ଲାଗିବ। ତେଣୁ ସେ ପର୍ଯ୍ୟନ୍ତ ଓଡ଼ିଶାରେ ପିଆଜ ଦେଖାଦେବ’’, କହିଛନ୍ତି ଛତ୍ରବଜାର ବ୍ୟବସାୟୀ କମିଟିର ସମ୍ପାଦକ ଦେବେନ୍ଦ୍ର ସାହୁ।

ହୋଲସେଲ୍ ବଜାରରେ ପିଆଜ କିଲୋ ୨୮ଟଙ୍କା ବିକ୍ରି ହେଉଥିବା ବେଳେ ରିଟେଲ୍ ମାର୍କେଟରୁ ୩୫ ଟଙ୍କା ଛୁଇଁଲାଣି। ଦିନକୁ ଦିନ ମୂଲ୍ୟ ବଢୁଥିବାରୁ କଳାବଜାରୀ ରୋକିବା ଦିଗରେ ଯୋଗାଣ ବିଭାଗ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।

Comment