ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖବରକାଗଜ ସଂଗ୍ରହ କରି ନିଜକୁ ପେପରମ୍ୟାନ ଭାବେ ପ୍ରତିଷ୍ଠିତ କରାଇପାରିଥିବା ଶଶାଙ୍କ ଶେଖର ଦାଶଙ୍କୁ ଅବୈତନିକ ଅର୍ନ୍ତଜାତୀୟ ଗାନ୍ଧି ପିସ୍ ଆମ୍ବାସଡ଼ର ନିଯୁକ୍ତି ମିଳିଛି। ନେପାଳର କାଠମାଣ୍ଡୁଠାରେ ଥିବା ଗାନ୍ଧୀ ପିସ୍ ଫାଉଣ୍ଡେସନ ପକ୍ଷରୁ ଶଶାଙ୍କ ଶେଖରଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି।

ଗାନ୍ଧୀଙ୍କ ପ୍ରଦର୍ଶିତ ଅଂହିସା ପରମଧର୍ମ, ବିଶ୍ୱ ଭାତୃତ୍ୱ, ଦକ୍ଷତା ବୃଦ୍ଧିର ପ୍ରଚାର ପ୍ରସାର କରାଇବା ଏହି ଗାନ୍ଧୀ ପିସ୍ ଫାଉଣ୍ଡେସନର ମୂଳ ଲକ୍ଷ୍ୟ। ଏବେ ‘ଗାନ୍ଧୀ ପିସ୍ ଆମ୍ବାସଡ଼ର’ ଭାବେ ନୁଯୁକ୍ତି ପାଇବା ପରେ ଶଶାଙ୍କ ଓଡ଼ିଶାରେ ଗାନ୍ଧୀଙ୍କ ଏହି ବାର୍ତ୍ତାକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବେ ବୋଲି କହିଛନ୍ତି।

ଶଶାଙ୍କ ଶେଖର ଦାଶ ହେଉଚନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକର ଅରଙ୍ଗାବାଦ ଗ୍ରାମର ମୂଳ ବାସିନ୍ଦା। ୧୯୩୪ ମସିହାରେ ତାଙ୍କ ଘର ସାମ୍ନା ଦେଇ ମହାତ୍ମା ଗାନ୍ଧୀ ପଦଯାତ୍ରା କରିଥିଲେ। ତାଙ୍କ ବଡ଼ ଜେଜେ ଅଧିକାରୀ ଧନେଶ୍ୱର ଦାଶ ଗାନ୍ଧୀଙ୍କ ସହିତ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।

ପିଲାଟି ଦିନରୁ ବାପା, ବଡ଼ବାପାଙ୍କଠାରୁ ସେ ଗାନ୍ଧୀଙ୍କ ସଂପର୍କରେ ଅନେକ କଥା ଶୁଣି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଚେଷ୍ଟା କରିଛନ୍ତି। ଏବେ ଗାନ୍ଧି ପିସ୍ ଆମ୍ବାସଡ଼ର ଭାବେ ଗାନ୍ଧିଙ୍କ ନୀତି ଆଦର୍ଶର ପ୍ରଚାର ପ୍ରସାର କରାଇବେ ବୋଲି ଶଶାଙ୍କ କହିଛନ୍ତି।

ଆସନ୍ତା ଅକ୍ଟୋବର ୭ରୁ ୯ ତାରିଖ ପର୍ଯ୍ୟନ୍ତ କାଠମାଣ୍ଡୁଠାରେ ପ୍ରଥମ ଗାନ୍ଧୀ ପିସ୍ ଆମ୍ବାସଡ଼ର ସମିଟ ୨୦୧୯ ହେବାକୁ ଯାଉଛି। ଏଥିରେ ଶଶାଙ୍କ ଓଡ଼ିଶାରୁ ସାମିଲ ହେବେ ବୋଲି ଜଣାଯାଇଛି।

ଶଶାଙ୍କ ଶେଖର ଦାଶ ପେପରମ୍ୟାନ ଭାବେ ବେଶ୍‌ ଜଣାଶୁଣା। ଦେଶ ତଥା ବିଦେଶର ଅନେକ ଖବରକାଗଜ ସଂଗ୍ରହ କରି ନିଜକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ଶଶାଙ୍କ। ବର୍ତ୍ତମାନ ସୁଦ୍ଧା ସେ ୬ ହଜାର ୫୦୦ରୁ ଅଧିକ ଖବରକାଗଜ ସଂଗ୍ରହ କରିଛନ୍ତି । ସେହିପରି ୧୦୪ଟି ଦେଶର ୯୬ଟି ଭାଷାର ଖବରକାଗଜ ତାଙ୍କ ସଂଗ୍ରହାଳୟରେ ସ୍ଥାନ ପାଇଛି।

