ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍କୁଲରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମୋବାଇଲ ଫୋନର ବ୍ୟବହାର କରିପାରିବେ ନାହିଁ। ପୁଣିଥରେ ତାଗିଦ କଲା ଗଣଶିକ୍ଷା ବିଭାଗ।

ବିଦ୍ୟାଳୟରେ ହଠାତ୍ ବାଜି ଉଠୁଛି ଶିକ୍ଷକ ମାନଙ୍କ ଫୋନ୍। ପାଠ ପଢା ସମୟରେ ହେଉ ଅବା ଅନ୍ୟ ସମୟରେ ମୋବାଇଲର ଶବ୍ଦ ପିଲାମାନଙ୍କ ପାଠପଢାରେ ବାଧା ସୃଷ୍ଟି କରୁଛି। ପୂର୍ବରୁ କେତେକ ବିଦ୍ୟାଳୟରେ ମୋବାଇଲର ବହୁଳ ବ୍ୟବହାର ନେଇ ଅଭିଯୋଗ ମଧ୍ୟ ହୋଇଥଲା।

ଏହାପରେ ୨୦୧୮ ଫେବୃଆରୀ ମାସରେ ଏହି ସମସ୍ୟାର ସମାଧାନ କରିବା ପାଇଁ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ବିଦ୍ୟାଳୟ ପରିସରରେ ମୋବାଇଲର ବ୍ୟବହାରକୁ ମନା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ତେବେ ଏବେ ଏହି ସମସ୍ୟା ପୁଣି ଥରେ ଅଧିକାଂଶ ସ୍କୁଲମାନଙ୍କରେ ଦେଖିବାକୁ ମିଳିଲାଣି। ତେଣୁ ଏଥିପାଇଁ ଚଳିତ ଶିକ୍ଷାବର୍ଷରୁ ଏହି ନିୟମକୁ କଡ଼ାକଡି ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଗତବର୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ସ୍କୁଲରେ ମୋବାଇଲ ବ୍ୟବହାର କରିବାକୁ ମନା କରାଯାଇଥିଲା। ଶନିବାର ଦିନ ୬ଟା ୩୦ ମିନିଟରୁ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଶିକ୍ଷକମାନେ ସ୍କୁଲ ପରିସରରେ ମୋବାଇଲ ବ୍ୟବହାର କରିପାରିବେନି। ସେହିଭଳି  ଅନ୍ୟ ଦିନମାନଙ୍କରେ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ମୋବାଇଲ ବ୍ୟବହାର ଉପରେ ରୋକ ଲଗାଇଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

ମୋବାଇଲ କାରଣରୁ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅଶ୍ଲୀଳ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହାସହ କେତେକ ବିଦ୍ୟାଳୟର ଛାତ୍ରଛାତ୍ରୀମଧ୍ୟ ନିଜେ ମୋବାଇଲ ନେଇ ସ୍କୁଲକୁ ଯିବା ଦେଖାଯାଇଥିଲା।  ଏହାଦ୍ୱାରା ସ୍କୁଲ ପରିସରରେ ଶୈକ୍ଷିକ ବାତବରଣ ନଷ୍ଟ ହେଉଥିବାର ଅନୁମାନ କରିଥିଲା ବିଭାଗ।

ଏହି ସମସ୍ୟା ସବୁର ସମାଧାନ ପାଇଁ ୨୦୧୮ରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖି ଜଣାଇଦିଆଯାଇଥିଲା। ବିଦ୍ୟାଳୟ ପରିସର ମଧ୍ୟରେ ଯଦି କୌଣସି ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ମୋବାଇଲ ବ୍ୟବହାର କରୁଥିବେ ତେବେ ପ୍ରଧାନ ଶିକ୍ଷକ ତାଙ୍କୁ ଏସମ୍ବନ୍ଧରେ ତାଗିଦ୍ କରିବେ। ଏହାପରେ ସେ ପୁଣି ଏହି ଭୁଲ କଲେ ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା।

Comment