ଓଡ଼ିଶାଲାଇଭ୍ ବ୍ୟୁରୋ 

ଟ୍ରେନରେ ହୋଇପାରୁଛି ରୋଗୀଙ୍କ ଚିକିତ୍ସା। ଟ୍ରେନ ଭିତରେ ମିଳିପାରୁଛି ସାଧାରଣ ଲୋକଙ୍କୁ ଉନ୍ନତ ମାନର ଚିକିତ୍ସା ସେବା। ଏଭଳି ଏକ ଭିନ୍ନ ପ୍ରୟାସ ନେଇ ଆରମ୍ଭ ହୋଇଛି ‘ଲାଇଫଲାଇନ୍ ଏକ୍ସପ୍ରେସ୍’ ।

ବର୍ତ୍ତମାନ ଏହି ଲାଇଫଲାଇନ୍ ଏକ୍ସପ୍ରେସ୍ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ପ୍ରସିଦ୍ଧ ଛତ୍ରପତ୍ତି ଶିବାଜୀ ମହାରାଜ ଟର୍ମିନାଲରେ ପହିଞ୍ଚିଛି। ଦେଶର ବିଭିନ୍ନ ବିଚ୍ଛନ୍ନାଞ୍ଚଳ ଲୋକଙ୍କ ପାଖରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇପାରୁଛି ଏହି ଏକ୍ସପ୍ରେସ୍। ଆଜିପର୍ଯ୍ୟନ୍ତ ମୋଟ ୧୨ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରିସାରିଲାଣି ଲାଇଫଲାଇନ୍ ଏକ୍ସପ୍ରେସ।

ଦେଶର ୧୯ଟି ରାଜ୍ୟକୁ ଯାତ୍ରାକରିସାରିଲାଣି ଲାଇଫଲାଇନ୍ ଏକ୍ସପ୍ରେସ। ଏହାରି ମଧ୍ୟରେ ସେ ୧୩୮ଟି ଜିଲ୍ଲାର ୨୦୧ଗ୍ରାମୀଣ ଅଞ୍ଚଳକୁ ଯାତ୍ରା କରିସାରିଛି। ଏହି ଯାତ୍ରାମଧ୍ୟରେ ସେ ୧୨.୩୨ ଲକ୍ଷ ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରିଛି। ଏହି ଚିକିତ୍ସା ମଧ୍ୟରେ ୧.୪୬ ଲକ୍ଷ ଲୋକଙ୍କ ସର୍ଜରୀ ସାମିଲ ରହିଛି।

ଦେଶର ଗ୍ରାମୀଣ ଓ ପଛୁଆ ଅଞ୍ଚଳରେ ରୋଗୀମାନଙ୍କୁ ଚିକିତ୍ସାପାଇଁ ଗୋଟିଏ ତାଲିକା ତିଆରି କରାଯାଇଥାଏ। ଏହାପରେ ରୋଗୀମାନଙ୍କୁ ଟ୍ରେନର କ୍ୟାମ୍ପ ଲାଗିଥିବା ସ୍ଥାନକୁ ନିଆଯାଇ ଚିକିତ୍ସା କରାଯାଇଥାଏ। ଏହି ଚିକିତ୍ସାପାଇଁ ରୋଗୀମାନଙ୍କ ପାଖରୁ କୌଣସି ଟଙ୍କା ନିଆଯାଇ ନଥାଏ।

ଆରମ୍ଭରୁ ଏହି ଲାଇଫଲାଇନ୍ ଏକ୍ସପ୍ରେସରେ ଆଦିବାସୀ ବହୁଳ ଅଞ୍ଚଳରେ ମୋତିଆବିନ୍ଦୁର ଅପରେସନ୍ କରାଯାଉଥିଲା। ବର୍ତ୍ତମାନ ଏହି ଟ୍ରେନରେ ପ୍ଲାଷ୍ଟିକ ସର୍ଜରୀଠାରୁ ଆରମ୍ଭ କରି ଇଏନ୍‌ଟି ଓ କ୍ୟାନସର୍ ଭଳି ଗୁରୁତର ରୋଗର ଚିକିତ୍ସା କରାଯାଉଛି।

ରେଳ ବିଭାଗର ବେକାର ହୋଇ ପଡ଼ିରହିଥିବା ଡବାକୁ ନେଇ ଏହି ହସ୍ପିଟାଲ ଟ୍ରେନ ତିଆରି କରାଯାଇଛି।  ଗୋଟିଏ ଅଞ୍ଚଳରେ କ୍ୟାମ୍ପ ବସେଇବା ପାଇଁ ଟ୍ରେନକୁ ନେବାପାଇଁ କୋଟିରୁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।

Comment