ଓଡିଶାର ଅନେକ ଲୋକ ଖବରକାଗଜ ସଂଗ୍ରହ କରୁଛନ୍ତି। ହେଲେ ଶ୍ରୀ ଦାଶ ହେଉଛନ୍ତି ଏମିତି ଜଣେ ଯୁବକ ଯିଏ କି ସବୁବେଳେ ସ୍ୱତନ୍ତ୍ର ସଂଗ୍ରହକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ତାଙ୍କ ସଂଗ୍ରହାଳୟରେ ଏମିତି କିଛି ଖବରକାଗଜ ଅଛି ଯାହା ଆଖିରେ ନ ଦେଖିଲେ ବିଶ୍ୱାସ ହେବନି। ତାଙ୍କ ସଂଗ୍ରହାଳୟରେ ‘ଉତ୍କଳ’ ନାମ ଥାଇ ୫୦ରୁ ଊର୍ଦ୍ଧ୍ୱ ଖବରକାଗଜ ରହିଥିବା ବେଳେ ‘ଓଡିଶା’ ନାମ ଥାଇ ୪୦ରୁ ଊର୍ଦ୍ଧ୍ୱ, ‘କଳିଙ୍ଗ’ ନାମଥାଇ ୪୦ରୁ ଊର୍ଦ୍ଧ୍ୱ, ‘ଟାଇମ୍ସ’ ନାମ ଥାଇ ୭୦ରୁ ଊର୍ଦ୍ଧ୍ୱ, ସମାଚାର ନାମ ଥାଇ ୬୦ରୁ ଊର୍ଦ୍ଧ୍ୱ ଖବରକାଗଜ ରହିଛି।

ସେହିପରି ଥାଇ, ଚାଇନିଜ୍‍, ଜାପାନିଜ୍‍, ଏବଂ ଡଚ୍‍ ଭଳି ବିଦେଶୀ ଭାଷାର ଖବରକାଗଜ ରହିଥିବା ବେଳେ ଅଲଚିକି, କୁଡୁମାଲି, ହୋ, ମିଜୋ, ଗାରୋ ଆଦିବାସୀ ଭାଷାର ଖବରକାଗଜ ସାଇତା ହୋଇ ରହିଛି। ସ୍ୱତନ୍ତ୍ର ଖବରକାଗଜ ସଂଗ୍ରହ କରିବାରେ ମଧ୍ୟ ଶ୍ରୀ ଦାଶଙ୍କର ଏକ ସ୍ୱତନ୍ତ୍ରତା ରହିଛି।

ଉତ୍ତରପ୍ରଦେଶର ଚିତ୍ରକୂଟରୁ ବୁନ୍ଦେଲି ଭାଷାରେ ପ୍ରକାଶ ପାଉଥିବା ମହିଳାଙ୍କ ଖବରକାଗଜ ‘ଖବର ଲହରିଆ’, ହିନ୍ଦି ଏବଂ ଇଂରାଜୀ ଭାଷାରେ ଦିଲ୍ଲୀର ଶିଶୁ ଶ୍ରମିକମାନେ ପ୍ରକାଶ କରୁଥିବା ‘ବାଳକନାମା’, ଓଡିଶାର କରଞ୍ଜିଆରୁ ପ୍ରକାଶ ପାଉଥିବା ଶିଶୁ ଖବରକାଗଜ ‘ମୁହାଁମୁହିଁ’, କୋରାପୁଟର ପ୍ରକାଶ ପାଉଥିବା ‘ଅଙ୍କୁରୋଦ୍‍ଗମ୍‍’, ଝାଡଖଣ୍ଡ ଦୁମୁକାରୁ ପ୍ରକାଶ ପାଉଥିବା ହାତଲେଖା ଖବରକାଗଜ ‘ଦିନ୍‍ ଦଲିତ୍‍’, କର୍ଣ୍ଣାଟକ ମହୀଶୂରରୁ ପ୍ରକାଶିତ ପୃଥିବୀର ପ୍ରଥମ ସଂସ୍କୃତ ଦୈନିକ ‘ସୁଧର୍ମା’ ଏବଂ ‘ନ୍ୟୁୟର୍କ ଟାଇମ୍ସ’ ଭଳି ନାମୀଦାମୀ ଖବରକାଗଜ ସଂଗ୍ରହ କରି ଶ୍ରୀ ଦାଶ ସଂଗ୍ରହାଳୟ ଜଗତରେ ରେକର୍ଡ ସୃଷ୍ଟି କରିଛନ୍ତି।

Comment